ସଚିନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ମୁସ୍କିଲ

କ୍ରିକେଟର ସଚିନ ତେନ୍ଦୁଲକର ଆଜି ୫୨ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୯ ମସିହା ନଭେମ୍ବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର । ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସଚିନ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪ ହଜାର ୩୫୭ ରନ୍ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ ବୋଲିଂରେ କମାଲ କରିଥିଲେ ସଚିନ ତେନ୍ଦୁଲକର । ତାଙ୍କ ନାମରେ ୨୦୧ ଅନ୍ତର୍ଜାତୀୟ ୱିକେଟ୍ ରହିଛି । ଏହାଛଡ଼ା ୨୦୧୧ ଦିନିକିଆ ବିଶ୍ୱକପ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଥିଲେ ସଚିନ ତେନ୍ଦୁଲକର । ନିଜ କ୍ୟାରିଅରରେ ଅନେକ ରେକର୍ଡ ନିଜ ନାଁରେ କହିଛନ୍ତି ସଚିନ । କିନ୍ତୁ କିଛି ଏଭଳି ରେକର୍ଡ ରହିଛି ଯାହା ଅନ୍ୟ କେହି କ୍ରିକେଟର ଭାଙ୍ଗିବା ସହଜ ହେବନି ।
ସଚିନଙ୍କୁ କ୍ରିକେଟ ଜଗତର ଭଗବାନ କୁହାଯାଏ । ୨୦୧୨ରେ ସେ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ୨୨ ବର୍ଷ ଯାଏଁ ଦିନିକିଆ କ୍ରିକେଟ ଖେଳିଥିବା ଏକ ମାତ୍ର କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର । ୨୨ ବର୍ଷ ୯୧ ଦିନ ଧରି ସେ ଦିନିକିଆ ଖେଳିଥିଲେ । ତାଙ୍କ ପରେ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂରିୟା ସର୍ବାଧିକ ୨୧ ବର୍ଷ ଯାଏଁ ଦିନିକିଆ କ୍ରିକେଟ ଖେଳିଥିଲେ ।
ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର । ସେ ୪୬୩ଟି ଦିନିକିଆ, ୨୦୦ଟି ଟେଷ୍ଟ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ମୋଟ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ମାଷ୍ଟରବ୍ଲାଷ୍ଟର । ଅନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠାରୁ ଅଧିକ ଶତକ ହାସଲ କରିଛନ୍ତି ସଚିନ । ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟ୍ରେ ୫୧ଟି ଶତକ ହାସଲ କରିଛନ୍ତି । ଏହାଛଡ଼ା ତାଙ୍କ ନାମରେ ୧୭୭ଟି ଅନ୍ତର୍ଜାତୀୟ ଅର୍ଦ୍ଧଶତକ ରହିଛି । ସଚିନ ୭୮୨ଟି ପାଳିରେ ୩୪ ହଜାର ୩୫୭ ରନ୍ କରିଛନ୍ତି । ଏହି ରେକର୍ଡକୁ ଭାଙ୍ଗିବା ଅନ୍ୟ କ୍ରିକେଟରଙ୍କ ପାଇଁ ସହଜ ହେବନି । କାରଣ ନିଜ କ୍ୟାରିଅରରେ ଅନେକ ଥର କମ୍ବ୍ୟାକ୍ କରିଥିଲେ ସଚିନ ତେନ୍ଦୁଲକର । ସବୁଥର ନିଜ ବ୍ୟାଟିଂ ଟେକ୍ନିକ୍ରେ ବୋଲରଙ୍କ ଲୟ ବିଗାଡ଼ି ଦେଉଥିଲେ । ଏଣୁ ତାଙ୍କ ପ୍ରଶଂସକ କ୍ରିକେଟ ଜଗତର ଭଗବାନ ଆଖ୍ୟା ଦେଇଛନ୍ତି । ଆଜି ସେହି ଭଗବାନ ୫୨ ବର୍ଷରେ ପାଦ ଥାପିଛନ୍ତି ।