ଲଢେ଼ଇ ଷ୍ଟାର୍ଟ : ନବୀନ ବିଜେଡ଼ି ବନାମ ପାଣ୍ଡିଆନ୍ ବିଜେଡ଼ି
ଭୁବନେଶ୍ୱର : ବିଜେଡ଼ି ଭାଙ୍ଗିଯିବ ନୁହେଁ, ଫାଳ ଫାଳ ହୋଇ ସାରିଲାଣି । ଗୋଟିଏ ହେଉଛି ବିଜେଡ଼ି (ନବୀନ) ଓ ଅନ୍ୟଟି ହେଉଛି ବିଜେଡ଼ି (ପାଣ୍ଡିଆନ୍) । ଅର୍ଥାତ୍ ବିଜେଡ଼ିରେ ଏବେ ନବୀନ ଓ ପାଣ୍ଡିଆନ୍ଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଭିତରେ ଭିତରେ ବଳ କଷାକଷି ବି ଚାଲିଛି । କୁହୁଳୁଥିବା ଅସନ୍ତୋଷ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେଇପାରେ । ଶୀତଳଯୁଦ୍ଧ ଖଣ୍ଡଯୁଦ୍ଧରେ ରୂପାନ୍ତରିତ ହୋଇପାରେ । ଭିକେ ପାଣ୍ଡିଆନ୍ବି ଏକଥା ଜାଣି ସାରିଲେଣି । କିନ୍ତୁ ନିଜ ଅନୁଗତଙ୍କ ଜରିଆରେ ସ୍ଥିତିକୁ ମ୍ୟାନେଜ କରିବାକୁ ଚାହୁଁଥିଲେବି ସମ୍ଭବପର ହେଉନାହିଁ । ଜଣଙ୍କ ପରେ ଜଣେ ବରିଷ୍ଠ ନେତା ପାଣ୍ଡିଆନଙ୍କୁ ସିଧା ନିଶାନା ସାଧୁଛନ୍ତି । ଗୋଠ ମାତିଲେ ଖଣ୍ଡିଆ ମାତିବା ନ୍ୟାୟରେ ଯେକୌଣସି ମୁହୂର୍ତ୍ତରେ ଶଙ୍ଖଭବନରେ ଅସନ୍ତୋଷର ଭୂକମ୍ପ ହେବାର ଆଶଙ୍କା ରହିଛି ।
ୱାକଫ ବିଲ୍କୁ ନେଇ ବିଜେଡ଼ିର ପରିବର୍ତ୍ତିତ ଆଭିମୁଖ୍ୟ ଦଳରେ କମ୍ପନ ସୃଷ୍ଟିକରିଛି । ପୂର୍ବରୁ ଥିବା ଅସନ୍ତୋଷ ଏବେ ବେଶୀ କୁହୁଳିବାରେ ଲାଗିଛି । ସାଂସଦ ଦେବାଶିଷ ସାମନ୍ତରାୟ ନାଁ ନନେଇଥିଲେବି ପାଣ୍ଡିଆନଙ୍କ ଆଡ଼କୁ ଇସାରା ଦେଇଥିଲେ । ପୂର୍ବରୁ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ଦେବାଶିଷ ପାଣ୍ଡିଆନ୍ଙ୍କ ବିରୋଧରେ ମନ୍ତବ୍ୟ ଦେବା ଛୋଟିଆ ସଂକେତ ନୁହେଁ । ବରିଷ୍ଠ ବିଜେଡ଼ି ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ଆହୁରି ପାଦେ ଆଗେଇ ଯାଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତିଯେ, ବିଜେଡ଼ି ଧର୍ମନିରପେକ୍ଷ ଦଳ । କିନ୍ତୁ ଭୋଟ୍ ଦିନ ଆଭିମୁଖ୍ୟ ବଦଳିଗଲା । ନିଷ୍ପତ୍ତି ନେବାର ଔକାତ ସସ୍ମିତ ପାତ୍ରଙ୍କର ନାହିଁ । ପାଣ୍ଡିଆନଙ୍କ ପାଇଁ ଆଜି ଦଳ ହାରିଗଲା । ଦଳ ବୁଡ଼ାଇବାରେ ସେ ହିଁ ପ୍ରମୁଖ କାରଣ । ସାରା ଓଡ଼ିଶା ଏକଥା ଜାଣିଛି । ନବୀନ ବାବୁ ଆଗକୁ ଆସିଲେ ସବୁ ଠିକ ଚାଲିବ । ପାଣ୍ଡିଆନ୍ ଏବେ ବିଜେଡ଼ି ପାଇଁ ବୋଝ ପାଲଟି ଯାଇଛନ୍ତି ବୋଲି ପ୍ରଭାତ କହିଛନ୍ତି । ପୂର୍ବରୁ ମଧ୍ୟ ଅନେକ ବରିଷ୍ଠ, ଯୁବ ଓ ଛାତ୍ରନେତାମାନେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ସେପଟେ ପାଣ୍ଡିଆନଙ୍କ ଅନୁଗତମାନେ କିନ୍ତୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ପାଣ୍ଡିଆନ୍ କିଭଳି ରାଜ୍ୟ ବିକାଶ କରୁଥିଲେ । ତାଙ୍କ ପାଇଁ ବିଜେଡ଼ି କେମିତି ମଜବୁତ୍ ହୋଇଥିଲା ସେହିକଥା ସୋସିଆଲ ମିଡ଼ିଆରେ ଲେଖୁଛନ୍ତି ।
ସେପଟେ ନବୀନ ନିବାସ ଆଗରେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ପଡ଼ିବା ଆରମ୍ଭ ହେଲାଣି । ଆଗାମୀ ଦିନରେ ବ୍ଳକ ଓ ଜିଲ୍ଲାସ୍ତରରେ ବି ଏଭଳି ବିରୋଧ ହେବବୋଲି ଜାଣିବାକୁ ମିଳିଛି ।