ପୋତା ପଡ଼ୁଛି ଶାନ୍ତିବଜାର-ଭବାନୀପୁର ସବ୍ ମାଇନର କେନାଲ ଚାଷୀଙ୍କୁ ଭୂଅାଁ ବୁଲାଉଛି ଜଳସଂପଦ ବିଭାଗ
ାା ପ୍ରଭାନୁ୍ୟଜାା ଧର୍ମଶାଳା: ଚାଷୀଙ୍କୁ କିଭଳି ଭୂଅାଁ ବୁଲାଇ ହେବ, ତାହା ଜଳ ସଂପଦ ବିଭାଗକୁ ବେଶ ଭଲ ଭାବେ ଜଣା । ବର୍ଷା ଦିନ ପୂର୍ବରୁ ବିଭିନ୍ନ କେନାଲ ଏବଂ ଶାଖା କେନାଲ ସଫେଇ ନିମନ୍ତେ ଲକ୍ଷଲକ୍ଷ ଟଙ୍କାର ବିଲ୍ କରୁଥିବା ବିଭାଗ ଚାଷୀଙ୍କ ସ୍ୱାର୍ଥକୁ କିନ୍ତୁ ପୁରାପୁରି ଭୁଲିଯାଇଛି । ଯାହା ଫଳରେ ଗୋଟେ ପଟେ ଚାଷୀ କେନାଲ ପାଣିକୁ ଅନାଇ ଅନାଇ ଦିନ ଗଡ଼ାଉଥିବା ବେଳେ ବିଭାଗ ବର୍ଷାକୁ ଅପେକ୍ଷା କରି ଦିନ ଗଡ଼ାଇ ଚାଲୁଛି । ପୋତା ପଡ଼ିଥିବା କେନାଲ ସଫେଇକୁ ଏଡ଼ାଇ ଯାଉଥିବା ବିଭାଗ ଚାଷୀଙ୍କୁ ଭୂଅାଁ ବୁଲାଇବାରେ ଲାଗିଥିବାର ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଶାନ୍ତବଜାର-ଭବାନୀପୁର ସବ ମାଇନର କେନାଲ ପୋତା ପଡ଼ିବାକୁ ନେଇ ହୋଇଛି । ଧର୍ମଶାଳା ବ୍ଲକର ଭବାନୀପୁର ପଞ୍ଚାୟତର ସମସ୍ତ ପରିବାର ଚାଷ ଉପରେ ନିର୍ଭର କରିଥାନ୍ତି । ଆଉ ସେମାନଙ୍କ ପାଇଁ କେନାଲ ପାଣି ହିଁ ବିଶେଷ ଭରସା ହୋଇଥାଏ । ହେଲେ ଶାନ୍ତିବଜାର ଠାରୁ ଭବାନୀପୁର ପର୍ଯ୍ୟନ୍ତ ଯାଇଥିବା ସବ୍ମାଇନର କେନାଲ ଦୀର୍ଘ ଦିନ ହେବ ପୋତାପଡ଼ିଛି । ପ୍ରତ୍ୟେକ ବର୍ଷ ଏହା ସଫା ହେବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ ବିଗତ ସରକାର ସମୟରୁ ଠିକାଦାର ଅନୁଦାନକୁ ଗିଳି ଦେଇ ଚାଲିଛନ୍ତି । ଗରିବ ଚାଷୀମାନେ ଅଭିଯୋଗ କଲେ ତମର ରାସନ କାର୍ଡ କାଟି ଦେବୁ ବୋଲି ଧମକ ଦେଇଥାନ୍ତି ବୋଲି ହୁଏ ଅଭିଯୋଗ । ଚଳିତ ବର୍ଷ ଏହି ବ୍ଲକ୍ ଅନ୍ତର୍ଗତ ଅନେକ ସ୍ଥାନରେ ପାଣି ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ୱ ଓ ବାଧାପ୍ରାପ୍ତ ହୋଇଥିବାରୁ ଗତ୧୫ ତାରିଖରେ ହାଇଲେବଲ୍ ୧୪ନମ୍ବର କେନାଲରେ ପାଣି ଛଡ଼ାଗଲାଣି । ଜୁଲାଇ ମାସ ସରିବାକୁ ବସିଲାଣି । ଭବାନୀପୁରକୁ ଯାଇଥିବା ଶାଖା କେନାଲ ଏପର୍ଯ୍ୟନ୍ତ ସଫା ହୋଇନାହିଁ । ସଫା ହେଲେ ମଧ୍ୟ ଏହା ଚୋରମୁହାଁ ଗ୍ରାମ ପର୍ଯ୍ୟନ୍ତ ଯାଇଥାଏ । କୋଉଠି କେନାଲ ବନ୍ଧ ଭାଙ୍ଗି ଗଲାଣିତ ଆଉ କୋଉଠି ସଫା ହୋଇ ପାରିନାହିଁ । ଏହାମଧ୍ୟରୁ ଶାନ୍ତି ବଜାର ଠାରୁ ଭବାନୀପୁର ପର୍ଯ୍ୟନ୍ତ ଯାଇଥିବା ସବ ମାଇନର କେନାଲର ଅବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏହି କେନାଲର ଶେଷ ସୀମା ପର୍ଯ୍ୟନ୍ତ ଦୀର୍ଘଦିନ ହେବ ପାଣି ପହଁଚି ପାରୁନି ମାନେ ଅଧାରେ ଅଟକି ରହୁଛି । ଏହି ସ୍ଥାନରେ ଶହଶହ ଏକର ଚାଷ ଜମି ରହିଛି ଓ ଅନେକ ଚାଷୀ ପ୍ରତିବର୍ଷ ଜଳକର ଦେଉଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ନୂତନ ସରକାର ଦୃଷ୍ଟି ଦେବାକୁ ଚାଷୀ ମହଲରୁ ଦାବି କରାଯାଇଛି ।