ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେବ ନନ୍ଦନକାନନ : ୩ ବର୍ଷରେ ଆସିଛନ୍ତି ୭୨ଲକ୍ଷ ପର୍ଯ୍ୟଟକ

 ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଗତ ତିନି ବର୍ଷରେ ଅର୍ଥାତ୍ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ରେ ମୋଟ ୭୨.୪୮୪ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି । ଆଉ ସେମାନଙ୍କ ଠାରୁ ମୋଟ ୨୩୮୫.୬୩୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ବର୍ତ୍ତମାନ ପର୍ଯ୍ୟଟକଙ୍କ ଉପଲକ୍ଷେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବ୍ୟାଟେରୀ ଚାଳିତ ଶିଶୁ ରେଳଗାଡି, ରୋପୱେ, ୪ ଗୋଟି ସଫାରୀ (ବାଘ ସଫାରୀ, ସିଂହ ସଫାରୀ, ଭାଲୁ ସଫାରୀ ଓ ତୃଣଭୋଜୀ ପ୍ରାଣୀ ସଫାରୀ) ଏବଂ ବ୍ୟାଟେରୀ ଚାଳିତ ଗାଡ଼ିର ସୁବିଧା ରହିଛି । ଏତଦ୍ ବ୍ୟତିତ ଦିବ୍ୟାଙ୍ଗମାନଙ୍କ ପାଇଁ ବିନା ଶୁଳ୍କରେ ପ୍ରବେଶ, ପରିଭ୍ରମଣ ପାଇଁ ଚକଲଗା ଗାଡି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ବିନା ଶୁଳ୍କରେ ଚକଲଗା ଗାଡିର ବ୍ୟବସ୍ଥା କରାଯାଇଅଛି । ନନ୍ଦନକାନନକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ପାଇଁ ସରକାର ଟନେଲ ଆକ୍ସାରିୟମ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ପଶୁ ବିନିମୟ କାର୍ଯ୍ୟକ୍ରମ, ଚିତାବାଘ, ଛୋଟ ବିରାଡ଼ି ପ୍ରଜାତି ପ୍ରାଣୀ, ବିଦେଶୀ ବାନର ଜାତୀୟ ପ୍ରାଣୀ ନିମନ୍ତେ ଖୁଆଡ଼ ନିର୍ମାଣ, ସମସ୍ତ ସଫାରୀ ଗୁଡିକର ପ୍ରବେଶ ଦ୍ୱାରର ଉନ୍ନତିକରଣ ଏବଂ ରାଜ୍ୟ ଉଭିଦ ଉଦ୍ୟାନର ମୁଖ୍ୟ ଫାଟକର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଗୃହରେ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନନ୍ଦନକାନନକୁ ବିଗତ ତିନି ବର୍ଷରେ କେତେ ଦର୍ଶକ ପରିଦର୍ଶନରେ ଆସିଥିବା ବେଳେ ଟିକେଟ୍ ବିକ୍ରୟ ବାବଦରେ କେତେ ଅର୍ଥ ଆଦାୟ ହୋଇଛି ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ।