ଘଡ଼ାଇ ଦଖଲରେ ରଣପୁର ବାଲିଘାଟ : ଭାରୀଯାନ ଦଖଲରେ ସର୍ବସାଧାରଣ ରାସ୍ତା

ଯାଜପୁର/ବୈତରଣୀ ରୋଡ଼ : ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେବାରେ ଲାଗିଛି । ବିଶେଷ କରି ଲିଜ୍ ନ ଥିବା ରଣପୁର ଘାଟରୁ ପ୍ର୍ରତିଦିନ ବହୁଲକ୍ଷ ଟଙ୍କାର ବାଲି ଚୋରା ଚାଲାଣ ଚାଲିଥିଲେ ହେଁ ଖଣି ବିଭାଗର ପାଦ କିନ୍ତୁ ପଡୁନି । ବାଲି ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଜନୈକ ଘଡାଇ ହୋଇ ଥି ବାରୁ ଏହାକୁ ରୋକିବାକୁ ଖଣି ବିଭାଗ ମନ ବଳାଉନି ବୋଲି ବରୁଣ୍ଡାଇରୁ ରଣପୁର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । କେବଳ ଏତକ ନୁହେଁ ବୈତରଣୀର ବିଭିନ୍ନ ଘାଟରୁ ବୋଝେଇ ହୋଇଆସୁଥିବା ବାଲି ବୋଝେଇ ଗାଡ଼ି ଗୁଡ଼ିକ ସର୍ବସଧାରଣ ରାସ୍ତାକୁ ଦଖଲ କରି ରଖୁଥିବାରୁ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଆଶ୍ଚର୍ଯ୍ୟର କଥା ଯାଜପୁର ଲଘୁ ଖଣିଜ ବିଭାଗ ପକ୍ଷରୁ ଗଲା ୩ ଦିନ ଭିତରେ ବେଆଇନ ଭାବେ ଚାଲୁଥିବା ୧୫ଟି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୭ଟି ହାଇବା, ଟ୍ରାକ୍ଟର, ମେସିନ ଜବଦ କରାଯାଇଥିଲେ ହେଁ ରଣପୁର ଘାଟରେ କିନ୍ତୁ ବିଭାଗର ପାଦ ପଡ଼ିନି । ଖଣି ଉପ ନିର୍ଦେଶକ ଜୟପ୍ରକାଶ ନାୟକଙ୍କ ନିଦେ୍ର୍ଦଶରେ ମାଇନିଂ ଅଫିସର,ଯଶ କେତନ ସେଠି, ଜୁନିଅର ମାଇନିଂ ଅଫିସର ବିଶ୍ୱଜିତ୍ ସ୍ୱାଇଁ, ଅଶୋକ କୁମାର ମହାନ୍ତି, ଛାୟାକାନ୍ତ ମହାନ୍ତ, ଦିପ୍ତା ସୁନ୍ଦର ସେଠୀ, ରାହୁଲ କୁମାର, ସେଖର କୁମାର ମଲ୍ଲିକ, ସିତେଶ କୁମାର ନାୟକ ଦ୍ୱାରା ଯାଜପୁର ଜିଲା ଅଧିନସ୍ଥ ରସୁଲପୁର, ଦାନଗଦୀ, ଦଶରଥପୁର, ବରୀ, ବିଞ୍ଝାରପୁର, ବ୍ୟାସନଗର, ଯାଜପୁର, ଦର୍ପଣ ଓ ଧର୍ମଶାଳା ତହସିଲ ଅନ୍ତର୍ଗତ ଟିକରପଡା, ପଙ୍କପାଳ, ଦେବିଗୋଡା, ଦିଗାମ୍ବରପୁର, ବିରିବାଟି, ପାଣିକୋଇଲି, ଜାବରା, ପାଇକରାପୁର, କଟିଆ, ଜୋକଡିଆ, ଚକୁଆ, ସେରାପୁର, ବ୍ରାହ୍ମଣୀଗାଁ ଏବଂ ମାଣ୍ଡୁକା ଅଞ୍ଚଳରେ ଚଢ଼ାଉ କରି ମୋଟ ୨୭ ଟି ଯାନବାହନ ଜବଦ କରି ନିକଟସ୍ଥ ପୁଲିସଜିମାରେ ଦେଇଛନ୍ତି । ଜବତ ଗାଡି ଗୁଡିକ ଉପରେ ଜରିମାନା ସହ ମାମଲା ରୁଜୁ କରାଯାଇଥିବା ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ ଜିଲ୍ଲା ପ୍ରଶାସନକୁ ଏହି ଅଞ୍ଚଳ ଗୁଡିକ ଚୋରି ପ୍ରବଣ ଅଞ୍ଚଳ ଏବଂ ଏହାର ଆଖପାଖରେ ୧୬୩ ଟି ବିଏନଏସ (ଧାରା ୧୪୪) ଲାଗୁ କରିବାକୁ ଜିଲ୍ଲା ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ବିଭାଗପକ୍ଷରୁ କୁହାଯାଇଛି । 
ଚଢ଼ଉ କାରଣରୁ ମାଫିଆ ଗୋଷ୍ଠି ଏକ ପ୍ରକାର ଛାନିଆ ହୋଇପଡ଼ିଥିଲେ ହେଁ ରଣପୁର ଘାଟକୁ ଦଖଲ କରିଥିବା ଘଡ଼ାଇ ରଣହୁଙ୍କାର ଦେବାକୁ ପଛାଇନି । ବେଆଇନ ଭାବେ ଘାଟ ଚଲାଉଥିବା ଘଡ଼ାଇ ଖଣି ବିଭାଗକୁ ପକେଟରେ ରଖିଥିବା ଏବଂ ତାର କିଛି ହେବନି ବୋଲି ବାଟଘାଟରେ କହିବୁଲୁଛି । ଯାହା ପ୍ରମୂଖ ଆଲୋଚନାର ବିଷୟ ହୋଇପଡ଼ିଛି । ବ୍ୟାସନଗର ତହସିଲ ଅନ୍ତର୍ଗତ ରଣପୁର ବାଲିଘାଟରେ କାହିଁକି ଚଢାଉ କରାଯାଉନି ବୋଲି ଖଣି ଉପନିଦେ୍ର୍ଦଶକଶ୍ରୀ ନାୟକଙ୍କୁ ପଚାରିବାରେ ସେ ନିଶ୍ଚିନ୍ତ ଚଢାଉ ହେବ ବୋଲି କହିଥିଲେ । ଶ୍ରୀ ନାୟକ କହିଥିଲେ କି ଜିଲାରେ ଯେଉଁଠି ବେଆଇନ ଭାବେ ଲଘୁ ଖଣିଜ ସଂପଦ ଲୁଟ ୍ଚାଲିିଛି, ସବୁଠି ଚଢାଉ କରାଯିବ । ସମୟକୁ ଅପେକ୍ଷା କରନ୍ତୁ । ଚଢାଉ କେବେ ହେବ ତାହାତ ଜଣାପଡ଼ିବ, କିନ୍ତୁ ରଣପୁର ସର୍କଲ ବୈତରଣୀ ନଦୀ ପୀଠରୁ ମେସିନ୍ ଲଗାଇ ବେଆଇନ ଘାଟ ମାଲିକ ସାଜିଥିବା ଘଡ଼ାଇ ଶହଶହ ଗାଡି ବାଲି ଚୋରା ଚାଲାଣ କରିବାକୁ ସମର୍ଥ ହେଉଛନ୍ତି । ଉକ୍ତ ଚୋରା ବାଲି ଖନନକୁ ରୋକିବାରେ ଖଣି ବିଭାଗ ସମର୍ଥ ହେଉନଥିବାରୁ ହାଇବା, ଡମ୍ପର, ଟ୍ରାକ୍ଟର ଭଳି ଯାନ ସର୍ବସାଧାରଣ ରାସ୍ତାକୁ ଦଖଲ କରିଚାଲିଛନ୍ତି ।  ଗୋଟେ ପଟେ ଚୋରା ଚାଲାଣ ଯୋଗୁ ରାଜ୍ୟ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହରାଇବାକୁ ପଡୁଥିବା ବେଳେ, ନଦୀ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିବାରେ ଲାଗିଛି । ବାଲିବୋଝେଇ ଗାଡ଼ି ଯୋଗୁ ରଣପୁର, ରଘୁପୁର, ଅସନଝର, ଗଜେନ୍ଦ୍ରପୁର, ସିତେନ୍ଧିପୁର, କାଚରାସାହି, ରଗଡ଼ି ପ୍ରଭୂତି ରାସ୍ତା ଜବରଦଖଲ ଭଳି ପରିସ୍ଥିତି ଉପୁଜୁଛି । ରାସ୍ତାକୁ ଅକ୍ତିଆର କରି ବାଲି ଗାଡି ଚଳା ଚଳକୁ ନେଇ ପଥଚାରୀ, ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ରଣପୁର ବେଆଇନ ଘାଟକୁ ବନ୍ଦ କରିବା ସହ ଘଡ଼ାଇ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି ।