ଭୀମ ଆର୍ମି ପକ୍ଷରୁ ଭୀମ ପାଠଶାଳା ଉଦ୍ଘାଟିତ
ଯାଜପୁର : ଶିକ୍ଷା ଏମିତି ଏକ ସିଂହୀର କ୍ଷୀର ଯିଏ ପିଇବ ସିଏ ଗର୍ଜ୍ଜନ କରିବ । ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଏହି ଉକ୍ତିକୁ ଆଧାର କରି ଭୀମ ଆର୍ମି ଭାରତ ଏକତା ମିଶନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଭୀମ ପାଠଶାଳା ଖୋଲା ଯାଉଛି । ଯାଜପୁର ଜିଲ୍ଲା ତରଫରୁ ସିମିଳିଆ ପଞ୍ଚାୟତ ଅଧୀନ ସଠିଆଟିକିରି ଗ୍ରାମରେ ମଧ୍ୟ ଭୀମ ପାଠଶାଳା ଉଦ୍ଘାଟିତ ହୋଇଛି । ଗରିବ ଦଳିତ ଛାତ୍ରଛାତ୍ରୀଙ୍କୁ ମାଗଣା ଓ ଗୁଣାତ୍ମକ ଶିକ୍ଷା ଦେବାରେ ଏହି ପାଠଶାଳା ସହାୟକ ହେବ ବୋଲି ମୁଖ୍ୟଅତିଥି ଭାବେ ଭୀମ ଆର୍ମିର ରାଜ୍ୟ ସଭାପତି ଲଙ୍କେଶ ରାବଣ ମତ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଭାରୀ ମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବେ ଡାକ୍ତର ରତ୍ନାକର ସେଠୀ ରାତିରେ ଦୁଇଟି ରୁଟି କମ୍ ଖାଇକି ସବୁ ପିଲାଙ୍କୁ ଶିକ୍ଷା ଦେବାକୁ ଅଭିଭାବକଙ୍କୁ ନିବେଦନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଚିବ ଭୈରବ ବେହେରା ଶିକ୍ଷାର ଘରୋଇକରଣ ରୋକିବା ସହ ଶିକ୍ଷା ଅଧିକାର ଆଇନ-୨୦୦୯କୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଉପସଭାପତି କଳ୍ପତରୁ ବେହେରା, ଯାଜପୁର ଜିଲ୍ଲା ସଭାପତି ତରଣୀ ମଲିକ, ଉପସଭାପତି ଜଗବନ୍ଧୁ ମଲିକ, ସଚିବ ବିନୋଦ ଜେନା, ସଂଯୋଜକ ହରିହର ମଲିକ, ସୁରେଶ ମଲିକ, ମହେଶ୍ୱର ମୁଣ୍ଡା, ଯୁୁଗ୍ମ ସଚିବ କିଶାନ ପୂର୍ତୀ, ଜଗବନ୍ଧୁ ବେହେରା, ଅକ୍ଷୟ କାଣ୍ଡି, ତପନ ସେଠୀ, ପଦ୍ମନାଭ ଜେନା, ମିଟୁ ମୁନ୍ଦୁୟା ତଥା ଜିଲାର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।