ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା ‘ଦଣ୍ଡାଦେଶ କାଏମ’

ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା ‘ଦଣ୍ଡାଦେଶ କାଏମ’

ଭୁବନେଶ୍ୱର/କଟକ : ଓଏଚଆରଡ଼ିସି ଦୁର୍ନୀତି ମାମଲାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା ଲାଗିଛି  । ନିମ୍ନ ଅଦାଲତ ରାୟଙ୍କୁ ହାଇକୋର୍ଟ କାଏମ ରଖିଛନ୍ତି  । ନିମ୍ନ ଅଦାଲତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ  । ଏହାକୁ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ  । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ହାଇକୋର୍ଟଙ୍କ ଏହି ରାୟ ମୋକିମଙ୍କୁ ଅକଳରେ ପକାଇ ଦେଇଛି  ।
ସୂଚନାଯୋଗ୍ୟଯେ, ଗତ ୨୦୨୨ ସେପ୍ଟେମ୍ବର ୨୯ରେ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ମହମ୍ମଦ ମୋକିମ ଓ ଅନ୍ୟମାନଙ୍କୁ ଦଣ୍ଡାଦେଶ ଦେଇଥିଲେ  । ତେବେ ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ମୋକିମ୍ ହାଇକୋର୍ଟ ଯାଇଥିଲେ  । ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ନିବେଦନ କରିଥିଲେ  । ୨୦୨୨ ଅକ୍ଟୋବର ୧୦ରେ ହାଇକୋର୍ଟ ରହିତାଦେଶ  ଜାରି କରିଥିଲେ  । ଏହାପରେ ଭିଜିଲାନ୍ସ ପକ୍ଷରୁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାଏର କରାଯାଇଥିଲା  । ହାଇକୋର୍ଟଙ୍କ ରାୟ ବିରୋଧରେ ଭିଜିଲାନ୍ସ ସୁପ୍ରିମକୋର୍ଟ ଯାଇଥିଲେ  ।  ଛଅମାସ ମଧ୍ୟରେ ଅପିଲର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ନିଦେ୍ର୍ଦଶ ଦେଇଥିଲେ  । ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ଭିଜିଲାନ୍ସ ସ୍ପେଶିଆଲ ଜଜଙ୍କ ରାୟକୁ  କାଏମ ରଖିଛନ୍ତି  ।