ଅମରଙ୍କୁ କେତେ ସାହା ହେବେ ଅମର
ଯାଜପୁରରୁ ଶରତ ପଥାଳ : ଆଉ ମାତ୍ର ପାଞ୍ଚଟା ଦିନପରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଜୁନ ପହିଲାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାରରେ ଗାଁ ଠୁ ସହର କମ୍ପୁଛି । ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ପ୍ରଚାର ଶେଷ ପରେ ବିଜୟ ହାସଲ ପାଇଁ ଅନ୍ଧାରୀ ପ୍ରବେଶ କରିବେ । ଭୋଟ ତାରିଖ ଯେତିକି ପାଖେଇ ଆସୁଛି, ନେତାଙ୍କ ଛାତି ଧକଧକ ସେତିକି ବଢିବାରେ ଲାଗିଛି । ସମୟ ଅପଚୟ ନକରି ପ୍ରାର୍ଥୀ ପ୍ରଚାରରେ ଲାଗିପଡ଼ିଥିବା ବେଳେ ରଣନୀତିକାର ପ୍ରତି ସମୟରେ ପ୍ରତିଦ୍ୱନ୍ଦୀଙ୍କୁ ଦୃବଳ କରିବାକୁ ରଣନୀତି କରିବାରେ ଲାଗିଛନ୍ତି । ବଡଚଣା ବିଜେଡ଼ି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କୁ ବିଜୟୀ କରିବାକୁ କରାଯାଇଥିବା ରଣନୀତିରେ ବିଜେଡ଼ିର ସବୁ ଗୋଷ୍ଠୀ ଏକାଠି କରାଯାଇଛି । ବଡ଼ଚଣାରେ ‘ମାଟି-ପାର୍ଟି’କୁ ନେଇ ଲଢେଇ ହେଉଥିବା ରାଜନୈତିକ ମହଲ ବିଶ୍ୱାସ ରଖୁଥିବା ବେଳେ ବଡ଼ଚଣା ବିଧାୟକ ଅମର ଶତପଥୀଙ୍କୁ ଛାଡ଼ି ଦେଲେ ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ ଜନ୍ମେଜୟ ଲେଙ୍କା, ରାଜନାରାୟଣ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ବିଧାୟକ ଅମରଙ୍କ ଖାସ ଅନୁଗତ କୁହାଯାଉଥିବା ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯତିନ୍ଦ୍ର ନାୟକ, ଅମରଙ୍କ ପ୍ରାର୍ଥିତ୍ୱ ବିରୋଧରେ ସ୍ୱର ଉଠାଇଥିବା ଜିଲା ପରିଷଦ ଗଣେଶ୍ୱର ବରାଳ କୁହ ବା ଅନ୍ୟମାନେ ଦଳ ପାଇଁ ଏକାଠି ହୋଇଛନ୍ତି । ବଡ଼ଚଣାରୁ ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ବିଜୟ ପାଇଁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଦୁଇଦିନ ତଳେ ଛତିଆରେ ଅନୁଷ୍ଠିତ ଯୁବ-ଛାତ୍ର ସମାବେଶରେ ଯୋଗ ଦେଇ କର୍ମୀଙ୍କୁ ଯୋଶ ସହ ହୋସ ରଖିବାକୁ ମରାମର୍ଶ ଦେଇଛନ୍ତି । ପ୍ରାୟ ୭ହଜାରରୁ ଅଧିକ ଯୁବଛାତ୍ରଙ୍କ ଉପସ୍ଥିତିରେ ପ୍ରଣବ ବଡ଼ଚଣା ବିକାଶକୁ କେହି ଅଟକାଇ ପାରିବେନି ବୋଲି କହିଥିଲେ । କିନ୍ତୁ ବଡ଼ଚଣାରେ ବର୍ଷାଙ୍କୁ ଅଟକାଇବାକୁ ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ବିଭିନ୍ନ ସଭାସମିତିରେ ବିଧାୟକ ଅମର ଶତପଥୀଙ୍କ କଥା ଉଠାଇ ସମବେଦନା ହାସଲ ଉଦ୍ୟମ ଜାରି ରଖିଛନ୍ତି । ବିଜେପି ପ୍ରାର୍ଥୀ ଅମର ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ଦୁଃଶାସନ ଜେନା, ମାନଗୋବିନ୍ଦ ସାମଲ, ଡ.ଜଗନ୍ନାଥ ଦାସ, ସୀତାକାନ୍ତ ମହାପାତ୍ରଙ୍କ ପରି ପ୍ରାକ୍ତନ ବିଧାୟକଙ୍କ ନାଁ ସହ ଟିକେଟରୁ ବଞ୍ଚିତ ବିଧାୟକ ଅମରଙ୍କ ନାଁନେଇ ବଡ଼ଚଣାର ସ୍ୱାଭିମାନକୁ ବିଜେଡ଼ି ବିଦେଶୀଙ୍କ ହାତରେ ଟେକି ଦେଇଛି ବୋଲି କହି ଜନମତ ସପକ୍ଷରେ ନେବାକୁ ପୁରା ଦମରେ ଲାଗିପଡ଼ିଛନ୍ତି । ଅମର ବଡ଼ଚଣାର ଗୌରବ କଥା କହି ବିଜେଡ଼ିର ଚକ୍ରାନ୍ତକୁ ଧୂଳିଶାତ କରିବାକୁ ଶୋଭାଯାତ୍ରା, ସମାବେଶରେ ମତରଖି ମତଦାତାଙ୍କ ମନ ଜିଣିବାକୁ ଉଦ୍ୟମ କରି ଚାଲିଛନ୍ତି । ଏଣୁ ଅମରଙ୍କୁ ଅମର କେତେ ସାହା ହେବେ, ତାହା ବଡ଼ଚଣାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଦୁଇଦିନ ତଳେ ବଡ଼ଚଣା ମହୋସôବ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଅମର ଅମରଙ୍କ କଥା ଉଠାଇ ବଡ଼ଚଣାର ଗୌରବ କ୍ଷୁର୍ଣ୍ଣ ଉଦ୍ୟମ କରିଥିବା ବିଜେଡ଼ିକୁ ଜବାବ ଦେବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିନତି କରିଥିଲେ । ମାଟି-ପାର୍ଟିିର କଥା କହୁଥିବା ଅମରଙ୍କ ଅମରବାଣୀ ଭୋଟରଙ୍କୁ କେତେ ପ୍ରଭାବିତ କରିବ, ତାତ ସମୟ କହିବ କିନ୍ତୁ ବିଧାୟକ ଅମରଙ୍କ ନିରବତାରୁ ବିଜେପି ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି । ଅମର ଏବଂ ବିଜେପି ଲକ୍ଷ୍ୟକୁ ଲକ୍ଷ୍ୟଭ୍ରଷ୍ଟ କରିବାକୁ ଜନ୍ମେଜୟ, ରାଜନାରାୟଣ, ଅରବିନ୍ଦ, ଯତିନ୍ଦ୍ର, ଗଣେଶ୍ୱର ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ କାର୍ଯ୍ୟକର୍ତ୍ତା ଲାଗିପଡ଼ିଛନ୍ତି ।
