ମାନିଲାନି ଟାଟା, କାରଖାନା ଫାଟକରେ ତାଲା ପକାଇଲା ବିଚାର ମଞ୍ଚ
କଳିଙ୍ଗନଗର/ଯଖପୁରା: ମାସମାସ ଧରି ଧାରଣାରେ ବସିଲେ । ଏପ୍ରିଲ ୧୦ ତାରିଖରେ ବୀରଭୂମି ଆମ୍ବଗାଡ଼ିଆ ସହିଦ ପଡିଆରେ ରଣହୁଙ୍କାର ଦେଇ ପ୍ରଶାସ-କାରଖାନା କର୍ତ୍ତୃପକ୍ଷ ସେମାନଙ୍କ ଦାବି ନଶୁଣିଲେ ଆନ୍ଦୋଳନକୁ ଓହ୍ଲାଇବାର ରଣ ହୁଙ୍କାର ଦେଲେ । ସେହିମାସ ଶେଷ ସପ୍ତାହରେ ଜିଲାପାଳଙ୍କୁ ଭେଟି ସମାଧାନ କରିବାକୁ ସପ୍ତାହେ ସମୟ ଦେଲେ । ସମୟ ଅବଧି ଭିତରେ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଆଲୋଚନା ବୈଠକ କଲେ ।
ବୈଠକରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ପ୍ରାସଙ୍ଗିକ ଦାବି ଗୁଡିକୁ ୧୩ ତାରିଖ ଦିନ ବୈଠକ ଡକାଇ ନିର୍ଯ୍ୟାସ ରିପୋର୍ଟ କଳିଙ୍ଗନଗର ଓ ଜିଲା ପ୍ରଶାସନକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । ଧାରଣାରୁ ଆରମ୍ଭ କରି ବୈଠକ ପର୍ଯ୍ୟନ୍ତ ଗଲା ପରେ ଟାଟା କର୍ତ୍ତୃପକ୍ଷ ବିସ୍ଥାପିତ, ଜମିହରା ଓ କ୍ଷତିଗସ୍ତ ବିଚାର ମଞ୍ଚ ପକ୍ଷରୁ ରଖାଯାଇଥିବା ସମସ୍ତ ଦାବିକୁ ମାନିବାକୁ ରାଜି ହେଲାନି । ଯାହା ଫଳରେ ଆଜି ଉଭୟ ଟାଟା ଷ୍ଟିଲ ଏବଂ ଟାଟା ଅଧିକୃତ ନୀଳାଚଳ ଇସ୍ପାତ ନିଗମ ମୁଖ୍ୟ ଫାଟକରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ଆରମ୍ଭ କରିଛନ୍ତି । ଆଜି ସକାଳୁ ଶହଶହ ସଂଖ୍ୟାର ମଞ୍ଚ ସଦସ୍ୟ ଉଭୟ କାରଖାନା ଆଗରେ ପହଞ୍ଚି ଫାଟକରେ ପକାଇ ଦେଇଥିଲେ ତାଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲିବନି ବୋଲି ଘୋଷଣା କରିଥିଲେ ମଞ୍ଚ ସଦସ୍ୟ । ଯାହା ଫଳରେ କଳିଙ୍ଗନଗର ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ପୁଲିସ ଘଟଣା ସ୍ତଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି । ଆଜିର ତାଲା ପକା ଘଟଣା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅତିତରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଥାପିତ ମାନଙ୍କ ସମସ୍ୟା ଲାଗିରହିଛି ବୋଲି ସ୍ପଷ୍ଟ କରି ଦେଇଛି । ନିର୍ବାଚନ ଆସି ମୁଣ୍ଡ ଉପରେ ।
