ରୁଷ-ୟୁକ୍ରେନ ଯୁଦ୍ଧକୁ ତିନି ବର୍ଷ
ରୁଷ-ୟୁକ୍ରେନ ଯୁଦ୍ଧ ତିିନି ବର୍ଷ ପୂରିଯାଇଥିବାବେଳେ କେବେ ଏହାର ଅନ୍ତଘଟିବ ଏହି କହିବା ମୁସ୍କିଲ । ନିଜ ଭୂଖଣ୍ଡର ସୁରକ୍ଷା ପାଇଁ ଏବଂ ଆତ୍ମ ସମ୍ମାନ ସୁରକ୍ଷା ପାଇଁ ଏହି ଯୁଦ୍ଧ ଲାଗିଛି । ଯୁଦ୍ଧରେ ପ୍ରାୟ ୧ନିୟତରୁ ଊଦ୍ଧ୍ୱର୍ ନିହତ ଓ ଆହତ ହୋଇଥିବାବେଳେ ଏକଦା ବିଶ୍ୱର ସବୁଠୁ ସୌନ୍ଦର୍ଯ୍ୟମୟୀ ନଗର ଭାବେ ପରିଚିତ ଥିବା ୟୁକ୍ରେନର ରାଜଧାନୀ କିଭ୍ ଏବେ ଶ୍ରୀହୀନ ହୋଇ ଯାଇଛି । କେବଳ ଏତିକି ନୁହେଁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ୟୁରୋପ ମହାଦେଶର ସବୁଠାରୁ ରକ୍ତପାତର ଲଢେଇ । ରୁଷର ଅହରହ ଆକାଶମାର୍ଗରୁ ବୋମାମାଡ ଏବଂ ଡ୍ରୋନ ଆକ୍ରମଣରେ ଯୁକ୍ରେନର ବହୁ ସହର କ୍ଷତିଗ୍ରସ୍ତ ହୋଇଛି । ଲକ୍ଷ ଲକ୍ଷ ଲୋକ ଯେଉଁମାନଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି, ମୃତୁ୍ୟବରଣ କରିସାରିଲେଣି । ହଜାର ହଜାର ୟୁକ୍ରେନବାସୀ ଦେଶ ଛାଡି ପଡୋଶୀ ଦେଶଗୁଡିକ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି । ରୁଷ ଆକ୍ରମଣରୁ ୟୁକ୍ରେନର ହସ୍ପିଟାଲ ଓ ସ୍କୁଲଗୁଡିକ ମଧ୍ୟ ବାଦ ପଡିନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଆଣବିକ ଶକ୍ତିର ଅଧିକାରୀ ରୁଷ ବାରମ୍ବାର ଆଣବିକ ଆକ୍ରମଣ ଧମକ ଦେଇଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଆଣବିକ ଯୁଦ୍ଧ କରିନାହିଁ । ସେହିପରି ରୁଷର ଶକ୍ତି, ସାମର୍ଥ୍ୟ ତୁଳନାରେ ଯୁକ୍ରେନ ସମ୍ପୂର୍ଣ୍ଣ ନଗଣ୍ୟ ଥିବାବେଳେ ଆମେରିକାର ଆର୍ଥôକ ସହାୟତା ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକର ସମର୍ଥନରେ ଦୀର୍ଘ ୩ବର୍ଷ ବୃହତ ସାମରିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ରୁଷ ସହ ଲଢେଇ କରି ଆସିଛି । ନିକଟରେ ଆମେରିକାରେ କ୍ଷମତା ପରିବର୍ତ୍ତନ ପରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୟୁକ୍ରେନକୁ ସମସ୍ତ ସାମରିକ ଓ ଆର୍ଥôକ ସହାୟତା ବନ୍ଦ କରିବାକୁ ଘୋଷଣା କରିଛନ୍ତି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡିକ ସହ ଏକ ପ୍ରକାର ସମ୍ପର୍କ ଛିନ୍ନ କରିବା ଚେତାବନୀ ଦେଇଛନ୍ତି । ଯାହାକି ଯୁକ୍ରେନର ପରାଜୟକୁ ଏକ ପ୍ରକାର ସୁନିଶ୍ଚିତ କରିଦେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଏହା ସତ୍ୟ ଯେ, ରୁଷ-ଯୁକ୍ରେନ ମଧ୍ୟରେ ଗଭୀର ଧାର୍ମିକ, ଜାତିଗତ, ସାଂସ୍କୃତିକ ସମ୍ପର୍କ ରହିଛି । ନବେଦଶକ ପୂର୍ବରୁ ଯୁକ୍ରେନ ସୋଭିଏତ ୟୁନିୟନର ଅଂଶ ବିଶେଷ ଥିଲା । ସୋଭିଏତ ୟୁନିୟନର ବିଲୟ ପରେ ଯୁକ୍ରେନ ଏକ ସ୍ୱାଧୀନ ଓ ସାର୍ବଭୌମତ୍ୱ ରାଷ୍ଟ୍ର ଭାବେ ଘୋଷଣା କରିଥିଲା । ମାତ୍ର ଯୁକ୍ରେନ ଏକ ସ୍ୱାଧୀନ ଓ ସାର୍ବଭୌମତ୍ୱ ରାଷ୍ଟ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁ ଏହା ରୁଷ ଚାହେଁ ନାହିଁ । ଏବେ ଆମେରିକା ୟୁକ୍ରେନର ହାତ ଛାଡିଦେଇଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡିକ ମଧ୍ୟରେ ବିଭେଦ ଦେଖାଦେଇଛି । ଯୁକ୍ତରାଷ୍ଟ୍ର ଆମେରିକା ଯେ କି ୟୁକ୍ରେନର ପ୍ରତିରକ୍ଷା ଉପରେ ବିପୁଳ ସମ୍ବଳ ଦେଇଥିବା ବେଳେ ଆନ୍ତର୍ଜାତିକ ସମର୍ଥନ ପାଇଁ ଉଦ୍ୟମ ଜାରି ରଖିଥିଲା କିନ୍ତୁ ୱାଂଶିଟନରେ କ୍ଷମତା ପରିବର୍ତ୍ତନ ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପ୍ରଶାସନ ତା’ର ଆଭିମୁଖ୍ୟ ପରିବର୍ତ୍ତନ କରିଛି । ଉଲ୍ଳେଖଯୋଗ୍ୟ ଯେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ବାଇଡେନଙ୍କ ରାଷ୍ଟ୍ରପତିତ୍ୱ କାଳରେ ଆମେରିକା ଏକଦା ଲଢୁଆ ବୀର ଭାବେ ଉପସ୍ଥାପିତ କରିଥିବାବେଳେ ଟ୍ରମ୍ପ ପ୍ରଶାସନ ତାଙ୍କୁ ଆମେରିକୀୟ ପାଣ୍ଠିର ଅପବ୍ୟବହାରୀକାରୀ ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା ଭାବେ ଉପସ୍ଥାପିତ କରିଛି । ଇତି ମଧ୍ୟରେ ମଧ୍ୟ ଯୁଦ୍ଧକୁ ଉସକାଇଥିବା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ରୁଷ ଆଗ୍ରହ ପ୍ରକାଶ କରିଛି । କେବଳ ଏତିକି ନୁହେଁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା-ରୁଷ ମଧ୍ୟରେ ଯେଉଁ ସହଯୋଗିତାର ଯୁଗ ଆରମ୍ଭ ହୋଇଥିଲା, ତାହାକୁ ପୁର୍ନଜୀବୀତ କରାଇବା ପାଇଁ ରୁଷର ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି । ନିକଟରେ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତିଙ୍କ ବହୁଚର୍ଚ୍ଚିତ ସାକ୍ଷାତକାର ପରେ ୟୁକ୍ରେନର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହେଇଯାଇଛି । କୌଣସି ସମୟରେ ଯୁଦ୍ଧର ଅବସାନ ଘଟିବା ସମ୍ଭାବନା ସୃଷ୍ଟି ହୋଇଛି ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ-୯୯୩୭୧୫୧୦୫୨