୫ଜି ଯୁଗରେ ନେଟୱାର୍କ ଖୋଜୁଛି ପାହାଡି ଗାଁ : ସହରୀ ଦୁନିଆ ଠାରୁ ଅପହଞ୍ଚ ଇଲାକା ଟେଂଗନାମାଲ


ସ୍ୱତନ୍ତ୍ର ପ୍ରତିନିଧି ମମତା ଦେବତା :  ଗଛ ଉପରେ ଜୀବନକୁ ବାଜି ଲଗାଇ ମୋବାଇଲରେ ନେଟୱର୍କ ଖୋଜୁଛନ୍ତି ପିଲା । କୌଣସି ଗଛ ଉପରେ କିମ୍ବା କୌଣସି ଉଚ୍ଚÿ ସ୍ଥାନକୁ ଯାଇ ମୋବାଇଲରେ ନେଟୱର୍କ ଖୋଜିବାରେ ବ୍ୟସ୍ତ ଲୋକେ । ରାଜନୀତି, କୂଟନୀତି ହେଉ ଅବା ରଣନୀତି ସବୁ କ୍ଷେତ୍ରରେ ଯଦି ଦେଖାଯାଏ ଭାରତ ଭଳି ଦେଶ ଏବେ ସାରା ବିଶ୍ୱରେ ବେଶ ଲୋକପ୍ରିୟତା ହାସଲ କରିପାରିଛି । ହେଲେ ଆଜିବି ଓଡିଶା ଭଳି ପ୍ରଗତିଶୀଳ ରାଜ୍ୟରେ ଅନେକ ଗାଁ ରହିଛି ଯେଉଁଠି ମୋବାଇଲରେ କଥା ହେବା ଏକ ବଡ଼ କଷ୍ଟକର ବ୍ୟାପାର ମନେହୁଏ । ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ସେବାରୁ ବଞ୍ଚିତ ଅଛନ୍ତି ଲଖନପୁର ବ୍ଲକ ମଚିଦା ପଞ୍ଚାୟତ ଟେଂଗେନମାଲ ଗାଁର ଲୋକେ । ଏହି ଗାଁଟି ଝାରସୁଗୁଡା ସୁନ୍ଦରଗଡ଼ ସୀମାରେ ରହିଛି । ଯୋଗାଯୋଗ ଓ ଟେଲିକମ କ୍ଷେତ୍ରରେ ଆଜି ୬ଜି ଯୁଗରେ ପାଦ ଥାପିଲାଣି ଭାରତ, କିନ୍ତୁ ଏକଥା ଭାବି ଆଶ୍ଚର୍ଯ୍ୟ ଲାଗେ ଯେ ଲୋକେ ଏବେ ବି ମୋବାଇଲରେ କଥା ହେବା ପାଇଁ ସୁଦୂର ପାହାଡ଼ କିମ୍ବା ଗଛ ଉପରକୁ ଯାଉଛନ୍ତି । ଗତ କିଛି ଦିନ ତଳେ ଝାରସୁଗୁଡାର ଜଣେ ଯବାନ ଦେବରାଜ ଗଣ୍ଡଙ୍କ କଥା ଆପଣମାନେ ଜାଣିଥିବେ ନିଶ୍ଚୟ, ନିଜର ଦେଶପ୍ରେମ ଓ କର୍ତ୍ତବ୍ୟ ପାଇଁ ସେ କିପରି ସବୁକିଛି ତୁଛ କରି କର୍ମ କ୍ଷେତ୍ରକୁ ଯାଇଥିଲେ । ଏମିତିକି ନିଜ ରୋଗୀଣା ସ୍ତ୍ରୀକୁ ସବୁଦିନ ପାଇଁ ହରାଇଥିଲେ । ହଁ ଯବାନ ଦେବରାଜ ଗଣ୍ଡଙ୍କ ଜନ୍ମ ମାଟି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମଚିଦା ପଞ୍ଚାୟତ ଟେଂଗନାମାଲ ଗାଁରେ ଆଜି ବି ଲୋକଙ୍କୁ ମିଳିପାରୁନି ମୋବାଇଲ ନେଟୱର୍କ ସେବା । ମୋବାଇଲ ସେବାରୁ ବଞ୍ଚିତ ହେଉଛନ୍ତି ପୁରା ଗାଁର ଲୋକେ ।  