ସମସ୍ୟାଘେରରେ ତଳନହଙ୍ଗ ପ୍ରାଥମିକ ବିଦ୍ୟାଳୟ

ନିଶ୍ଚିନ୍ତକୋଇଲି : ଅବ୍ୟବସ୍ଥା ଘେରରେ ଚାଲିଛି ତଳ ନହଙ୍ଗ ପ୍ରାଥମିକ ବିଦ୍ୟାଳୟ । ମାହାଙ୍ଗା ବ୍ଲକ ଭଉଁରିଆ ପଞ୍ଚାୟତ ଅନ୍ତର୍ଗତ ତଳ ନହଙ୍ଗ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରୁ ପାଣି ବୋହିବା ଓ ବିଦ୍ୟାଳୟର ଫାଟକ ନ ଥିବା ଯୋଗୁ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ଶିକ୍ଷାର ପ୍ରସାର ପାଇଁ ଉକ୍ତ ବିଦ୍ୟାଳୟଟି ଗ୍ରାମର ଜଣେ ବଦାନ୍ୟ  ବ୍ୟକ୍ତି ସ୍ୱର୍ଗତ ଗିରିଧାରୀ ରାଉତ ଜମିଦାନ କରି ୧୯୭୫ ମସିହାରେ ୧ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଥିଲେ । ଏବେ ଶିଶୁ ବାଟିକାକୁ ମିଶାଇ ୬ଟି ଶ୍ରେଣୀ ରହିଛି । ୪୫ ଜଣ ଛାତ୍ରଛାତ୍ରୀମାତ୍ର ଗୋଟିଏ ବଖରାରେ ପାଠ ପଢୁଛନ୍ତି । ରୋଷେଇ ଘରଟି ଭାଙ୍ଗିରୁଜି ଯାଇଥିବାବେଳେ ବର୍ଷାପାଣି ଛାତରୁ ପଡି ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ସେହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଛି । ବିଦ୍ୟାଳୟରେ ଥିବା ପାଇଖାନାଟି ଭାଙ୍ଗିରୁଜି ଯାଇଥିବାବେଳେ ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁନଥିବା ଅଭିଯୋଗ ହେଉଛି ।

  • ଗୋଟିଏ ବଖରାରେ ୬ଟି ଶ୍ରେଣୀ
  • ଭାଙ୍ଗିରୁଜିଗଲାଣି ଗୃହ, ଛାତରୁ ଗଳୁଛି ପାଣି
  • ଅସ୍ୱାସ୍ଥ୍ୟକର ପରିବେଶରେ ହେଉଛି ରୋଷେଇ
  • ବିଶୁଦ୍ଧ ପାନୀୟଜଳ ଅଭାବ

ଉକ୍ତ ବିଦ୍ୟାଳୟ ୨୦୨୦ ମସିହାରେ ନିକଟସ୍ଥ ରାଧାକୃଷ୍ଣ ନୋଡାଲ ଉପ୍ରା ବିଦ୍ୟାଳୟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ସାମଗ୍ରୀ ବଣ୍ଟନ କରାଯାଉଥିବାବେଳେ ଦୀର୍ଘ ୫ ବର୍ଷ ଧରି ବିଦ୍ୟାଳୟକୁ ସମସ୍ତ ସରକାରୀ ଗ୍ରାଣ୍ଟ ପ୍ରଦାନ କରାଯାଉନଥିବାର ଅଭିଯୋଗ ହେଉଛି । ଏ ସଂପର୍କରେ ବହୁବାର ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ତୁରନ୍ତ ଏହି ବିଦ୍ୟାଳୟର ଉନ୍ନତି ପାଇଁ ସରକାରୀସ୍ତରରେ ଆସୁଥିବା ସମସ୍ତ ଅନୁଦାନ ପ୍ରଦାନ କରିବା ପାଇଁ ମାହାଙ୍ଗା ବିଧାୟକ ଓ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ପଦକ୍ଷେପ ନେବାକୁ ଛାତ୍ରାଭିିଭାବକ ଓ ଗ୍ରାମବାସୀ ମହଲରେ ଦାବି ହେଉଛି ।