୨୮ ଓ ୨୯ରେ ‘ଅପରେସନ୍ ସିନ୍ଦୁର’ ଆଲୋଚନା
ନୂଆଦିଲ୍ଲୀ : ଆସନ୍ତା ୨୮ ଓ ୨୯ରେ ସଂସଦରେ ଅପରେସନ୍ ସିନ୍ଦୁର ଆଲୋଚନା ହେବ । ସଂସଦର କାର୍ଯ୍ୟ ପରାମର୍ଶଦାତା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୩୨ ଘଣ୍ଟା ଧରି ଏନେଇ ଆଲୋଚନା କରାଯିବ । ଗତ ଜୁଲାଇ ୨୧ରୁ ସଂସଦରେ ବିରୋଧୀ ଦଳଗୁଡ଼ିକ ଏହି ଦାବି ନେଇ ଅଡ଼ିବସିଥିଲେ । ପଞ୍ଚମ ଦିନ ପାଇଁ ସଂସଦର କାର୍ଯ୍ୟକାଳ ଧୋଇ ହୋଇଯିବାରୁ ଆଜି କାର୍ଯ୍ୟ ପରାମର୍ଶଦାତା ବୈଠକ ବସିଥିଲା । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜଜୁ କହିଥିଲେଯେ, ଆସନ୍ତା ୨୮ ଓ ୨୯ରେ ସଂସଦରେ ଅପରେସନ୍ ସିନ୍ଦୁର ପ୍ରସଙ୍ଗରେ ଆଲୋଚନା ହେବ । ଉଭୟ ଶାସକ ଓ ବିରୋଧୀଙ୍କୁ ୧୬ ଘଣ୍ଟା ଲେଖାଏଁ ଆଲୋଚନାର ସୁଯୋଗ ମିଳିବ । ସୋମବାର ଲୋକସଭାରେ ଓ ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା ହେବ । ଉଭୟ ସଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିତର୍କରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।