ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଦରଦାମ ବୃଦ୍ଧି ପ୍ରତିବାଦରେ ସୋମବାର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି। ଭୁବନେଶ୍ଵରରେ ହଜାର ହଜାର ବିଜେଡି କର୍ମୀ ଏକତ୍ର ହୋଇ ଦରଦାମ ବୃଦ୍ଧିକୁ ବିରୋଧ କରିବା ସହିତ ବିଜେପି ସରକାର ବିରୋଧରେ ନାରାବାଜି କରିଛନ୍ତି। ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଆନ୍ଦୋଳନସ୍ଥଳରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି।
ଖୋଦ ନବୀନ ଏହି ବିକ୍ଷୋଭ ସମାବେଶ ସ୍ଥଳରେ ପହଞ୍ଚି କର୍ମୀଙ୍କୁ ମନୋବଳ ବଢ଼ାଇଛନ୍ତି। ସମାବେଶ ସ୍ଥଳରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ସମାବେଶରେ ସାମିଲ ହେବା ଲାଗି ବିଭିନ୍ନ ଜିଲାରୁ ବିଜେଡି କର୍ମୀମାନେ ଆସି ଲୋୟର ପିଏମଜିଠାରେ ପହଞ୍ଚିଥିଲେ। ମାଷ୍ଟରକ୍ୟାଣ୍ଟିନଠାରୁ ଲୋୟର ପିଏମଜି ରାସ୍ତା ଲୋକାରଣ୍ୟ ହୋଇପଡ଼ିଥିଲା। ନବୀନ କହିଥିଲେ ଯେ, ବିଜେପି ସରକାର ଆସିବା ପରେ ଦରଦାମ ବଢ଼ିବାରେ ଲାଗିଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଗଲାଣି। ଡବଲ ଇଞ୍ଜିନ୍ ସରକାରର ଶାସନରେ ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଏହାର ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡି କରିଛି ବିଶାଳ ଗଣବିକ୍ଷୋଭ। ଏହି ସମାବେଶରେ ପ୍ରାୟ ୫୦ ହଜାରରୁ ଅଧିକ କର୍ମୀ ଓ ସାଧାରଣ ଲୋକ ଯୋଗଦେଇଛନ୍ତି। ଲୋୟର ପିଏମଜିର ଧାରଣା ସ୍ଥଳ ଲୋକାରଣ୍ୟ ହୋଇଛି।