ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା : ଛୁରି ଜବତ, ଅଭିଯୁକ୍ତ ଗିରଫ
ସୋର : ସୋର ପୌର ପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ସିନ ରିକ୍ରିଏସନ କରିବା ପରେ କୋର୍ଟ ଚାଲାଣ କରିଛି ।
ଗତ ୨୪ ତାରିଖରେ ଲିଙ୍ଗପଡା ଗ୍ରାମର ଜ୍ୟୋତିର୍ମୟୀ ରଣାଙ୍କୁ ତାଙ୍କ ପ୍ରେମିକ ବିଶ୍ୱରଞ୍ଜନ ପୁହାଣ ପ୍ରେମରେ ବିଫଳ ହୋଇ ତାଙ୍କ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଥିଲା । ପୁଲିସ ତାକୁ ଗତ ୨୬ ତାରିଖରେ ନିଜ ଗ୍ରାମ ଚୂଡ଼ାମଣି ଧଳସାହି ନିକଟ ଏକ ଜଙ୍ଗଲିଆ ସ୍ଥାନରୁ ଧରିଥିଲା । ତେବେ ଅଭିଯୁକ୍ତ ପୁଲିସକୁ ଦେଖି ବିଷ ପିଇ ଦେଇଥିଲା । ପୁଲିସ ତାକୁ ବାଲେଶ୍ୱର ମେଡିକାଲରୁ ଡିସଚାର୍ଜ ହେବା ପରେ ଗତକାଲି ଥାନାକୁ ଆଣିଥିଲା । ଆଜି ମଧ୍ୟାହ୍ନରେ ପୁଲିସ ତାକୁ ଧରି ହତ୍ୟା ପରେ କେମିତି ଫେରାର ହୋଇଥିଲା ତାହା ଦେଖିବାକୁ ବିଭିନ୍ନ ସ୍ଥାନକୁ ନେଇଥିଲା । ବିଶ୍ୱରଞ୍ଜନ ଛୁରୀରେ ଜ୍ୟୋତିର୍ମୟୀଙ୍କୁ ହତ୍ୟା କରିବା ପରେ ଛୁରୀ ଟିକୁ ଗୋପୀନାଥପୁର ଷ୍ଟ୍ରକଚର ପଡିଆ ନିକଟରେ ଫିଙ୍ଗିଥିବା ବେଳେ ଛୁରିଟିକୁ ପୁଲିସ ଜବତ କରିଛି । ଅପରାହ୍ନରେ ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ପୁଲିସ ତାକୁ କୋର୍ଟ ଚାଲାଣ କରିଛି ।