ବଳରାମ ପ୍ରସାଦରେ ହେବ ତାଳଚେର ନର୍ସିଂ କଲେଜ

 ତାଳଚେର:  ରାଜ୍ୟ ସରକାରଙ୍କ ଚିଠି ନଂ- ୧୪୧୭ ତା ୨୪/୦୭/୨୦୨୩ରେ ତାଳଚେର ତହସିଲଦାରଙ୍କୁ ନର୍ସିଂ କଲେଜ ପାଇଁ ତାଳଚେର ଅଞ୍ଚଳରେ ୫ଏକର ସରକାରୀ ଜମି ଯୋଗାଇ ଦେବା ନେଇ ନିଦେ୍ର୍ଦଶ ଦେଇଥିଲେ । ଏହି ଚିଠିଟି ୨୪/୦୭/୨୦୨୩ ମସିହାରେ ଅର୍ଥାତ୍ ଆଜକୁ ଦେଢ଼ବର୍ଷରୁ ଊଦ୍ଧ୍ୱର୍ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଳଚେର ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ପାଇଁ ଜମି ନ ଥିବା ଦର୍ଶାଇ ଚୁପ୍ ହୋଇ ବସିପଡ଼ିଥିଲେ । ଏହାପରେ କିଛି ଗଣମାଧ୍ୟମ ପ୍ରତିନିଧି ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ହେଁ ଫଳ କିଛି ନ ମିଳିବାରୁ ତାଳଚେରର ସମାଜସେବୀ ତଥା ଅଲ୍ ଓଡ଼ିଶା ହୁ୍ୟମନରାଇଟସ୍ ସଭାପତି ଦେବେନ୍ଦ୍ର ସିଂହ ନୂତନ ଭାବେ ଯୋଗ ଦେଇଥିବା ତାଳଚେର ଉପଜିଲ୍ଲାପାଳ ସମୀର ଜେନାଙ୍କୁ ଏହାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହି ସମୟରେ ଉପଜିଲ୍ଲାପାଳ ଏହି କଲେଜଟି ତାଳଚେର ଅଞ୍ଚଳରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହି ଖବର ପ୍ରକାଶିତ ହେବା ପରେ ତାଳଚେର ଅଞ୍ଚଳରେ ଏକ ଖୁସିର ମାହୋଲ ଖେଳାଇ ଦେଇଥିଲା । କିନ୍ତୁ କ’ଣ ହେଲା କେଜାଣି ହଠାତ୍ ଏହାକୁ ତାଳଚେର ବଳରାମ ପ୍ରସାଦ ଠାରେ ନିର୍ମାଣ କରାଯିବା ନେଇ ଶୁଣାଯାଉଛି । ଏଠାରେ ପ୍ରଶ୍ନ ଉଠେ, ତାଳଚେର ଭୌଗଳିକ ମାନଚିତ୍ରରେ ବଳରାମ ପ୍ରସାଦ କେଉଁଠାରେ ରହିଛି ବୋଲି ଏବେ ତାଳଚେର ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ କିଛି ବୁଦ୍ଧିଜୀବୀ ମ୍ୟାପ୍କୁ ତନତନ କରି ଖୋଜିବା ଆରମ୍ଭ କରି ଦେଇଥିଲେ ମଧ୍ୟ ପାଇନଥିବା ଜଣାପଡ଼ିଛି । ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ହଜାର ହଜାର କୋଟିଟଙ୍କା ରାଜସ୍ୱ ନେଉଥିଲେ ମଧ୍ୟ ତାଳଚେର ପ୍ରତି କାହିଁକି ସବୁ କ୍ଷେତ୍ରରେ ବୈମାତୃକ ମନଭାବ ପୋଷଣ କରୁଛନ୍ତି ଏହା ତାଳଚେର ପାଇଁ ଦୁର୍ଭାଗ୍ୟଜନକ ନୁହେଁ ତ ଆଉ କ’ଣ? ତେଣୁ ନୂତନ ଭାବେ କେନ୍ଦ୍ରସରକାରଙ୍କ ଢ଼େଙ୍କାନାଳ ସାଂସଦ ହୋଇଥିବା ରୁଦ୍ରନାରାୟଣ ପାଣି ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ତାଳଚେର ପୌରପରିଷଦ ମଧ୍ୟରେ ଯଦି ଏହି କଲେଜଟି ନ ହୋଇ ପାରିଲା, ତେବେ ତାଳଚେରର ନିକଟବର୍ତ୍ତୀ ପଞ୍ଚାୟତ ତଥା କଣ୍ଢାଳ, ଧରମପୁର, କଙ୍କିଳି ଯେଉଁଠିକି ଯୋଗାଯୋଗ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି ସେହି ସ୍ଥାନରେ ଉକ୍ତ କଲେଜ ନ କରି ଅନୁଗୋଳ ଜିଲ୍ଲାର ବଳରାମ ପ୍ରସାଦ ଠାରେ ନିର୍ମାଣ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏଥିନେଇ ତାଳଚେରବାସୀ ମର୍ମାହତ ହେବା ସହିତ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ।