ହାଜର ନୋଟିସ ପରେ ମାଙ୍କେଡିଆ ବସ୍ତିରେ ଉତ୍ତେଜନା

 କାଳିଆପାଣି: ଜବରଦଖଲ କରି ସରକାରୀ ଜମିରେ ଘର କରି ରହୁଥିବା ମାଙ୍କେଡ଼ିଆ ବସ୍ତିର କିଛି ଲୋକଙ୍କୁ ସୁକିନ୍ଦା ତହସିଲ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ବସ୍ତିରେ ଉତ୍ତେଜନା ଦେଖାଦେଇଛି । କାଳିଆପାଣି ଖଣି ଅଞ୍ଚଳରେ ଜଙ୍ଗଲ କିସମ ଜମିକୁ ଅନେକ ଲୋକ ବେଆଇନ ଭାବେ ଦୀର୍ଘ ବର୍ଷରୁ ଅଧିକାର କରି ରଖିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ଜଙ୍ଗଲ କିସମ ଜମି ଉପରେ ବିନା ଅନୁମତିରେ ଅନେକ ଲୋକ କୋଠାବାଡି ନିର୍ମାଣ କରିଚାଲିଛନ୍ତି । ଏହାକୁ ଭିତ୍ତିକରି ସୁକିନ୍ଦା ତହସିଲ ବର୍ତ୍ତମାନ ତତ୍ପର ହୋଇଉଠିଛି । ସପ୍ତାହ ପୂର୍ବରୁ କିଛି ଜବରଦଖଲ କାରୀଙ୍କୁ ସପ୍ତାହ ମଧ୍ୟରେ ସୁକିନ୍ଦା ତହସିଲଦାରଙ୍କ ନିକଟରେ ହାଜର ହେବାକୁ ନିର୍ଦେଶ ଜାରି କରାଯାଇଛି । ଏହାକୁ ନେଇ ଖଣି ଅଞ୍ଚଳ ମାଙ୍କିଡିଆ ବସ୍ତିରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ବସ୍ତିର ପ୍ରାୟ ୭ ଜଣଙ୍କୁ ହାଜର ନୋଟିସ ଜାରି ହୋଇଥିଲା ବେଳେ ଆଜି ସକାଳୁ ପ୍ରାୟ ଦୁଇଶହ ଲୋକ ମାଙ୍କିଡିଆ ବସ୍ତିରେ ଏକତ୍ରିତ ହୋଇ ଏଥିପ୍ରତି ଘୋର ଉଦବେଗ ପ୍ରକାଶ କରିଥିଲେ । ସୁକିନ୍ଦା ତହସିଲରୁ ପକ୍ଷଭୁକ୍ତ ମାନେ ଫେରିଲା ପରେ ଏସମ୍ବନ୍ଧରେ ପୁନଃ ବିଚାର ଆଲୋଚନା କରାଯିବାକୁ ସ୍ଥିର ହୋଇଥିବାର ଖବର ମିଳିଛି । ଦୀର୍ଘ ବର୍ଷଧରି ବିନା ପ୍ରତିବନ୍ଧକରେ ମାଙ୍କେଡ଼ିଆ ରହି ଆସୁଥିବାରୁ ଏବେ ଘର ଖାଲି କରିବାକୁ ବିକଳ୍ପ ପନ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଅନ୍ୟ ପକ୍ଷରେ ଗରିବ ଆଦିବାସୀ ମାଙ୍କେଡିଆ ଗୋଟିଏ ଚାଳଛପର କରି ଗୋଟିଏ କୁଡ଼ିଆରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଅନେକ ସମସ୍ୟା ଘେରରେ । ଜବର୍ ଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ସରକାର ନେଇଥିବା ନିଷ୍ପତି ଆଦିବାସୀ ବିରୋଧୀ ବୋଲି କହିଛନ୍ତି ମାଙ୍କେଡିଆ ବସ୍ତିବାସିନ୍ଦା । ଅନେକ ମୁଷ୍ଟିମେୟ ଖଣି ଅଞ୍ଚଳରେ ଏକର ଏକର ଜମି ଜବରଦଖଲ କରି କୋଠା ଉପରେ ଉପରେ କୋଠା ତିଆରି କରି ବିଳାସପୂର୍ଣ୍ଣରେ ଜୀବନଯାପନ କରୁଛନ୍ତି । ହେଲେ ତାଙ୍କ ଜବରଦଖଲ ଉପରେ କାହାର ନଜର ପଡୁନଥିବା ବେଳେ ଆଦିବାସୀଙ୍କ ଉପରେ ନଜର ପଡ଼ିବାକୁ ସେମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।