ନିରବ ଭୋଟର, ଟେନସନରେ ପ୍ରାର୍ଥୀ
ମଝିରେ ଗୋଟିଏ ଦିନ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ଦଳୀୟ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ନିଜ ସପକ୍ଷରେ ଯୋରଦାର ପ୍ରଚାର କରିଛନ୍ତି । ବିଜେଡ଼ି ଗଡ଼ ଯାଜପୁର ଦଖଲ ପାଇଁ ବିଜେପି ପୁରାଦମରେ ଲାଗିପଡ଼ିଛି । ବଡ଼ଚଣାକୁ ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଜେପିନଡ୍ଡା ଗସ୍ତ କରିବା କଥା ହେଉ କି କୋରେଇକୁ ଗୃହମନ୍ତ୍ରୀ ଅମିତ ଶାହ ଗସ୍ତ ଏକଥାକୁ ଦର୍ଶାଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଦିନ ତଳେ ବଡ଼ଚଣା, ଧର୍ମଶାଳା, ବିଞ୍ଝାରପୁର ବିଧାୟକ ପ୍ରାର୍ଥି ଏବଂ ଲୋକସଭା ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିଥିବା ବେଳେ ଆଜି ଶେଷ ଦିନରେ ମାରାଥନ ଗସ୍ତ କରି ଯାଜପୁର, ବରୀ ଏବଂ ସୁକିନ୍ଦା ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେଡ଼ି ବିରୁଦ୍ଧରେ ବିଶୋଦଗାର କରିବା ସହ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ ପାଇଁ ବିଧାୟକ ଓ ଲୋକସଭା ପ୍ରାର୍ଥିଙ୍କୁ ପଦ୍ମଚିହ୍ନରେ ଭୋଟଦେବାକୁ ନିବେଦନ କରିଥିଲେ । ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତା ଭିକେପାଣ୍ଡିଆନ ପ୍ରଚାର କରିଫେରିଥିବା ବେଳେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବଡ଼ଚଣା, ଯାଜପୁରରେ ପ୍ରଚାର କରିବା ସହ କୋରେଇରେ ମାରାଥନ ପ୍ରଚାର କରିଛନ୍ତି । ଆଜି ଶେଷଦିନରେ ପ୍ରାର୍ଥି ମାରାଥନ ପ୍ରଚାର କରିଥିଲେ । କଂଗ୍ରେସର କୌଣସି ରାଷ୍ଟ୍ରୀୟ କି ରାଜ୍ୟ ନେତାଙ୍କୁ କିନ୍ତୁ ଏଥର ଦେଖିବାକୁ ମିଳିଲାନି ସତ କିନ୍ତୁ ଲୋକସଭା ହେଉ କି ବିଧାନସଭା ପ୍ରାର୍ଥୀ ନିଜ ଦମରେ ପ୍ରଚାର କରି ଭୋଟରଙ୍କ ନିକଟତର ହୋଇଥିଲେ । ତେବେ ବିଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି । ଫ୍ରଣ୍ଡ ଲାଇନ୍ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଛାଡ଼ିଦେଲେ ସାଧାରଣ ଭୋଟର ପୁରା ନିରବ । କାହାକୁ ଭୋଟ ଦେବେ, କିଏ ଜିତିବ, ତାହା କଳନା କରିବା ଏଥର ସହଜ ହୋଇନି । ପ୍ରାର୍ଥୀ ପ୍ରଚାର କରି ଭୋଟ ମାଗୁଥିଲେ ହେଁ ଭୋଟରଙ୍କୁ ପଢିବା କଷ୍ଟକର ହୋଇପଡ଼ିଛି । ବିଜେପି ପରିବର୍ତ୍ତନର ନାରା ଦେଇ ଲଢୁଥିବା ବେଳେ ବିଜେଡ଼ି ବିକାଶ ଏବଂ କଂଗ୍ରେସ ଗ୍ୟାରେଣ୍ଟି କଥା କହି ଭୋଟ ମାଗୁଛି । ହେଲେ ଭୋଟରଙ୍କ ନିରବତା ପ୍ରାର୍ଥୀଙ୍କୁ ଟେନସନରେ ପକାଇ ଦେଇଛି । ଜୁନ ୧ରେ ଭୋଟ ୪ରେ ଫଳାଫଳ ପ୍ରକାଶ ପରେ ଭୋଟରଙ୍କ ମନରେ କ’ଣ ଥିଲା ତାହା ଜଣାପଡ଼ିଯିବ ।
ଉପସ୍ଥାପନା : ଯାଜପୁରରୁ ଶରତ ପଥାଳ