ବିଜେଡ଼ିର ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ବିଜେପିର ବଳ ସେନାପତି ସାଜିବେ ନଟ, ଜଜେୟ, ଅଟ୍ଟଳ, ଭୂବନା ଓ ବିରଞ୍ଚି
ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଞ୍ଝାରପୁର ବିଧାନସଭା ପାଇଁ ତିନି ପ୍ରମୁଖ ଦଳ ନିଜର ରାଜନୈତିକ ରଣନୀତି ପ୍ରସ୍ତୁତି କରୁଛନ୍ତି । ରାଜ୍ୟ ସରକାରଙ୍କ ନେତୃତ୍ୱରେ ବିକାଶ ଧାରାକୁ ପାଥେୟ କରି ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ବିଶ୍ୱାସ ରଖିଥିବା ବେଳେ ବିରୋଧି ବିଜେପି ଓ କଂଗ୍ରେସ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତିକୁ ପ୍ରସଙ୍ଗ କରିବା ସହିତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅଧପନ୍ତରିଆ ବିକାଶକୁ ଅସ୍ତ୍ର କରି ନିର୍ବାଚନ ଜନ ସମର୍ଥନ ହାସଲ କରିବାକୁ ପ୍ରୟାସ କରୁଛି । ଏହା ମଧ୍ୟରେ ବିଞ୍ଝାରପୁର ବିଧାନସଭା ଆସନରେ କ୍ରମାଗତ ବିଜୁ ଜନତା ଦଳରୁ ୫ଥର ବିଜୟୀ ହୋଇ ଆସୁଥିବା ବିଜେଡିର ହେବିୱେଟ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଚଳତ ନିର୍ବାଚନରେ ପରାସ୍ତ କରି ଗାଦିଚୁ୍ୟତ କରିବା ପାଇଁ ମୁଖ୍ୟ ବିରୋଧି ବିଜେପି ପ୍ରାଣପ୍ରଣେ ଲାଗିପଡ଼ିଛି । ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ କ୍ରମସ ବିଞ୍ଝାରପୁର ବିଜେପିର ଶକ୍ତିବୃଦ୍ଧି କରୁଥିବାରୁ ଏବେ ଶାସକ ଦଳ ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିଛିଦିନ ପୂର୍ବରୁ ରଣପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡିର ବରିଷ୍ଠ ସମର୍ଥକ ଅଟ୍ଟଳ ବିହାରୀ ନାୟକ ବିଜେପି ପ୍ରାର୍ଥୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦେଇଥିବା ବେଳେ ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଞ୍ଝାରପୁର ବିଜେଡିର ଜଣେ ଟାଣୁଆ ନେତା ତଥା ପ୍ରଭାବଶାଳି ସଂଗଠକ ଜଜେୟ ବେହେରା ବିଜେପିରେ ଯୋଗ ଦେବା ବିଞ୍ଝାରପୁର ବିଜେଡ଼ିକୁ ଦୋହଲାଇ ଦେବା ପରି ହୋଇଛି । ଜଜେୟଙ୍କ ଯୋଗଦାନ ବିଞ୍ଝାରପୁର ବିଜେପିର ଦୁର୍ବଳ ସ୍ଥିତିକୁ ସୁଦୃଢ କରିବା ସହିତ ବବିତାଙ୍କ ନିର୍ବାଚନ ପରିଚାଳନା କ୍ଷେତ୍ରରେ ରହିଥିବା ତୃଟିକୁ ବହୁ ମାତ୍ରାରେ ସୁଧାରିବାରେ ସହାୟକ ହେବ ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛି । ଜଜେୟ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ବିଞ୍ଝାରପୁର ବିଜେଡିର ଜଣେ ତୁଙ୍ଗ ନେତୃତ୍ୱଥିଲେ । ସେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବିଜୁ ଜନତା ଦଳର ବ୍ଲକ ସଭାପତି ଭାବେ କାର୍ଯ୍ୟ କରିବା ସହିତ ୨୦୦୭ରୁ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିନିଧି (ଡିଆରଡିଏ)ଭାବେ କାର୍ଯ୍ୟ କରିଆସିଥିଲେ । ଦଳର ଲିଡର ମାନଙ୍କର ପଲିସି ଜଜେୟଙ୍କ ପସନ୍ଦ ନଆସିବାରୁ ସେ ଦଳରୁ ୨୦୧୭ ଠାରୁ ଦୁରେଇ ରହିଥିଲେ । ଜଜେୟ ବିଜେଡି ଛାଡି ବିଜେପିରେ ସାମିଲ ହେବା ନେଇ ‘ସୂର୍ଯ୍ୟପ୍ରଭା’ ବହୁ ପୂର୍ବରୁ ଆକଳନ କରିଥିଲା । ଫେବ୍ରୁଆରି ୧୫ ରେ ‘ପସନ୍ଦ ହେଲାନି ଦଳ ଓ ଲିଡରଙ୍କ ପଲିସି, ବିଜେଡି ପାଇଁ ଅଲୋଡା ହୋଇଗଲେ ଜଜେୟ’ ଶିର୍ଷକ ଏକ ଖବର ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶ ପାଇଥିଲା । ଜଜେୟଙ୍କ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଏଥର ବିଜେପି ପାଇଁ ବେଶ ଫାଇଦା ହେବ । ବିଜେପିରେ ଜଜେୟ ଯୋଗଦେବା ପରେ ଦଳର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ସେ ନିରବଛିହ୍ନ ଭାବେ କାର୍ଯ୍ୟ କରିବେ ବୋଲି ମତ ଦେବା ସହିତ ବିଜେଡି ଶାସନ କାଳରେ ହୋଇଥିବା ଦୁର୍ନୀତିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଞ୍ଝାରପୁରରେ ସାଧାରଣ ଜନତାଙ୍କ ସ୍ୱାର୍ଥ ନୁହେଁ ବରଂ ଦଳର ନେତାଙ୍କ ସ୍ୱାର୍ଥକୁ ବିଜେଡି ଗୁରୁତ୍ୱ ଦେଇଆସିଛି । ପିସି କାରବାର ବିଞ୍ଝାରପୁରରୁ ବନ୍ଦ କରିବା ତାଙ୍କର ମୂଳଲକ୍ଷ ହେବ । ଗତ ନିର୍ବାଚନରେ ବିଞ୍ଝାରପୁର ବିଧାନସଭା କ୍ଷେତ୍ରରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ପ୍ରମିଳା ୨୧ହଜାରରୁ ଊଦ୍ଧ୍ୱର୍ ଭୋଟ ବ୍ୟବଧାନରେ ବବିତାଙ୍କୁ ପରାସ୍ତ କରିଥିଲେ । ତେବେ ଚଳିତ ନିର୍ବାଚନ ପୂର୍ବରୁ ବିଜେଡିର ଜଜେୟ ଓ ଅଟ୍ଟଳଙ୍କ ବିଜେପିରେ ଯୋଗଦାନ ଭୋଟ ହାର ବ୍ୟବଧାନକୁ ପ୍ରଭାବିତ କରିବ ନିଶ୍ଚୟ । ଗତ ନିର୍ବାଚନରେ ବିଞ୍ଝାରପୁର ବିଜେପି ପାଇଁ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଦକ୍ଷତାର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଚଳିତ ନିର୍ବାଚନରେ ଜଜେୟ ବେହେରା, ଅଟ୍ଟଳ ନାୟକ, କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ନିରଞ୍ଜନ ବେଉରିଆ, ଭୂବନାନନ୍ଦ ସାମଲ, ବିରଞ୍ଚି ନାୟକ ପ୍ରମୁଖଙ୍କ ଭଳି ତୁଙ୍ଗ ନେତୃତ୍ୱ ବବିତାଙ୍କ ନିର୍ବାଚନୀ ଡଙ୍ଗାର ମଙ୍ଗ ସାଜିବେ । ଏମାନଙ୍କ ରଣନୀତି ବିଞ୍ଝାରପୁର ରାଜନୀତିକୁ ହଲଚଲ କରିପାରେ । ଅନ୍ୟପକ୍ଷରେ ରାଜନୀତିରେ ମାହିର ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ବିରୋଧିଙ୍କ ରଣନୀତି ଉପରେ ତିକ୍ଷ୍ଣ ନଜର ରଖି ମୌକାରେ ଚୌକା ମାରିବାକୁ ଅପେକ୍ଷା କରିଛନ୍ତି । ବିଜେପି ପ୍ରାର୍ଥୀ ବବିତା ମଲ୍ଲିକଙ୍କ ଦୁଇ ଭାଇଙ୍କୁ ଦୁଇ ବର୍ଷ ପୂର୍ବରୁ ପ୍ରମିଳା ବିଜେଡିରେ ସାମିଲ କରାଇ ନିଜର ରାଜନୈତିକ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ବିଜେପି ଶିବିରରୁ ଜଣେ ତୁଙ୍ଗ ନେତାଙ୍କ ଉପରେ ଏବେ ପ୍ରମିଳା ଆଖି ପକାଇଛନ୍ତି । ଖୁବଶୀଘ୍ର ବିଜେପି ଶିବିରରୁ ଜଣେ ତୁଙ୍ଗ ନେତାଙ୍କୁ ପ୍ରମିଳା ନିଜ ଦଳରେ ସାମିଲ କରି ବିରୋଧିଙ୍କ ଶିବିରରେ କମ୍ପନ ସୃଷ୍ଟି କରିପାରନ୍ତି । ତେବେ ଉଭୟ ଦଳ ମଧ୍ୟରେ ଚଳିତ ଥର ବିଞ୍ଝାରପୁର ବିଧାନସଭା ଆସନ ପାଇଁ ଘମାଘୋଟ ଲଢେଇ ହେବାକୁ ଯାଉଛି ।