ମୁଁ ଲଢିବା ପାଇଁ ନୁହେଁ ଜିତିବା ପାଇଁ ଲଢୁଛି: ନିମାଇ
ବ୍ରହ୍ମବରଦା,: ମୁଁ ଲଢିବା ପାଇଁ ଲଢୁନାହିଁ; ଜିତିବା ପାଇଁ ଲଢୁଛି । ଏମିତି ଏକ ଆବେଗପୂର୍ଣ୍ଣ ବାର୍ତ୍ତା ନେଇ ଘରେ ଘରେ ପହଞ୍ଚୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ନିମାଇଁ ଚରଣ ରାୟ । ବରୀ ନିର୍ବାଚନମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ତଥା କୃଷକ ନେତା ନିମାଇଁ ଅଭିନବ ଉପାୟରେ ଘର ଘର ବୁଲି ନିଜ ସମର୍ଥକଙ୍କ ସହ ପ୍ରଚାର ପ୍ରସାର ଏପରି ଭାବେ ଆରମ୍ଭ କରିଦେଇଛନ୍ତି । ତାଙ୍କ ମତରେ ବରୀ ହେଉଛି ସଂଗ୍ରମୀ ଓ ବୀର ସହିଦ ମାନଙ୍କ ମାଟି । ଏହି ବରୀ ମାଟିରେ କେତେ ଯେ ମହାପୁରୁଷ ମାନେ ଜନ୍ମ ନେଇ ନିଜ ମାଟି ମା ପାଇଁ ସହିଦ ହୋଇ ଓଡିଶା ଇତିହାସରେ ବରୀର ନାମକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି । ତେଣୁ ଏହି ସହିଦ କ୍ଷେତ୍ର ବା ବରୀ ମାଟିର ସେବା କରିବା ପାଇଁ ଜଣେ ଲଢୁଆ ପୁଅ ହିସାବରେ ସାଧାରଣ ନିର୍ବାଚନ ମହାସମରରେ ନୂଆ ରାଜନୈତିକ ସ୍ୱପ୍ନନେଇ ମଇଦାନକୁ ଓହ୍ଲାଇଛି । କୃଷକ ନେତା ନିମାଇଁ ନିଜ ସପକ୍ଷରେ ମତଦାନ କରିବା ପାଇଁ ମତଦାତା ମାନଙ୍କୁ ଘର ଘର ବୁଲି ମାଗୁଣି କରୁଛନ୍ତି । ଯେହେତୁ ସେ ଜଣେ ସଫଳ ଚାଷୀ ତାଙ୍କର ଗୋଟିଏ ଲକ୍ଷ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ ବୋଲି କହି ବୁଲୁଛନ୍ତି । ତେଣୁ ତାଙ୍କୁ ଜିତାଇବା ପାଇଁ ଶ୍ରଦ୍ଧାରେ ଖଣ୍ଡେ ଖଣ୍ଡେ ଭୋଟ ଦିଅନ୍ତୁ ବୋଲି ଭାବବିହ୍ୱଳଭରା କଣ୍ଠରେ ନିଜର ପ୍ରଚାର ଚଳାଇଛନ୍ତି । ଆଉ ମତଦାତା ମାନଙ୍କ ନିକଟତର ହୋଇ ନିର୍ବାଚନ ଖର୍ଚ୍ଚ ପାଇଁ ଗର୍ବରେ ଏକ ଟଙ୍କା ଦାନ କରନ୍ତୁ ବୋଲି କହୁଛନ୍ତି । ତେଣୁ ତାଙ୍କ ମତରେ ହଜାର ହଜାର ଖଣ୍ଡ ଭୋଟ ବ୍ୟବଧାନରେ ଜିତିବା ମୋର ଆଶା ନୂହେଁ କିନ୍ତୁ ସମସ୍ତେ ପ୍ରାର୍ଥନା କରନ୍ତୁ ବିଜୟ ପାଇଁ ମୋର ମାତ୍ର ଖଣ୍ଡିଏ ଭୋଟ ଦରକାର । ନିମାଁଇ କହିଛନ୍ତି କି ହାରଜିତ ତାଙ୍କ ପାଇଁ ବଡ଼ ନୁହେଁ, ସେ ସବୁଦିନ ଲୋକ ମାନଙ୍କ ସ୍ୱାର୍ଥ ପାଇଁ ରହିଛନ୍ତି ଓ ରହିବେ । ଏହିପରି ଭାବେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବରୀ ବିଧାନସଭା ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା ହେବା ଦିନ ଠାରୁ ପ୍ରତିଦିନ ସକାଳ ୯ରୁ ରାତି ୧୦ପର୍ଯ୍ୟନ୍ତ କର୍ମୀଙ୍କୁ ସାଥିରେ ଧରି ପ୍ରତ୍ୟେକ ପରିବାରକୁ ଭେଟୁଛନ୍ତି । ନିମାଁଇ ଦୈନିକ ୭୦୦ ରୁ ୧୦୦୦ ପରିବାରକୁ ଭେଟି ନିଜ ମନକଥା କହୁଛନ୍ତି । ସାଙ୍ଗରେ ନିଜ ବିଲରୁ ଅମଳ ହୋଇଥିବା ଧାନ ସଙ୍କଳ୍ପର ପ୍ରତୀକ ଗୋଟାଗୁଆ ଓ ଶୁଭ ସଂକେତ ହଳଦୀକୁ ନେଇ ଏକ ନାଲି କପଡାରେ ବାନ୍ଧି ତାଙ୍କୁ ଦେଇ ଏକ ଚାଷୀ ପରିବାରକୁ ମଜବୁତ କରୁଛନ୍ତି । ନିମାଁଇଙ୍କ କହିବା ଅନୁଯାୟୀ ଏବେ ଯେଉଁ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ପ୍ରକାରର ଇସ୍ତାହାର ସହ ନିର୍ବାଚନୀ ଗ୍ୟାରେଣ୍ଟି ଦେଇ ଚାଲିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ ଜନକ ଓ ହାସ୍ୟାସ୍ପଦ । ତାଙ୍କ ମତରେ ଗ୍ୟାରେଣ୍ଟି କିଏ ଦିଏ? ଯିଏ ନିଜର କର୍ତବ୍ୟ, ବିଶ୍ୱାସ ଓ ପ୍ରତିଶ୍ରୁତି ହରାଇ ବସିଥାଏ । ସେ ହିଁ ଗ୍ୟାରେଣ୍ଟିକୁ ଶେଷ ଅସ୍ତ୍ର ବୋଲି ବାଛିଥାଏ । ତେଣୁ ଆଧୁନିକ ଯୁଗରେ କମ୍ପାନୀ ଜଗତର ବହୁଳ ବ୍ୟବହୃତ ଶବ୍ଦ ଗ୍ୟାରେଣ୍ଟିକୁ ଏବେ ରାଜନୈତିକ ଦଳ ମାନେ ନିଜର ମୁନାଫା ପାଇଁ ବହୁଳ ବ୍ୟବହାର କରୁଛନ୍ତି ବୋଲି ମଧ୍ୟ ସେ ମତଦାତା ମାନଙ୍କ ମଧ୍ୟରେ ସଚେତନ କରାଉଛନ୍ତି । ତା ସହିତ ସେ କହିଛନ୍ତି କି କ୍ଷମତା ପାଇଁ ରାଜ୍ୟରେ ଚାଲିଛି ଶସ୍ତା ରାଜନୀତି ଓ ଦଳଡିଆଁ ପର୍ବ । ତାଙ୍କ ମତରେ ଏପରି ସଂକୀର୍ଣ୍ଣ ଚିନ୍ତାଧାରା ନେତା ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ମତଦାତା ମାନଙ୍କୁ ନିବେଦନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପରି ମୁଖ୍ୟ ରାଜନୈତିକ ଦଳ ମାନଙ୍କର ତ୍ରିମୁଖୀ ଲଢେଇ ଭିତରେ ଜଣେ ସଂଗ୍ରାମୀ, ଚାଷୀନେତା ତଥା ଚାଷୀ ଉପଯୋଗୀ ପ୍ରାର୍ଥୀଙ୍କୁ ବରୀ ନିର୍ବାଚନମଣ୍ଡଳୀର ମତଦାତା ମାନେ କେତେଦୂର ଆଦରୁଛନ୍ତି ତାହା ଆଗାମୀ ନିର୍ବାଚନୀ ଫଳାଫଳ ଘୋଷଣା ପରେ ଜଣାପଡ଼ିବ ।