ଅପରେସନ୍ ମହାଦେବ : ଆତଙ୍କବାଦୀ ମୂଷା ନିପାତ


ନୂଆଦିଲ୍ଲୀ: ଗୋଟିଏ ପଟେ ସଂସଦରେ ପହଲଗାମ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ନେଇ ସରଗରମ ଚର୍ଚ୍ଚା ଚାଲିଥିବାବେଳେ ଅପରପକ୍ଷରେ ଯବାନମାନେ ପହଲଗାମର ମାଷ୍ଟରମାଇଣ୍ଡ ତଥା ଲସ୍କର କମାଣ୍ଡର ସୁଲେମାନ୍ ଶାହ ଓରଫ ହାସିମ୍ ମୂଷାକୁ ସଫା କରିଦେଇଛନ୍ତି  । ମୂଷା ସମେତ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି  । 
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ସାଧାରଣ ଲୋକଙ୍କ ମୃତୁ୍ୟ ହୋଇଥିଲା  । ଧର୍ମ ପଚାରି ସେମାନେ ହତ୍ୟା କରିଥିଲେ  । ଏହାର ମାଷ୍ଟରମାଇଣ୍ଡ ଥିଲା ହାସିମ୍ ମୂଷା  । ଖାଲି ସେତିକିନୁହେଁ ଗତବର୍ଷ ଶ୍ରୀନଗର-ସୋନମାର୍ଗର ନିର୍ମାଣାଧିନ ଜେଡ଼-ମୋର ଟନେଲରେ ବି ସେ ୭ ଜଣଙ୍କୁ ହତ୍ୟା କରିଥିଲା  । 
ମୂଷାକୁ ନିପାତ କରିବା ପାଇଁ ଭାରତୀୟ ସେନା ପକ୍ଷରୁ କରାଯାଇଥିଲା ଅପରେସନ୍ ମହାଦେବ  । ଆର୍ମି ଓ ଜାମ୍ମୁକାଶ୍ମୀର ପୁଲିସର ମିଳିତ ଟିମ୍ ପକ୍ଷରୁ ଏହି ଅପରେସନ୍ ହୋଇଥିଲା  । ଶ୍ରୀନଗର ନିକଟରେ ଥିବା ମାଉଣ୍ଟ ମହାଦେବର ଦାଚିଗାମ ଅଞ୍ଚଳରେ ସେମାନେ ଲୁଚିଥିବା ଖବର ମିଳିଥିଲା  । ପରେ ସେଠାରେ ଆର୍ମି ଓ ଜାମ୍ମୁକାଶ୍ମୀର ପୁଲିସ୍ ଅପରେସନ୍ ଚଳାଇବା ସହ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ  । ଆତଙ୍କବାଦୀ ଲୁଚିଥିବା ସ୍ଥାନରୁ ୧୭ ଗ୍ରେନେଡ଼, ଏମ-୪ କାର୍ବାଇନ୍ ଓ ଦୁଇଟି ଏକେ-୪୭ ଉଦ୍ଧାର କରାଯାଇଛି  । କେମିତି ହୋଇଥିଲା ଅପରେସନ୍ ? ଜୁଲାଇ ପ୍ରାରମ୍ଭରେ ଦାଚିଗାମ ଜଙ୍ଗଲରେ ଲସ୍କର ଓ ଜୈସ ଆତଙ୍କବାଦୀ ରହିଥିବା ନେଇ ଆର୍ମି ଖବର ପାଇଥିଲା  । ଗତ ୧୪ ଦିନ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା  । ଦୁଇଦିନ ତଳେ ସେମାନେ ଲୁଚିଥିବା ସ୍ଥାନ ସମ୍ପର୍କରେ ସାଟେଲାଇଟରୁ ଜଣାପଡ଼ିଥିଲା  । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆଜି ଦିନ ସାଢ଼େ ୧୧ଟାରେ ୨୪ ରାଷ୍ଟ୍ରୀୟ ରାଇଫଲ, ୪ ପାରା ଟିମ୍ ସେହି ସ୍ଥାନକୁ ଯାଇଥିଲେ  । ପରେ ଏନକାଉଣ୍ଟର କରାଯାଇଥିଲା  । ଗତ ମାସରେ ଏନଆଇଏ ପହଲଗାମ ଆକ୍ରମଣରେ ସଂପୃକ୍ତ ପରଭୈଜ ଅହମ୍ମଦ ଜୋଥାର ଓ ବାସିର ଅହମ୍ମଦଙ୍କୁ ଗିରଫ କରିଥିଲା  ।...