ପାଖେଇଲାଣି ମତଦାନ ତାରିଖ ତାଳଚେର ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର 

ସାଉଥବଲଣ୍ଡାରୁ ରବୀନ୍ଦ୍ର କୁମାର ମହାରଣା :
ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୬୦ ନମ୍ବର ତାଳଚେର ବିଧାନସଭା କ୍ଷେତ୍ରରେ ମତଦାନ ତାରିଖ ପାଖେଇ ଆସିଲାଣି । ଏଠାରେ ମଇ ୨୫ ତାରିଖରେ ଭୋଟଦାନ ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଳଚେର ନିର୍ବାଚନମଣ୍ଡଳୀ । ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ସମେତ ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୦ ଜଣ ପ୍ରାର୍ଥୀ ଚଳିତ ଥର ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । 
ତାଳଚେର ଏକ କୋଇଲାଖଣି ପରିବେଷ୍ଟିତ ତଥା ଶିଳ୍ପାଞ୍ଚଳ ଭାବେ ରାଜ୍ୟ ତଥା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହୋଇଥିବା ବେଳେ ୬୦ନମ୍ବର ତାଳଚେର ଆସନକୁ ଚଳିତ ସାଧାରଣ ନିର୍ବାଚନରେ କିଏ ଅକ୍ତିଆର କରିବ ତାକୁ ନେଇ ଚାଲିଛି ଅଙ୍କକଷା । ବିଗତ ଥରର ନିର୍ବାଚନ ତୁଳନାରେ ଏଥର ଭୋଟର ହୋଇଛନ୍ତି ଅଧିକ ସକି୍ରୟ । ତେବେ ଏଥର ତାଳଚେର ନିର୍ବାଚନମଣ୍ଡଳୀରେ ଭୋଟରମାନଙ୍କର ନୀରବତା ପ୍ରାର୍ଥୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯଦିଓ ପ୍ରାର୍ଥୀମାନଙ୍କର ପ୍ରଚାର ପ୍ରସାର ଏବେ ଶୀର୍ଷରେ ପହଞ୍ଚିଛି । କିନ୍ତୁ ଏଥର ଭୋଟରଙ୍କ ଚୁପଚାପ ତଥା ଅନ୍ତର୍ମୁଖୀ ସ୍ରୋତ କେଉଁ ଆଡ଼େ ଯିବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଉତ୍ସୁକତା ସୃଷ୍ଟି ହୋଇଛି । 
ଗତ୨୦୧୯ ନିର୍ବାଚନରେ ଶାସକ ବିଜେଡ଼ି ଦଳ ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା । ବିଜେଡି ପକ୍ଷରୁ ବ୍ରଜ କିଶୋର ପ୍ରଧାନ ପ୍ରାୟ ୨୫ ହଜାର ଭୋଟ ବ୍ୟବଧାନରେ ବିଜେପି ଦଳର ପ୍ରାର୍ଥି କାଳନ୍ଦି ଚରଣ ସାମଲଙ୍କୁ ପରାଜିତ କରିଥିଲେ । ଯଦିଓ ବିଜେଡି ଓ ବିଜେପି ନିଜ ନିଜର ପ୍ରାର୍ଥୀ ନବଦଳାଇ ପୁରୁଣା ମୁହଁକୁ ସୁଯୋଗ ଦେଇଛନ୍ତି । କିନ୍ତୁ ବିଜେଡି ଏଥର ଗତ ନିର୍ବାଚନରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଭାବେ ମହେଶ ସାହୁଙ୍କ ବଦଳରେ ନୂଆ ପ୍ରାର୍ଥୀ ଡ.