ଗୋରୁ ବେପାରୀ ଫେରାର, ମାମଲା ରୁଜୁ 

ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସାନଶାସନ ପଞ୍ଚାୟତ ବଡକଣ୍ଟାପଡା ଗ୍ରାମରେ ବେଆଇନ ଗୋରୁ ବେପାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଗ୍ରାମର ମାନସ ବାରିକଙ୍କ ଅଭିଯୋଗ ଆଧାରରେ ବଡକଣ୍ଟାପଡା ଗ୍ରାମର ନାରଣ ପେରେଇ, ଗୋରୁ ପରିବହନକାରୀ ଓଡି ୦୨ ସି ୬୪୮୯ନଂ ବୋଲେରୋ ଚାଳକ ଓ ଅନ୍ୟ ୬ ଜଣଙ୍କ ନାମରେ ୨୬୮/୨୫ନଂ ମାମଲା ସୋମବାର ରାତିରେ ରୁଜୁ ହୋଇଛି । ମାତ୍ର ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । 
ଅଭିଯୋଗ ଅନୁଯାୟୀ ଅଭିଯୋଗକାରୀ ମାନସ ବାରିକ ଓ କୈଳାସ ପେରେଇ ମଞ୍ଜୁରୀରୋଡରୁ ରବିବାର ରାତି ଗୋଟାଏ ବେଳେ ଘରକୁ ଫେରୁଥିବା ବେଳେ ନାରଣ ପେରେଇଙ୍କ ଘର ସମ୍ମୁଖ ରାସ୍ତା ଉପରେ ସଂପୃକ୍ତ ବୋଲେରୋ ଡାଲାରେ ଅମାନୁସିକ ଭାବେ ଚାଲାଣ ଉଦେ୍ଦଶ୍ୟରେ ୫ଟି ଗୋରୁ ବୋଝେଇ କରିଥିଲେ । ବୋଲେରୋ ଚାଳକ ସମତେ ଓଡି ୨୨ ଏ ୬୪୮୯ ଓ ଗ୍ରାମର ନାରାୟଣ ପେରେଇ ବିଭିନ୍ନ ଅଞ୍ଚଳରୁ ଗୋରୁ ସଂଗ୍ରହ କରି ବିକ୍ରୟ କରିଆସୁଥିଲେ ।  ଏହା ଉପରେ ବଜରଙ୍ଗୀ ଦଳ ନଜର ରଖିଥିଲା । ରବିବାର ରାତ୍ର ପ୍ରାୟ ୩ଟା ସମୟରେ ଓଡି ୦୨ ସି ୬୪୮୯ନଂ ଓ ଓଆର ୨୨ ଏ ୨୫୯୦ ନଂ ଦୁଇଟି ଗ୍ଲାମର ବାଇକରେ ଆସିଥିବା ଅନ୍ୟ ଲୋକମାନେ ଗୋରୁ ବୋଝେଇରେ ସହାୟତା କରୁଥିଲେ । ମାନସ ଓ କୈଳାସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ଗୋରୁ ଚାଲାଣକାରୀମାନେ ଗାଳିଗୁଲଜ କରିବା ସହ ଆକ୍ରମଣ ଧମକ ଦେଇଥିଲେ । ମାନସଙ୍କ ଡାକ ଶୁଣି ଗ୍ରାମବାସୀମାନେ ଆସିଯିବାରୁ ଅଭିଯୁକ୍ତ ନାରଣଙ୍କ ସମେତ ଅନ୍ୟ ଗୋରୁ ବେପାରୀମାନେ ପଳାଇଯାଇଥିଲେ । ଖବର ପାଇ ମଞ୍ଜୁରୀରୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚô ଗୋରୁଗୁଡିକୁ ଉଦ୍ଧାର କରି ମଇତାପୁର ଗୋଶାଳାରେ ଛାଡିଥିଲା । ଫାଣ୍ଡି ଅଧିକାରୀ ଦେବରାଜ ଜେନା ମାମଲାର ତଦନ୍ତ ଚଳାଇଛନ୍ତି । ୧୬ ନଂ ରାଜୀୟ ରାଜପଥରେ ସ୍ଥାନୀୟ ଥାନା ଅଧିନ ଏକ ଟୋଲଗେଟ ସୁବିଧା ଥିବା ସତ୍ତ୍ୱେ ସପ୍ତାହକୁ ଶହ ଶହ ବେଆଇନ ଗୋରୁ ଗାଡି ନିର୍ଦ୍ଦୟ ଭାବେ ଗୋରୁ ଚାଲାଣ କରିବା ବିଡମ୍ବନାର ବିଷୟ ହୋଇଛି ।