ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ପ୍ରସିଦ୍ଧ ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜୋରନ୍ଦା ଅଲେଖ ମହିମା ଗାଦିରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସନ୍ଧ୍ୟାରେ ଜୋରନ୍ଦାରେ ପହଞ୍ଚିଥିଲେ । ପରେ ମହିମା ଗାଦିର ଧୁନି ମନ୍ଦିର ପରେ ଭଜନ ମଣ୍ଡପ ତାପରେ ନୀତି ମନ୍ଦିର ଓ ଗାଦି ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ଦଳକ ସ୍ଥିତ କୌପନୀଧାରୀ ମହିମା ସମାଜ ଅଖଣ୍ଡ ଜ୍ୟୋତି ମନ୍ଦିର ସାନ ମଠ ଗାଦିକୁ ଯାଇ ଆଶୀର୍ବାଦ ନେଇଥିଲେ । ସେହିପରି ଉଭୟ ବିକଳ ଓ କୌପନୀ ସାଧୁଙ୍କ ପୀଠର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଏଠାକୁ ବହୁତ ଦିନରୁ ଆସିବା ପାଇଁ ମୋର ଅଭିପ୍ରାୟ ଥିଲା । ଓଡ଼ିଶାର ଦାୟିତ୍ବ ନେଲା ପରେ ମୁଁ ଆସି ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛି । ଗତ ସରକାର ଏହି ପୀଠର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ ମଧ୍ୟ କାହିଁକି କାର୍ୟ୍ୟ ଅଟକି ରହିଲା ମୁଁ ଜାଣିନାହିଁ । କୌପନୀଧାରୀ ମହିମା ସମାଜର ଉପାସନା ପୀଠକୁ ଭାଙ୍ଗି ଦେଇଥିବାରୁ ସାଧୁମାନେ କ୍ଷୋଭ ପ୍ରକାଶ କରୁଥିଲେ ।"
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି "ଏଠାକାର ବିକାଶ ପାଇଁ ମୁଁ ଜିଲ୍ଲାପାଳଙ୍କୁ ଡିପଆର୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଡିପଆର୍ ଅନୁସାରେ କାର୍ୟ୍ୟ କରିବା ପାଇଁ ଅର୍ଥର କୌଣସି ଅଭାବ ନାହିଁ । ଧାର୍ମିକ ପୀଠରେ ରାଜନୀତି ପଶିଲେ ଏକ ନକରାତ୍ମକ ଭାବନା ସୃଷ୍ଟି କରେ । ତେବେ ଆମ ସରକାର ଯାହା କୁହେ ତାହା କରିଦେଖାଏ । ମହିମା ଧର୍ମର ବିକାଶ ଓ ମହିମା ଗାଦିର ଭବ୍ୟ ମନ୍ଦିର ନିର୍ମାଣ କରିବା ସହ ବିଶ୍ୱରେ ଏହି ପୀଠର ପ୍ରଚାର ପ୍ରସାର ପାଇଁ ଆମ ସରକାର ସମସ୍ତ ଉଦ୍ୟମ କରିବେ । ପୂର୍ବ ସରକାର କରିଥିବା ଘୋଷଣା ଠାରୁ ଆହୁରି ଅଧିକ ଉନ୍ନତି କରିବୁ । "ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଜୋରନ୍ଦା ବ୍ଲକ ହେଉ କିମ୍ବା ଏନଏସି ସବୁଠି ବିକାଶ କରାଯିବ । ଫାଣ୍ଡିକୁ ଥାନାରେ ରୂପାନ୍ତର, ବାଇପାସ ନିର୍ମାଣ, ଡାକ୍ତର ଖାନାର କଳେବର ବୃଦ୍ଧି ଆଦି କରିବାକୁ ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ। ଆମ ସରକାର ସମୟରେ ଧାର୍ମିକ ପୀଠଗୁଡ଼ିକର ନିଶ୍ଚିତ ଉନ୍ନତି କରିବେ । ଆମ ସରକାର ଚାଷୀ, ଗରିବ , ବେକାରୀ ସମସ୍ୟା ପ୍ରତି ଧ୍ୟାନ ଦେଇ ଶିଳ୍ପ ଏବଂ ପର୍ୟ୍ୟଟନ ଆଦିର ଉନ୍ନତି ଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସୁଛି । ସୁଭଦ୍ରା ଯୋଜନା ହେଉ କି ଧାନ ଏମଏସପି ହେଉ ବା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ହେଉ ସବୁ ଆମେ କଥା ଦେଇ କଥା ରଖିଲୁ । "