ଆଧୁନିକ ଯୁଗରେ ଯେଉଁଠି ପ୍ରତ୍ୟେକ କାମ ପାଇଁ ଇଣ୍ଟରନେଟର ବ୍ୟବହାର କରାଯାଉଛି ସେଇଠି ଇଣ୍ଟରନେଟ ସେବା ତ ଦୂର ର କଥା ନେଟୱର୍କ ପାଇଁ ଗଛ କିମ୍ବା ଛାତ ଉପରେ ଚଢିଥାନ୍ତି ଗାଁ ଲୋକେ । ଏହି ଗାଁ ରେ ପାଖାପାଖି ୪ ଶହ ୫୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି, ଯେଉଁଠି ଛାତ୍ରଛାତ୍ରୀ ଆଜିର ଆଧୁନିକ ଯୁଗରେ ଅନଲାଇନ ପାଠ ପଢ଼ା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଗାଁ ରେ କିଛି କିଛି ପଏଣ୍ଟ ରହିଛି ଯେଉଁଠି ନେଟୱର୍କ କାଁ ଭାଁ ଆସୁଛି, ଆଉ ସେଇଠି ସମସ୍ତଙ୍କ ଭିଡ଼ ଜମୁଛି । 
ଖାଲି ସେତିକି ନୁହେଁ, ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ ସେବା ପାଇଁ ଫୋନ କରିବାକୁ ହେଲେ ମୋବାଇଲ ନେଟୱର୍କ ପାଇଁ ତାହା ମଧ୍ୟ ସମ୍ଭବ ହୋଇ ନଥାଏ ବୋଲି ଗାଁର ଯୁବକ ମାନେ ଅଭିଯୋଗ କରିଛନ୍ତି । ରୋଗୀ ମେଡିକାଲ ଯିବା ଦୂରରେ ଥାଉ ଆମ୍ବୁଲାନ୍ସ କୁ ଫୋନ ଯୋଗେ ଯୋଗାଯୋଗ ଏଠାକାର ଲୋକଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ମନେ ହୁଏ । ତେବେ ଏଭଳି ସମସ୍ୟା ଭିତରେ ଜୁଝୁଥିବା ଲୋକମାନେ ନିର୍ବାଚନ ସମୟରେ ଭୋଟ ତ ଦିଅନ୍ତି ହେଲେ ସେମାନଙ୍କ ଭୋଟ କେବଳ ସରକାର ଗଢିବାରେ ସହାୟକ ହୁଏ, କିନ୍ତୁ ସେମାନଙ୍କ ସମସ୍ୟା ଆଜି ବି ସେମିତି ଅଛି ଯେମିତି କାଲି ଥିଲା । ଗାଁ ଲୋକମାନେ କୌଣସି ଡିଜିଟାଲ ସମ୍ଭନ୍ଧୀୟ କାମ ପାଇଁ ପାଖ ମହାସିଂ କିମ୍ବା ପଞ୍ଚଗାଁ ଯିବାକୁ ପଡିଥାଏ । ତେବେ ପୂର୍ବତନ ସମିତି ସଭ୍ୟ ନରେନ ଗର୍ତିଆ ଏବଂ ଛାତ୍ରଛାତ୍ରୀ ମାନେ ଗାଁ ରେ ଏକ ମୋବାଇଲ ଟାୱାର ବସେଇବା ପାଇଁ ଅନୁରୋଧ କରିଛନ୍ତି । ନୂଆ ସରକାର ଆସିବା ପରେ ଲୋକେ ଏବେ ଆଶା ବାନ୍ଧି ବସିଛନ୍ତି, କାଳେ ସେମାନଙ୍କ ଅଞ୍ଚଳରେ ସରକାରଙ୍କ କୃପାଦୃଷ୍ଟି ପଡିବ ଏବଂ ବହୁ ବର୍ଷରୁ ଲାଗି ରହିଥିବା ମୋବାଇଲ ନେଟୱର୍କ ସେବାର ଅସୁବିଧା ସମାଧାନ ହେବ । ତେବେ ଆଗକୁ ଦେଖିବାକୁ ବାକି ରହିଲା ଏହି ସମସ୍ୟା ଆଗକୁ କିଭଳି ସମାଧାନ ହେଉଛି, ନା ସେମିତି ପ୍ରତିଶୃତିର ପୋଥି ଭିତରେ ଲୁଚି ଯାଉଛି ।