ନିର୍ବାଚନ ଯେତେ ନିକଟତର ହେଉଛି ଆନ୍ଦୋଳନ ସେତେ ତୀବ୍ରତର ହେଉଛି । ନୀଳାଚଳ କାରଖାନା ସମ୍ମୁଖରେ ତିନିମାସ ଧରି ଧାରଣାରେ ବସିଥିବା ବିସ୍ଥାପିତ ପରିବାର ଧର୍ଯ୍ୟ ହରାଇଛନ୍ତି । ଆଉ କେତେ ଦିନ ସେମିତି ଖରା, ବର୍ଷା, ଶୀତରେ ବସି ରହିବେ । ଶେଷରେ ବିସ୍ଥାପିତ ପରିବାର ଆନ୍ଦୋଳନକାରୀ ମାନେ ଟାଟା ମାଲିକାନାକୁ ଆସିଥିବା ନୀଳାଚଳ ଓ ମୁଖ୍ୟ ଟାଟା କାରଖାନାର ସମସ୍ତ ଫାଟକକୁ ବନ୍ଦ ରଖିଛନ୍ତି । ଫାଟକ ବନ୍ଦ ରଖି ବିସ୍ଥାପିତ ପରିବାର ଏକତ୍ରିତ ହୋଇ ବିଭିନ୍ନ ଶ୍ଲୋଗାନ ଦେବା ସହିତ ନିଜର ଅଧିକାର ନମିଳିବା ପର୍ଯ୍ୟନ୍ତ କାରଖାନା ଫାଟକ ବନ୍ଦ ରହିବ ବୋଲି କହିଛନ୍ତି । ବିସ୍ଥାପିତ ପରିବାର ଯେଉଁ ୧୪ଦଫା ଦାବିକୁ ନେଇ ତିନି ମାସ ଧରି ଚାଲୁ ରହିଥିବା ଆନ୍ଦୋଳନର ସମାଧାନ ପାଇଁ ଆଲୋଚନା ହେଉଛ ସତ ମାତ୍ର ତାହା ସଫଳ ହେଉନି । ବିସ୍ଥାପିତ ପରିବାର ଯେଉଁ ୧୪ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ତାର ୯୦ ଭାଗ ଦାବିକୁ ଟାଟା କମ୍ପାନୀ ମାନି ନେଇପାରିବ ନାହିଁ ବୋଲି ତ୍ରିପାକ୍ଷିକ ବୈଠକ ଆରମ୍ଭରୁ କହିଥିଲେ । ଯାହା ଦୁଃଖର ସହ କହିଛନ୍ତି ବିସ୍ଥାପିତ ପରିବାର । ଆମକୁ ଟାଟା କମ୍ପାନୀ ନିଜର ପରିବାର କହୁଛି ମାତ୍ର ପରିବାରକୁ କିପରି ପାଳନ କରାଯାଏ ତାହା କମ୍ପାନୀ ଜାଣିପାରୁନି । ଆମର ମୁଖ୍ୟ ଦାବି କି ଟାଟା କମ୍ପାନୀ ଥିବା ପର୍ଯ୍ୟନ୍ତ ପିଢ଼ି ପରେ ପିଢ଼ି ପରିବାରକୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତିକୁ ଗୁରୁତ୍ୱ ଦେଇଛନ୍ତି । ଜମି ବଦଳରେ ଜମି, ଲିଜ ଆକାରରେ ୨୦ବର୍ଷ ପାଇଁ ଜମି ପଟ୍ଟା ପ୍ରଦାନ, ଆଦିବାସୀ ମାନଙ୍କ ଉପରେ ମିଛ ମାମଲା ପ୍ରତ୍ୟାହାର ଏମିତି ଅନେକ ଦାବିକୁ ମନି ନେବାକୁ ଜଣାଇଛନ୍ତି । ଆଗାମୀ ଯେତେ ଦିନ ପର୍ଯ୍ୟନ୍ତ ଆମର ଦାବି ପୂରଣ ହୋଇ ନଥିବ ସେତେ ଦିନ ପର୍ଯ୍ୟନ୍ତ ଆମେ ଫାଟକକୁ ବନ୍ଦ ରଖିବୁ । ଦରକାର୍ ପଡ଼ିଲେ ଆମର ଦାବି ପୂରଣ ନହେଲେ କଳିଙ୍ଗନଗର ଗୁଳିକାଣ୍ଡ ପରି କିଛି ଘଟଣା ନଘଟିବ କିଏ କହିପାରିବ? ପୁଣି କହିଛନ୍ତି ଯେତେ ବେଳେ କେନ୍ଦ୍ର ସରକାର କହୁଛନ୍ତି ଆଦିବାସୀ ମାନଙ୍କୁ ଗୁରୁତ୍ୱ ଦେଇ ଜଣେ ଆଦିବାସୀ ମହିଳାକୁ ଦେଶର ରାଷ୍ଟ୍ରପତି କରିଛନ୍ତି ତାଙ୍କୁ କଣ ଆମର ଦାବି ଶୁଭୁନି କି ବୋଲି କହିଛନ୍ତି । ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ନିଶ୍ଚିନ୍ତ ପ୍ରତିଫଳନ ହେବ ତାହା ଜଣାପଡ଼ିଯାଉଛି ।