ଶ୍ରେଣୀଗୃହ ଅଭାବରୁ ପାଠପଢା ବ୍ୟାହତ : ପ୍ରଶାସନକୁ ଫେରାଦ ହେଲେ ଛାତ୍ରଛାତ୍ରୀ 

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପଳସିଂହା ହାଇସ୍କୁଲରେ ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀମାନେ ଠିକ ଭାବରେ ପାଠପଢି ପାରୁନଥିବା ଅଭିଯୋଗ ହୋଇଛି  । ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱଦେଉଥିବା ବେଳେ, ଉପଯୁକ୍ତ ବାତାବରଣ ନଥିବାରୁ ଦଶମ ଶ୍ରେଣୀର ପିଲାମାନେ ନାନା ପ୍ରକାର ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । ପଳସିଂହା ହାଇସ୍ଲୁଲର ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୯୫ ଥିବାବେଳେ, ନବମ ଶ୍ରେଣୀରେ ନାମ ଲେଖାଇବାକୁ ଶତାଧିକ ଛାତ୍ରଛାତ୍ରୀ ଅପେକ୍ଷାରେ ଅଛନ୍ତି  । ତେବେ ଏହି ହାଇସ୍କୁଲରେ ଶ୍ରେଣୀଗୃହ, ବେଞ୍ଚ୍ ଡେକ୍ସ ଓ ଅନ୍ୟାନ୍ୟ ଆସବାବପତ୍ର ନ ଥିବାରୁ ଛାତ୍ରଛାତ୍ରୀମାନେ ବସି ପାଠ ପଢିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ତେବେ ତୁରନ୍ତ ଶ୍ରେଣୀଗୃହ ନିର୍ମାଣ ସହ ଆନୁସଙ୍ଗିକ ଉପକରଣ ଯୋଗାଇ ଦେବା ନିମନ୍ତେ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି  ।