ନବୀନଙ୍କୁ ଏଭଳି ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖର୍ଚ୍ଚଦାବି ଆଲୋଚନାରେ ସରକାରଙ୍କୁ କିଛି ପ୍ରଶ୍ନ ପଚାରି ପଳାଇ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ କଟାକ୍ଷ କରି କହିଥିଲେ ଯେ, ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ବିରୋଧୀ ଦଳ ନେତା ଉପସ୍ଥିତ ଅଧିକ ଭଲ ହୋଇଥାନ୍ତା, ବୋଧହୁଏ ବିଧାନସଭାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ତାଙ୍କର ଥାଇପାରେ ବୋଲି କହି କଟାକ୍ଷ କରିବାକୁ ପଛାଇନଥିଲେ।
ବିଧାନସଭାରେ ଉଭୟ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପଠାଇବା ଦୁର୍ଭାଗ୍ୟଜନକ । ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା। ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ଲୋକଙ୍କ ଗୁହାରି ଶୁଣୁନଥିଲେ । ଏଭଳି ଏକ ବିକୃତ ବ୍ୟବସ୍ଥା ପୂର୍ବ ସରକାରରେ ଚାଲିଥିଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଦମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ । ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ । ଖୋର୍ଦ୍ଧା ଘଟଣାକୁ ସାମ୍ପ୍ରଦାୟିକ କହିବା ବଡ଼ ନିନ୍ଦନୀୟ କଥା । ଦୁଇ ପରିବାରର କଳି କେବେ ସାମ୍ପ୍ରଦାୟିକ ହିଂସା ନୁହେଁ ବୋଲି ସେ ନବୀନଙ୍କୁ କଟାକ୍ଷ କରି କହିଥିଲେ ।