ସ୍ୱାଧୀନ ଆଗରେ ଫିକା ପଡିଲେ ସ୍ମୃତିରେଖା
ଜାରକା: ଜୁନ୧ରେ ନିର୍ବାଚନ । ଆଜି ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ । ବିଭିନ୍ନ ଦଳୀୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ବେଳେ ଦମ ଦେଖାଇଛନ୍ତି । କିନ୍ତୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ କଥା ଦେଖିଲେ ଏଠି ସ୍ୱାଧୀନ ଆଗରେ ବିଜେପି ପ୍ରାର୍ଥୀଙ୍କ ଶୋଭାଯାତ୍ରା ଫିକା ପଡ଼ିଯାଇଛି । ଆଜି ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ଶୋଭାଯାତ୍ରା ଦେଖିବାପରେ ଏହି କଥା ହିଁ ଧର୍ମଶାଳାରେ ଆଲୋଚନା ହେଉଛି । ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଗଲାକାଲି ନାମାଙ୍କନ ପତ୍ର ଦାଖଲ ପରେ ଯେଉଁ ଶୋଭାଯାତ୍ରାଟି କରିଥିଲେ ତାହା ବେଶ ଆକର୍ଷଣୀୟ ହୋଇଥିଲା । ଅନୁନ୍ୟ ୨୫ହଜାର ସମର୍ଥକ କୁଆଖିଆରୁ ବାହାରି ଚଣ୍ଡିଖୋଲ ଯାଏ ଯାଇଥିଲେ । ବିଶାଳ ଶୋଭାଯାତ୍ରା କୌଣସି ସ୍ୱାଧୀନ ପ୍ରାର୍ଥୀଙ୍କ ପକ୍ଷେ ସହଜ ହୋଇନପାରେ । ଯେତେ ବେଳେ କି ଧର୍ମଶାଳାରେ ବିଜେଡ଼ି ସହ ବିଜେପି ଲଢିବ ବୋଲି ପ୍ରାର୍ଥୀ ସ୍ମୃତିରେଖା ପହି କହୁଛନ୍ତି । ହିମାଂଶୁ ବିଜେପିରୁ ପ୍ରାର୍ଥୀ ହେବାକୁ ଦାବିଦାର ଥିଲେ ହେଁ ଦଳ ତାଙ୍କୁ ସେଥିରୁ ବଞ୍ଚିତ କରିଥିଲା । ଏଣୁ ସେ ସ୍ୱାଧୀନ ଭାବେ ଲଢିବାକୁ ମନସ୍ତ କରି ନାମାଙ୍କନପତ୍ର ଦାଖଲ କଲେ । ତାପର ଶୋଭାଯାତ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ବିଶାଳ ଶୋଭାଯାତ୍ରା ଉଭୟ ବିଜେଡି ଓ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ଅତୀତର କଂଗ୍ରେସର ସ୍ୱର୍ଗତ ନେତା ୧୯୯୫ ମସିଆରେ ସ୍ୱାଧୀନରେ ଠିଆହୋଇ ଯେଉଁ ରାଲି କରିଥିଲେ ତାକୁ ହିମାଂଶୁଙ୍କ ଶୋଭାଯାତ୍ରା ବଳିଗଲା ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ପ୍ରାର୍ଥିନୀ ସ୍ମୃତିରେଖା ପହି ନିଜର ଦମ ଦେଖେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇଛନ୍ତି ବୋଲି କୁହାଯାଇପାରିବନି । ଗାଡ଼ି ମାଳମାଳ ପରି ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ବୋଲେରୋ ଓ ୫୦୦ ପାଖାପାଖି ବାଇକର ବ୍ୟବସ୍ଥା ହୋଇଥିଲେ ମଧ୍ୟ ରାଲିର ସେତେଟା ପ୍ରଭାବ ପଡ଼ିନଥିବା ଧର୍ମଶାଳେ ଟୁପୁର ଟାପୁର ଚାଲିଛି