ଷ୍ଟିୱାର୍ଟ ସ୍କୁଲ ବନ୍ଦକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଅଭିଭାବକ
କାଳିଆପାଣି : ସୁକିନ୍ଦା ବ୍ଲକ ରାଁସୋଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଟାଟା କମ୍ପାନୀ ପରିଷର ମଧ୍ୟରେ ଥିବା ଷ୍ଟିୱାର୍ଟ ସ୍କୁଲ ବିରୁଦ୍ଧରେ ଅଭିଭାବକ ମାନଙ୍କ ମଧ୍ୟରେ ଘୋର ଆକ୍ରୋଶ ପ୍ରକାଶ ପାଇଛି । ଚଳିତ ବର୍ଷ ସ୍କୁଲ କର୍ତୃପକ୍ଷ ସ୍କୁଲଟିକୁ ସମ୍ପୂର୍ଣ ବନ୍ଦ କରି ହଠାତ ଚାଲିଯିବାରୁ ଏପରି ପରିସ୍ଥିତି ଦେଖାଦେଇଛି । ଏନେଇ ଆଜି ଜଣେ ଅଭିଭାବକ ସ୍କୁଲ ବିରୁଦ୍ଧରେ ଠକେଇ ଅଭିଯୋଗ କରି କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକାରୀ ଗୋକୁଳା ନନ୍ଦ ମହାନ୍ତ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ, ଚଳିତ ବର୍ଷ ଶିକ୍ଷାବର୍ଷ ପ୍ରାରମ୍ଭରେ ଷ୍ଟିୱାର୍ଟ ସ୍କୁଲର ପ୍ରିନସିପାଲ ଚନ୍ଦନ କୁମାର ଦାସ ତାଙ୍କର ତିନୋଟି ପିଲା ଏବଂ ଅନ୍ୟ ସତର ଜଣ ଛାତ୍ରଙ୍କ ଠାରୁ ନାମଲେଖା ବାବଦକୁ ଜଣପ୍ରତି ୨୦ହଜାର ଟଙ୍କା ଲେଖାଏଁ ନେଇଛନ୍ତି । କିନ୍ତୁ ଗତ ଦୁଇ ସପ୍ତାହ ଠାରୁ ଉକ୍ତ ସ୍କୁଲରେ ପ୍ରିନସିପାଲ ତାଲା ପକାଇ ଛୁ ମାରିଥିବାର ଦେଖିବାକୁ ମିଳିଛି । ଏନେଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ଅଭିଭାବକ ଅଭିଯୋଗ କରିଛନ୍ତି, ଷ୍ଟିୱାର୍ଟ ସ୍କୁଲର ପ୍ରିନସିପାଲ ଏହିପରି ପ୍ରାୟ ୨୭୦ଜଣ ପିଲାଙ୍କ ପାଖରୁ ଲକ୍ଷଲକ୍ଷ ଟଙ୍କା ଆଡ଼ମିସନ ନାଁରେ ହଡପ କରି ଛୁ ମାରିଛନ୍ତି ।