୨୦ରେ ଆସୁଛନ୍ତି ମୋଦି ‘ବିମାନବନ୍ଦରରୁ  ତ୍ରିରଙ୍ଗା ଶୋ’

 ଭୁବନେଶ୍ୱର : ଆସନ୍ତା ୨୦ରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ୧ବର୍ଷ ଓ କେନ୍ଦ୍ରରେ ବିଜେପି ସରକାରର ୧୧ବର୍ଷ ପୂର୍ତ୍ତି ଅବସରରେ ମୋଦି ଭୁବନେଶ୍ୱର ଆସୁଛନ୍ତି । ବର୍ଷେ ଅବଧିରେ ଷଷ୍ଠ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବା ମୋଦିଙ୍କୁ ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ଓଡିଶା ବିକାଶ ପାଇଁ ୨୦୩୬ ରୋଡ୍ମ୍ୟାପ୍ ଘୋଷଣା ହେବ ବୋଲି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏହାସହ ସେ କହିଛନ୍ତି ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପହଞ୍ଚôବା ପରେ ବିଜୁ ପଟ୍ଟନାୟକ ଛକରୁ ଏକ ବିରାଟ ରୋଡ୍ ଶୋ ମାଧ୍ୟମରେ ଏଜି ଛକ, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନ ପର୍ଯ୍ୟନ୍ତ ପାଛୋଟି ଅଣାଯିବ । ଏ ଅବସରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ଏବଂ ପାଖାପାଖି ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ । ଏ ଅବସରରେ ପ୍ରଧାନମନ୍ତ୍ରୀ ଓଡିଶା ଭିଜନ - ୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିବେ । ବିଭିନ୍ନ ଶିଳାନ୍ୟାସ ଓ ପ୍ରକଳ୍ପଗୁଡିକୁ ଭିସି ଜରିଆରେ ଲୋକାର୍ପଣ କରିବେ । ଅପରାହ୍ନ ୪.୩୦ରେ ସେ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ ମୋଦିଜୀ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ । ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।