ବଡ଼ଚଣା ବିଜେଡ଼ିକୁ ଯୋଶ ଦେବାକୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବର୍ଷାଙ୍କ ପାଇଁ ଯୁବଛାତ୍ରଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ନଡ୍ଡାଙ୍କ ବିଜୟ ସଂକଳ୍ପ ସମାବେଶ ଦିନ ପ୍ରଣବ ଛତିଆ ଠାରେ ଅନୁଷ୍ଠିତ ଯୁବଛାତ୍ର ସମାବେଶରେ ଯୋଗଦେଇ ବଡ଼ଚଣା ଯେଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନ ସମ୍ମାନ ରଖି ଆସିଛି, ଏଥର ମଧ୍ୟ ରଖିବ ବୋଲି ଆଶା ରଖିଥିଲେ । ବଡ଼ଚଣା ବିକାଶକୁ କୌଣସି ଶକ୍ତି ଅଟକାଇ ପାରିବନି ବୋଲି ବିଧାୟକ ଅମର ଶତପଥୀଙ୍କ ଠାରୁ ଆରମ୍ଭ କରି ଜନ୍ମେଜୟ, ରାଜନାରାୟଣ ସମସ୍ତେ ଦଳ ପାଇଁ ସମର୍ପିତ ବୋଲି ବିଜେପିର ଅମରଙ୍କ ଅମର ପ୍ରସଙ୍ଗ ଉପରେ ଜବାବ ରଖିଥିଲେ । କିନ୍ତୁ ପ୍ରଣବ ବିଧାୟକ ଅମର ବିଜେଡ଼ିର ବୋଲି କହିଥିଲେ ହେଁ ସେ କିନ୍ତୁ ଯୁବଛାତ୍ର ସମାବେଶରେ ଉପସ୍ଥିତ ହୋଇନଥିଲେ । ଏପରିକି ବିଜେଡ଼ି ବର୍ଷାଙ୍କୁ ପ୍ରାର୍ଥୀ କରିବା ପରଠୁ ବିଧାୟକ ଅମର ବିଭିନ୍ନ କାର୍ଯ୍ୟକ୍ରମରେ ନିର୍ବାଚନମଣ୍ଡଳୀକୁ ଆସିଥିଲେ ହେଁ ବର୍ଷାଙ୍କ ପ୍ରଚାର ଅଭିଯାନ କି ସମାବେଶରେ ସାମିଲ ହୋଇନାହାନ୍ତି । ଯାହା ବିଜେପିକୁ ପ୍ରସଙ୍ଗ କରିବାକୁ ବଡ଼ ସୁଯୋଗ ମିଳିଯାଇଛି । ତେବେ ବିଜେପି ପ୍ରାର୍ଥୀ ବିଧାୟକ ଅମରଙ୍କୁ ଏକ ରାଜନୈତିକ ପ୍ରସଙ୍ଗ କରି ପାରିଥିବା ବେଳେ ଶାସକ ଦଳ ଏଥିରୁ ମୁକୁଳି ପାରୁଛି ନା ନାହିଁ ତାହା ଉପରେ ରାଜନୈତିକ ମହଲର ନଜର ରହିଛି । ତେବେ ଫଳାଫଳ ଯାହାବି ହେଉ ନା କାହିଁକି, ବଡ଼ଚଣାରେ ବିଜେଡ଼ି-ବିଜେପି ମଧ୍ୟରେ ବଳକସାକସି ଚାଲିଛି ଏବଂ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ି ଯାଉଛି । ସୂଚନା ଥାଉକି ବଡ଼ଚଣା ବିଧାନସଭା ଆସନରୁ ବିଜେଡ଼ିର ବର୍ଷା, ବିଜେପିର ଅମରଙ୍କୁ ଛାଡ଼ି ଦେଲେ କଂଗ୍ରେସରୁ ଅଜୟ କୁମାର ସାମଲ, ଆପରୁ ବିଜୟ କୁମାର ଦାସ, ବହୁଜନ ସମାଜପାର୍ଟିରୁ ଲକ୍ଷ୍ମୀ ମଳିକ, ନେସନାଲ ଆପନୀ ପାର୍ଟିରୁ ଦେବେନ୍ଦ୍ର କୁମାର ସାମଲ, ସ୍ୱାଧୀନ ଭାବେ ଅଜୟ ଅନୁରାଗ ମହାନ୍ତି, ତରଣି ମଲ୍ଳିକ, ମନୋରଞ୍ଜନ ଜେନା ନିର୍ବାଚନ ଲଢୁଛନ୍ତି । ବଡ଼ଚଣା ବିଜେଡ଼ିର ଗଡ଼ ହୋଇଥିଲେ ହେଁ ୨୦୧୯ରେ ବିଜେପିର ଅମର ନାୟକ ବିଜେଡ଼ିର ଅମର ଶତପଥୀଙ୍କୁ କଡ଼ା ଟକରଦେଇ ମାତ୍ର ୧୪ଭୋଟ ବ୍ୟବଧାନରେ ହାରିଯାଇଥିଲେ । ଅମରଙ୍କ ଠାରୁ ହାରିଯାଇଥିବା ବାଜି ୨୪ରେ ଜିତିବାକୁ ଅମର ଅମରଙ୍କ ନାଁକୁ ଆଶ୍ରା କରିଛନ୍ତି ।