ଗାଈ ଚରାଳିଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ
କେନ୍ଦୁଝର : ଘଟଗାଁ ଥାନା ଅଞ୍ଚଳ ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳି ପଶି ଗ୍ରାମରେ ଗତକାଲି ଅପରାହ୍ନ ସାଢ଼େ ୩ ଟା ସମୟରେ ଅଭାବନୀୟ ଘଟଣା କ୍ରମରେ ସଞ୍ଜୟ କୁମାର ମହାନ୍ତ(୩୯)ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଗାଈ ଚରାଳି ଟୁନା ମୁଣ୍ଡା(୫୦)ଙ୍କ ବେକରେ ଗାମୁଛା ବାନ୍ଧି ତଣ୍ଟି ଚିପି କଂକ୍ରିଟ ରାସ୍ତା ଉପରେ ଠେଲି ଦେବାରୁ ମୁଣ୍ଡରେ ମାଡ଼ ହୋଇ ଟୁନା ପ୍ରାଣ ହରାଇଛନ୍ତି ।
ଖବରରୁ ପ୍ରକାଶ ଯେ ଗତକାଲି ଚିନାମାଳିପଶି ଗ୍ରାମର ସଞ୍ଜୟ ମହାନ୍ତଙ୍କ ବାଡିକୁ ଗୋଟିଏ ବଳଦ ପଶି ଯାଇଥିବା ବେଳେ ସଞ୍ଜୟ ବଳଦକୁ ପିଟିବା ସମୟରେ ଟୁନା ମୁଣ୍ଡା ସେଠାରେ ପହଞ୍ଚି ବଦଳଟିକୁ ନପିଟିବାକୁ ସଞ୍ଜୟକୁ ବାରଣ କରିଥିଲେ । ଏହି ସମୟରେ ବଳଦଟି ବାଡ ଭାଙ୍ଗି ବାହାରକୁ ପଳାଇ ବାରୁ ସଞ୍ଜୟ ରାଗିଯାଇ ଟୁନା ସହ ଝଗଡା ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ସଞ୍ଜୟ ନିଜ ଗାମୁଛାକୁ ଟୁନାଙ୍କ ବେକରେ ଗୁଡ଼ାଇ ଚିପି ଦେବା ସହ ଠେଲି ଦେବାରୁ କଂକ୍ରିଟ ରାସ୍ତାରେ ପଡି ଟୁନାଙ୍କ ପ୍ରାଣ ଚାଲି ଯାଇଥିଲା । ଏହାପରେ ସଞ୍ଜୟଙ୍କ ପରିବାର ଟୁନା ମୁଣ୍ଡାଙ୍କ ଶବକୁ ନେଇ ତାଙ୍କ ଘରେ ରଖିଦେଇ ପଳାଇ ଆସିଥିଲେ । ଖବର ପାଇ ଘଟଗାଁ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ଚିନାମାଳିପଶି ଯାଇ ସଞ୍ଜୟ କୁମାର ଥାନାକୁ ଉଠାଇ ଆଣିଥିଲେ । ଏନେଇ ଟୁନା ମୁଣ୍ଡାଙ୍କ ପୁତୁରା ଶମ୍ଭୁନାଥ ମୁଣ୍ଡା ଥାନାରେ ଏତଲା ଦେବା ପରେ ମାମଲା ସଂଖ୍ୟା ୨୨୦/୨୦୨୫ ମୂଳେ ଘଟଗାଁ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ଆଜି ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ କରିବା ପରେ ଶବକୁ ଉଦ୍ଧାର କରି ପାଟଣାରେ ଶବ ବ୍ୟବଚ୍ଛେଦ କରାଇ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି । ଏନେଇ ମୁଣ୍ଡା ସାହିରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।