ନାରାୟଣୀ ମନ୍ଦିରକୁ ବିଜେ କଲେ ଦୁର୍ଗାମାଧବ
ାା ପ୍ରଭାନୁ୍ୟଜ୍ାା ପୁରୀ: ଆଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇଛି ଶାକ୍ତ ଗୁଣ୍ଡିଚା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ସମାପନ ପରେ ଦୁର୍ଗାମାଧବ ସୁସଜ୍ଜିତ ରଥରେ ଦୋଳମଣ୍ଡପ ସାହି ସ୍ଥିତି ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ । ଷୋଡ଼ଶ ଦିନାତ୍ମକ ପୂଜା ପ୍ରାରମ୍ଭରୁ ରୁନ୍ଧାରେ ଥିବା ଦୁର୍ଗାମାଧବ ରଥାରୂଢ଼ ହୋଇ ନାରାୟଣୀ ମନ୍ଦିରକୁ ବିଜେ କରିବା ପରେ ମନ୍ଦିରର ସେବକ ମେୱାଡ଼ ପଣ୍ଡା ଗରାବଡ଼ୁ ଓ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସୁବାସିତ ଜଳ ଓ କର୍ପୂର ଲାଗି କରାଇଥିଲେ । ମେୱାଡ଼ ପଣ୍ଡାଙ୍କ ଗୃହରୁ ଅଣାଯାଇଥିବା ଫୁଲ, ବେଲପତ୍ର ଓ ତୁଳସୀ ଦୁର୍ଗାମାଧବଙ୍କୁ ଲାଗି କରାଯାଇଥିଲା । ନାରାୟଣୀ ମନ୍ଦିରରେ ଦୁର୍ଗାମାଧବ ବିଜେ କରିବା ପରେ ପୂଜାପଣ୍ଡା ପାରମ୍ପରିକ ବିଧିବିଧାନ ଅନୁଯାୟୀ କୋରାଖଈ ଭୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଜ୍ୟେଷ୍ଠଭ୍ରାତା ବଳଭଦ୍ର ଓ ଭଗ୍ନୀ ସୁଭଦ୍ରାଙ୍କୁ ନେଇ ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ ମହାଲକ୍ଷ୍ମୀ ରୁଷ୍ଟା ହୋଇଥାନ୍ତି । ଏଥିଯୋଗୁଁ ମହାଲକ୍ଷ୍ମୀଙ୍କ ପ୍ରୀତ୍ୟାର୍ଥେ ଶ୍ରୀଜଗନ୍ନାଥ ମାଧବ ଓ ମହାଲକ୍ଷ୍ମୀ ଦୁର୍ଗା ରୂପରେ ଆଠ ପୂଜା ଅବସରରେ ନାରାୟଣୀ ମନ୍ଦିରକୁ ରଥରେ ବିଜେ କରିଥାନ୍ତି । ତେଣୁ ଏହାକୁ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ବୋଲି କୁହାଯାଇଥାଏ । ଏହି ଅବସରରେ ମେୱାଡ଼ ପଣ୍ଡାଙ୍କ ଗୃହିଣୀ ମାଣ୍ଡୁଅ ପ୍ରସ୍ତୁତ କରନ୍ତି । ସନ୍ଧ୍ୟା ଧୂପ ପରେ ମେୱାଡ଼ ପଣ୍ଡାଙ୍କ ଘରୁ ଏହି ମାଣ୍ଡୁଅ ଗରାବଡ଼ୁ ସେବକଙ୍କ ଦ୍ୱାରା ନିଆଯାଇ ଦୁର୍ଗାମାଧବଙ୍କ ଛାମୁରେ ବଢ଼ାଯାଇଥାଏ । ପୂଜାପଣ୍ଡା ଏହି ମାଣ୍ଡୁଅକୁ ପନ୍ତି ପୂଜା କରିବା ପରେ କର୍ପୂର ଆଳତି ଓ ଜନାର୍ଦ୍ଦନ ଧୂପ ଆଳତି ସମ୍ପନ୍ନ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ପରେ ବିମାନବଡ଼ୁମାନେ ନାରାୟଣୀ ମନ୍ଦିରରୁ ଦୁର୍ଗାମାଧବଙ୍କୁ ପାଲିଙ୍କିରେ ନେଇ ଭଣ୍ଡାର ଘର ଦ୍ୱାର ପାଖରେ ବିଜେ କରାଇଥାନ୍ତି । ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଏହି ଗୁପ୍ତ ଗୁଣ୍ଡିଚା ନୀତି ସମ୍ପନ୍ନ ହୋଇଥାଏ ।