ଅବିନାଶ ସାମଲଙ୍କୁ ଦଳୀୟ ପ୍ରାର୍ଥୀ କରିଛି ଏବଂ ମହେଶ ସାହୁଙ୍କୁ ହିନେ୍ଦାଳର ବିଧାୟକ ପ୍ରାର୍ଥୀ ଲଢ଼ାଉଛି । କିନ୍ତୁ ତାଙ୍କ ସମର୍ଥକମାନେ ଏହି ନିର୍ବାଚନରେ ତାଳଚେରରେ ସେପରି ସକ୍ରିୟ ହେଲାଭଳି ଲକ୍ଷ୍ୟ କରାଯାଉନାହିଁ ଏବଂ ସେମାନଙ୍କ ଭୂମିକାକୁ ନେଇ ଏବେ ଶାସକ ଦଳ ବିଜେଡି ଦ୍ୱନ୍ଦରେ ରହିଛି । ସେହିପରି ଚଳିତ ନିର୍ବାଚନରେ ତାଳଚେର ନିର୍ବାଚନମଣ୍ଡଳୀରୁ ପ୍ରାୟ ୨୮ହଜାର ଭୋଟ ଭୋଟର ଚଳିତ ଭୋଟର ତାଲିକାରୁ ବାଦ ପଡିଛନ୍ତି ଏବଂ ସେହି ବାଦ ପଡିଥିବା ଭୋଟର କାହାର କେତେ ତାର ହିସାବ ମଧ୍ୟ ଚଳିତ ନିର୍ବାଚନରେ ବିଶେଷ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । ଏତଦ ବ୍ୟତୀତ ତାଳଚେରର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ହୋଇ ନଥିବାରୁ ଭୋଟର ଏଥର କାହାକୁ ଭୋଟ ଦେବେ ତାହାକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ବ୍ରଜକିଶୋର ପ୍ରଧାନ ଲଗାତାର ତିନିଥର ଜିତି ହାତ୍ରିକ କରିବା ସହିତ ଏଥର ଚତୁର୍ଥ ଥର ନିର୍ବାଚନ ଲଢ଼ି ଜିତିବା ପାଇଁ ଦୃଢ଼ ଆଶାବାଦି ରହିଛନ୍ତି । ସେପଟେ ବିଜେପି ମଧ୍ୟ କଳ,ବଳ କୌଶଳ ଲଗାଇ ଏଥର ଜିତିବାକୁ ପଣ କରିଥିବାର କୁହାଯାଉଛି ।
 ଅତଏବ ଏହି ଦୁଇ ଦଳ ମଧ୍ୟରେ ଚଳିତ ବର୍ଷ ଜୋରଦାର ଲଢେଇ ହେବ ବୋଲି ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି । ତେବେ ଏହା ମଧ୍ୟରେ କଂଗ୍ରେସ ତାର ସାଂସଦ ପ୍ରାର୍ଥୀ ଭାବେ ଜଣେ ଉଚ୍ଚ ଶିକ୍ଷିତା ମହିଳା ଓ ତାଳଚେର ଅଞ୍ଚଳର ନେତ୍ରୀ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ପ୍ରଫୁଲ ଦାସଙ୍କୁ ଲଢ଼େଇକୁ ଓହ୍ଲାଇଛି । ତେଣୁ କଂଗ୍ରେସ କିପରି ଭାବେ ଭୋଟରଙ୍କ ଆସ୍ଥାଭାଜନ ହେବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ସେହିପରି ଏଥରର ନିର୍ବାଚନରେ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଦୃଷ୍ଟି ଦେଇ ତାଳଚେର ଅଂଚଳର ଭୁପେନ ଥମ୍ବ ଏବଂ ସନ୍ତୋଷ କୁମାର ସାହୁ ଏବଂ କଣିହାଁ ଅଞ୍ଚଳର ରୂପକ କୁମାର ପାଣି ଏହିପରି ମୋଟ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏଭଳି ସ୍ଥଳେ ତାଳଚେର ବିଧାନସଭା କ୍ଷେତ୍ରରେ ଭୋଟରଙ୍କ ମୁଡ଼ କିପିରି ରହିବ ଏବଂ କାହାର ବାଜିମାତ ହେବ ତାହାକୁ ନେଇ ସାଧାରଣରେ ଆଲୋଚନା ବେଶ ଜୋର ଧରିଛି ।