‘ଦରଦାମ୍ ନିୟନ୍ତ୍ରଣରେ ଡବଲ ଇଞ୍ଜିନ୍ ବିଫଳ’
ଭୁବନେଶ୍ୱର: ଆଳୁ, ପିଆଜ, ପନିପରିବା, ଡାଲି, ତେଲ ସବୁ ହୁହୁ ହୋଇ ବଢୁଛି । ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି । ଖାଦ୍ୟସାମଗ୍ରୀରେ ସବସିଡ଼ ଦେଇ ସରକାର ଶସ୍ତାରେ ଯୋଗାନ୍ତୁ । ମୁଲତବୀ ଆଲୋଚନା କାଳରେ ଏଭଳି ଭାବେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ।
ଏହାର ଉତ୍ତରରେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତିଯେ, ୨୪ ବର୍ଷ ହେଲା ରାଜ୍ୟରେ ନବୀନବାବୁଙ୍କ ସରକାର ଥିଲା । ତେଣୁ ଆଜିର ସ୍ଥିତି ପାଇଁ ତାଙ୍କୁ ହିଁ ଦାୟୀ କରାଯିବ । ବିରୋଧୀ ଯେଉଁଭଳି କହୁଛନ୍ତି ଦରଦାମ ସେଭଳି ବଢ଼ିନାହିଁ । ପୂର୍ବ ସରକାର ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିପାରିନଥିଲେ । ରାଜ୍ୟକୁ ବୁଡ଼େଇ ଦେଇ ଯାଇଛନ୍ତି । ଜଳସେଚନର ସୁବିଧା କରିବାରେ ବିଫଳ ହୋଇଥିଲେ ।ପଶ୍ଚିମବଙ୍ଗ ସରକାର ଜାଣିଶୁଣି ଆଳୁ ଦେଉନାହାନ୍ତି । ଏବେ ବଜାରରେ ୩୫ରୁ ୪୦ ଟଙ୍କା ମଧ୍ୟରେ ଆଳୁ ମିଳୁଛି । ରାଜ୍ୟ ସରକାର ଏନେଇ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ବିରୋଧୀ କହୁଛନ୍ତି, ମନ୍ତ୍ରୀଙ୍କ ଚୋପା ଛଡ଼ାଇଦେବେ । ହେଲେ ସେମାନଙ୍କ ଚୋପା ଛାଡ଼ିଗଲା ବୋଲି ସରକାରରୁ ହଟିଗଲେ ବୋଲି ସେ କହିଛନ୍ତି । ଅପରପକ୍ଷରେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ଓ ବିଜେଡ଼ି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।
‘ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷର ଦରଦାମ୍ ଆକାଶଛୁଅାଁ । ରାଜ୍ୟ ସରକାର ନୀରବଦ୍ରଷ୍ଟା’ ଶୀର୍ଷକ ଆଲୋଚନା ଆରମ୍ଭ କରି ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେଯେ, ଆଳୁ ଦାମ୍ ଏବେ ୬୦ ଟପିଲାଣି । ଖାଲି ଭୁବନେଶ୍ୱର ଓ କଟକରେ ଆଳୁ ଯୋଗାଇ ଦିଆଯାଉଛି । ହେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆଳୁ ପହଁଚୁନି । ମିଡ଼ିଆ ଦେଖୁଦେଖୁ ମନ୍ତ୍ରୀ ଉତ୍ସାହିତ ହୋଇଯାଉଛନ୍ତି । ଖାଲି କଥା କହିଦେଲେ ହେବନାହିଁ । ରାଜ୍ୟ ସରକାର ହଜାର ହଜାର କୋଟିର ରାଜସ୍ୱ ପାଉଛନ୍ତି । ତେଣୁ ଆଳୁ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ସବସିଡ଼ ଦିଅନ୍ତୁ । ମାର୍କଫେଡ଼ ଜରିଆରେ ଆଳୁ କିଣି କିଲୋ ପିଛା ୨୦ ଟଙ୍କାରେ ବିକନ୍ତୁ । ନଚେତ୍ କାଲି ବିଜେପି ଲୋକ ବି ସରକାରଙ୍କୁ ପ୍ରଶ୍ନ କରିବେ ବୋଲି ତାରା କହିଥିଲେ ।
ସେହିପରି ବିଧାୟକ ଅଶୋକ ଦାସ କହିଥିଲେଯେ, ଦରଦାମ୍ ହୁହୁ ହୋଇ ବଢୁଛି । ଲୋକେ ଗରିବରୁ ଆହୁରି ଗରିବ ହୋଇ ଯାଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ବୋଲି ସେ କହିଥିଲେ । ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେଯେ, ଆମ ରାଜ୍ୟର ମୁଦ୍ରାସ୍ଫୀତି ଏବେ ଦେଶରେ ସର୍ବାଧିକ । ମନ୍ତ୍ରୀ କହୁଛନ୍ତି, ଆମେ ମାଗିଖିଆ ନୁହଁଯେ, ପଶ୍ଚିମବଙ୍ଗରୁ ଆଳୁ ମାଗିବୁ । ହେଲେ ପଶ୍ଚିମବଙ୍ଗରୁ ଆମେ ହକ୍ ଟଙ୍କା ଦେଇ ଆଳୁ କିଣୁଥିଲୁ । ମନ୍ତ୍ରୀଙ୍କର ଯଦି ଦମ୍ ଅଛି ତାହେଲେ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଯାଉଥିବା ମାଛ ଓ ଅଣ୍ଡା ଟ୍ରକ ଅଟକାଇ ଦେଖନ୍ତୁ । ୟୁପି ଆଳୁ ଖାଇଲେ ଡାଇବେଟିସ୍ ହେବନାହିଁ ବୋଲି ମନ୍ତ୍ରୀ କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେହିପରି ବିଧାୟକ ଗୌତମ ବୁଦ୍ଧ ଦାସ କହିଲେଯେ, ହାଣ୍ଡିଶାଳ ଉପରେ ମାଡ଼ ହେଉଛି । ସୁଭଦ୍ରାରେ ୫ ହଜାର ଟଙ୍କା ଦେଉଛନ୍ତି, ହେଲେ ଦରଦାମ୍ ବଢ଼ାଇ ଅଧିକ ନେଇ ଯାଉଛନ୍ତି । ମା’ମାନେ କ୍ରୋଧରେ ମନ୍ତ୍ରୀଙ୍କ ଚୋପା ଛଡ଼ାଇଦେବା କଥା କହୁଛନ୍ତି । ପନିପରିବା ଦର ୪୨% ବଢ଼ିଛି । ଖାଦ୍ୟସାମଗ୍ରୀ ଦାମ୍ ୧୦.୯%, ଫଳ ଦର ୮.୪% ବୃଦ୍ଧିପାଇଛି ବୋଲି ସେ କହିଥିଲେ ।
ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଜରିଆରେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଥିଲେଯେ, ପୂର୍ବ ସରକାରଙ୍କ ଭୁଲ୍ ପାଇଁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଆଳୁ ମିଶନରେ ୭୯୪ କୋଟି ଟଙ୍କା ଖର୍ଚ୍ଚ ହେଲା ହେଲେ ଫଳ ଶୂନ୍ । କୃଷକମାନେ ଗାଁ ଛାଡ଼ି ଦାଦନ ଗଲେ । ତେଣୁ ଚାଷ କରିବ କିଏ ? ନୂଆ ସରକାର ଆଳୁ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ସେ କହିଛନ୍ତି । ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଥିଲେଯେ, ପଶ୍ଚିମବଙ୍ଗରେ ବ୍ୟବସାୟୀ ଓଡ଼ିଶାକୁ ଆଳୁ ଦେବା ପାଇଁ ଧାରଣା ଦେଇଛନ୍ତି । ଆଳୁ ମିଶନ ଓ ପିଆଜ ମିଶନ ଫେଲ ହୋଇଯାଇଛି । ବିରୋଧୀ ଦଳ କୁମ୍ଭୀରକାନ୍ଦଣା ବନ୍ଦ କରନ୍ତୁ ବୋଲି ସେ କହିଥିଲେ । ସେହିପରି ବିଧାୟକ ବାବୁ ସିଂ କହିଥିଲେଯେ, ନବୀନ ବାବୁ କେବଳ ଚିଠି ଲେଖୁଥିଲେ । ତା’ର କିଛି ମୂଲ୍ୟ ନଥିଲା । ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବର୍ତ୍ତମାନର ସରକାର ଉଦ୍ୟମ ଜାରିରଖିଛନ୍ତି । ସେହିପରି ବିଧାୟକ ଅଶୋକ ମହାନ୍ତି ମଧ୍ୟ ପୂର୍ବ ବିଜେଡ଼ି ସରକାରକୁ ଦାୟୀ କରିଥିଲେ ।
ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଲେଯେ, ଅନ୍ତର୍ଜାତୀୟ ବଜାରରେ ଦରଦାମ ପରିସ୍ଥିତି ଓ ଯୋଗାଣ ପେଣ୍ଠର ଦରବୃଦ୍ଧି ଓ ହ୍ରାସର ପ୍ରଭାବ ସ୍ଥାନୀୟ ବଜାରରେ ପଡ଼ିଥାଏ । ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ଡାଲିଜାତୀୟ ଦ୍ରବ୍ୟ ଆମଦାନୀ ୧୦% ହ୍ରାସ ପାଇଛି । ତେଣୁ ମୂଲ୍ୟ ବୃଦ୍ଧି ହେଇଛି । ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଆଳୁ, ପିଆଜ, ଡାଲି, ଖାଇବା ଦେଲ, ଗହମଜାତୀୟ ଦ୍ରବ୍ୟ ଆଦିର ଗଚ୍ଛିତ ପରିମାଣ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ନିୟମିତ ଭାବେ ବ୍ୟବସାୟୀଙ୍କ ସହ ବୈଠକ କରାଯାଉଛି । ଆଳୁର ତିରୋଟ ସମୟରେ ନାଫେଡ଼ ଜରିଆରେ ଆଳୁ କିଣି ଯୋଗାଣ କରାଯାଇଥିଲା । ଚଳିତ ବର୍ଷ ୧୩୩ ଖିଲାପକାରୀ ବ୍ୟବସାୟୀଙ୍କ ବିରୋଧରେ କେଶ୍ କରାଯାଇ ୧୬୩୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।