ଗୌତମଙ୍କୁ ସୁହାଉଛି ବବିଙ୍କ ଅନୁପସ୍ଥିତ

ଯାଜପୁର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନପତ୍ର ଦାଖଲ । ୭ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ୧୪ ତାରିଖ ଯାଏ ଚାଲିବ । ନାମାଙ୍କନ ସମୟରୁ ବିଭିନ୍ନ ଦଳୀୟ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ସେମାନଙ୍କ ବଳ କେତେ ତାହା ପ୍ରଦର୍ଶନ କରିବେ । ବଳ ପ୍ରଦର୍ଶନ କରିବା ପରେ ନିର୍ବାଚନ ମଣ୍ଡଳୀରେ ଧୂମଧଡ଼କ ପ୍ରଚାର କରିବେ ପ୍ରାର୍ଥୀ । ଏଭଳି କିଛି କରିବାକୁ ପୁରା ସଜବାଜ ହେଉଛନ୍ତି ଜିଲା ବିଜେପି ସଭାପତି ଗୌତମ ରାୟ । ଏକ ସମୟରେ ବିଜେଡ଼ିର ଆଗଧାଡ଼ିର ନେତା ଭାବେ ପରିଗଣିତ ହେଉଥିବା ଗୌତମ ୨୦୦୯ରେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ବଡ଼ଚଣାରୁ ଥରେ, (ଶଙ୍ଖଚିହ୍ନ) ଯାଜପୁରରୁ ଦୁଇଥର ନିର୍ବାଚନ(ପଦ୍ମଚିହ୍ନ)ରେ ଲଢେଇ କରି ହାରିଯାଇଥିବା ଗୌତମ ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ । ବିଜେଡ଼ି ଗଡ଼ ଯାଜପୁରରେ ଏଥର ପଦ୍ମ ଫୁଟାଇବାକୁ ମନପାଣ ଦେଇ ଲାଗିପଡ଼ିଛନ୍ତି । ଗାଁରୁ ଗାଁ, ୱାର୍ଡ଼ରୁ ୱାର୍ଡ଼ ବୁଲି ପ୍ରଚାର ଅଭିଯାନକୁ ଯୋରଦାର କରିଛନ୍ତି । ପ୍ରଚାର ଅଭିଯାନ ବେଳେ ପ୍ରତିପକ୍ଷ ଦଳ କର୍ମୀଙ୍କ ବିରୋଧର ସମ୍ମୁଖିନ ହେଉଛନ୍ତି । ତଥାପି ସେ ଆଗକୁ ବଢି ପ୍ରଚାର କରୁଛନ୍ତି । ଯୁବ ଗୋଷ୍ଠୀଙ୍କୁ ସାଙ୍ଗରେ ଧରି ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ସମେତ ଯାଜପୁର ପୌରାଞ୍ଚଳରେ ପ୍ରଚାର ଚଲାଇଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ନିଜର ଶକ୍ତି ପ୍ରଦର୍ଶନ ବବିଙ୍କ ଗଡ଼ରେ ଦେଖାଇବାକୁ ପୁରା ଦମରେ ଲାଗିପଡ଼ିଛନ୍ତି । ଯାଜପୁରରୁ ୩ଥର ବିଜୟୀ ହୋଇଥିବା ବବି ବା ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁପସ୍ଥିତ ଗୌତମଙ୍କୁ ସୁହାଇଛି ବୋଲି ଆଲୋଚନା ହେଉଛି । ବବି ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଯିବା ବିଜେପି ପାଇଁ ଏକ ମଉକା ଆଣିଦେଇଛି । ବିଜେଡ଼ି ଗଡ଼ରେ ମାରାଥନ ପ୍ରଚାର କରି ଗୌତମ ଯାଜପୁର ବିଧାନସଭାରେ ପଦ୍ମ ଫୁଟାଇବାକୁ ଗୋଟରଙ୍କ ଦ୍ୱାରସ୍ଥ ହେଉଛନ୍ତି । ବିଜେଡ଼ି ଏଠାରେ ନବାଗତା ସୁଜାତା ସାହୁଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ଼ ଖେଳିଥିଲେ ହେଁ ଦଳ ଭିତରେ ବି ଏହାକୁ ଅନେକ ହଜମ କରିପାରି ନାହାନ୍ତି । ନିଜେ ସୁଜାତା ଘରକୁ ଘର ବୁଲି ପ୍ରଚାର ଚଲାଇଥିବା ବେଳେ ବବିଙ୍କ ଦାଦା ଏବଂ ଭାଇ ମଧ୍ୟ ସୁଜାତାଙ୍କ ପାଇଁ ପ୍ରଚାର କରୁଛନ୍ତି । ସୁଜାତାଙ୍କ ବିଜୟ ଏବଂ ପରାଜୟ ବବିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଗୌତମ ବିଜେପି ବାନା ଉଡ଼ାଇବାକୁ ମୋଦିଙ୍କ ଗ୍ୟାରେଣ୍ଟି ବାଣ୍ଟିବାରେ ଲାଗିଛନ୍ତି । ବବିଙ୍କ ମାଆ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ପରେ ପୁତୁରା ତଥା ଯାଜପୁର ବିଧାନସଭା ଉପରେ ଫୋକସ ରଖୁଥିବା ଭବପ୍ରସାଦ ବା ଲଲ କୋରେଇ ମୁହାଁ ହୋଇଛନ୍ତି । ବବିଙ୍କ ଅନୁପସ୍ଥିତ ଏବଂ ଲଲଙ୍କ କୋରେଇ ଆଗମନରୁ ଗୌତମ ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି । ସେଥିପାଇଁ ଯାଜପୁର ପୌରପରିଷଦ ହେଉ କି ଯାଜପୁର ବ୍ଲକ କିମ୍ବା ଦଶରଥପୁର ବ୍ଲକରେ ଘମାଘୋଟ ପ୍ରଚାର କରୁଛନ୍ତି । ୨୦୧୯ ନିର୍ବାଚନରେ ୩୫.୬୮ ପ୍ରତିଶତ ଭୋଟପାଇଥିବା ଗୌତମ ବିଜେଡ଼ିର ୬୦.୨୪ ପ୍ରତିଶତ ଭୋଟ କାଟିବା କେତେଦୂର ସମ୍ଭବପର ହୋଇପାରିବ ତାହା ହିଁ ଆଶଙ୍କାରେ ରହିଛି । ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସୁଦୀପ କୁମାର କର ପ୍ରଚାର ମଇଦାନରେ ରହିଥିଲେ ହେଁ ତାହା ପ୍ରଭାବୀ ହୋଇପାରୁନି । ତେବେ ସମ୍ବଲପୁର ପ୍ରଚାର ଶେଷ ପରେ ବବି ଯାଜପୁର ଗଡ଼ ସୁରକ୍ଷାରେ ଲାଗିପଡ଼ିବେ ବୋଲି ଦଳୀୟ ମହଲରେ କୁହାଯାଉଛି । ବବିଙ୍କ ଆଗମନ ପରେ ଅନେକ କିଛି ପରିବର୍ତ୍ତନ ଘଟିବ ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି ।