୫୩ନଂ ଜାତୀୟ ରାଜପଥ ପାଲଟିଛି ଗୋ-ଚାଲାଣ କରିଡର: ପୁଣି ୩୨ ଗୋ-ସମ୍ପଦ ଉଦ୍ଧାର

ସୁକିନ୍ଦା : ଡୁବୁରୀ-ଢେଙ୍କାନାଳ ୫୩ ନଂ ଜାତୀୟ ରାଜପଥ ପାଲଟିଛି ଗୋ-ଚାଲାଣର କରିଡ଼ର । ଗୋ-ମାଫିଆ ଏହି ରାଜପଥକୁ ରାସ୍ତା ପାଲଟିଛି ଗୋ-ଚାଲାଣ କରିଡ଼ର । ବଡ଼ବଡ଼ ଟ୍ରକ ଏବଂ କଣ୍ଟେନରେରେ ଅମାନୁସିକ ଭାବେ ଚାଲାଣ ହେଉଛି ଗୋ-ସମ୍ପଦ । କାଁ ଭାଁ କେତେ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରି ବଜରଙ୍ଗ କର୍ମୀ ପୁଲିସ ଜିମା ଦେଉଥିଲେ ହେଁ ପୁଲିସ କିନ୍ତ୍ୁ ଗୋଟିଏ ବି ଗୋ-ସମ୍ପଦ ବୋଝେଇ ଗାଡ଼ି ଜବତ କରିବାକୁ ସକ୍ଷମ ହୋଇପାରିନି । ପୁଲିସର ଅପାରଗତା ଗୋ-ମାଫିଆଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି । ସେଥିପାଇଁ ଗୋ-ମାଫିଆ ଟ୍ରକ ଟ୍ରକ ଗୋ-ସମ୍ପଦ କୋଲକତାକୁ ଚାଲାଣ କରୁଛନ୍ତି । ୫୩ନଂ ଜାତୀୟ ରାଜପଥ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଆସାମ ପେଟ୍ରୋଲ ପମ୍ପପାଖରୁ ୩୨ ଗୋ-ସମ୍ପଦ ବୋଝେଇ କଣ୍ଟେନର ଜବତ ହେବା ଘଟଣା ଜଣାଇ ଦେଉଛି । ରବିବାର ବିଳମ୍ବିତ ରାତିରେ ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ କାର୍ଯ୍ୟକର୍ତା ଏକ କଣ୍ଟେନରକୁ ଆସାମ ପେଟ୍ରୋଲ ପମ୍ପ ନିକଟରୁ ଜବତ କରିଥିଲେ । ଖବର ମତେ ଢେଙ୍କାନାଳ ଅଂଚଳରୁ ଗୋରୁ ବୋଝେଇ ହୋଇ ଏକ କଂଟେନର କୋଲକତା ଅଭିମୁଖେ ଆସୁଥିବା ନେଇ ବଜରଙ୍ଗ କର୍ମୀ ଖବର ପାଇଥିଲେ । ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତା ହନୁମାନ ଛକ ନିକଟରେ ଜଗି ରହିଥିବା ବେଳେ  ରାତି ପ୍ରାୟ ୧୨ଟାରେ ଉପରୋକ୍ତ କଣ୍ଟେନର ଦ୍ରୁତଗତିରେ ଆସିଥିଲା । ହନୁମାନ ଛକ ନିକଟରେ ବଜରଙ୍ଗ କର୍ମୀ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନଥିଲେ । କଣ୍ଟେନର ଡୁବୁରୀ ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ କର୍ମୀ ପିଛା କରି ଆସାମ ପେଟ୍ରୋଲ ପମ୍ପ ନିକଟରେ ଅଟକାଇବାକୁ ସକ୍ଷମ ହୋଇଥିଲେ । ଚାଳକ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲା । ସେଥିରେ ୩୨ଟି ଗୋ-ସଂପଦ ଥିବା ଦେଖିବାକୁ ପାଇଥିଲେ । ଖବର ପାଇବା କଳିଙ୍ଗନଗର ପୁଲିସ ଘଟଣାସ୍ଥଳରେ ପହଁଚି ଗୋରୁ ବୋଝେଇ ଗାଡିରୁ ଗୋ-ସମ୍ପଦ ଉଦ୍ଧାର କରି ସୁକିନ୍ଦା ଗୋଶାଳାରେ ଛାଡିଥିଲେ । ସୂଚନା ଥାଉକି ଗଲାମାସ ୨୫ ତାରିଖ ଭୋର ସମୟରେ ବଜରଙ୍ଗ ଦଳ କର୍ମୀ ଢେଙ୍କାନାଳ ଜିଲ୍ଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଗୋଟିଏ ଟ୍ରକରୁ ୩୨ଟି ଗୋ-ସଂପଦ ଉଦ୍ଧାର କରିଥିବା ବେଳେ, ସେହିମାସ ୨୮ତାରିଖ ଭୋର ସମୟରେ ଉକ୍ତ ହନୁମାନ ଛକରୁ ୩୨ଟି ଗୋ-ସଂପଦ ବୋଝେଇ ଏବଂ ଚଳିତମାସ ୩ତାରିଖ ରାତିରେ ସୁକିନ୍ଦା ଛକରୁ ୨୯ ଗୋରୁ ବୋଝେଇ ଟ୍ରକ ଜବତ କରିଥିଲେ ।