ଲୋକସଭା ଓ ୪ ବିଧାନସଭା ଆସନରେ ବିଜେପି
ପୁରୀ: ପୁରୀ ଜିଲ୍ଳାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୪ଟିରେ ବିଜେପି ବିଜୟ ହାସଲ କରିଥିବା ବେଳେ ୨ଟି ଆସନ ଦଖଲ କରିଛି ବିଜେଡ଼ି । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସୁପୁତ୍ର ବିଜେଡ଼ି ପ୍ରାର୍ଥୀ ସୁନୀଲ କୁମାର ମହାନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ୫୫୭୬ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଭାତି ପରିଡ଼ା । ଶ୍ରୀମତୀ ପରିଡ଼ା ୯୫୧୨୬ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ୯୦୬୬୮ଟି ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ କୁମାର ରାଉତରାୟଙ୍କୁ ମିଳିଛି ମାତ୍ର ୭୦୩୦ଖଣ୍ଡ ଭୋଟ । ଏହି ନିର୍ବାଚନ ମଣ୍ଡଳୀରେ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ । କାକଟପୁର ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ତୁଷାରକାନ୍ତୀ ବେହେରା । ଶ୍ରୀ ବେହେରା ୫୮୦୨୪ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ପାଇଛନ୍ତି ୪୩୯୨୪ ଖଣ୍ଡ ଭୋଟ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ଶୋଚନୀୟ ପରାଜୟ ଘଟିଛି । ବିଜେପି ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର ୮୭୨୯୪ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଦାସବର୍ମାଙ୍କୁ ମିଳିଛି ୬୯୫୮୬ଖଣ୍ଡ ଭୋଟ । କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ରଥ ମାତ୍ର ୨୧୯୯ ଖଣ୍ଡ ଭୋଟ ପାଇଛନ୍ତି । ପିପିଲି ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ରୁଦ୍ରପ୍ରତାପ ମହାରଥୀଙ୍କୁ ୧୪୯୯୮ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ୯୮୮୦୩ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଶ୍ରୀ ମହାରଥୀ ୮୩୮୦୫ଖଣ୍ଡ ଭୋଟ ପାଇଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିଛି । ଏହି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କୁ ୭୭୨୭ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ନବାଗତା ଉପାସନାଙ୍କୁ ୭୯୧୭୧ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ି ପ୍ରାର୍ଥୀ ଶ୍ରୀ ସାମନ୍ତରାୟଙ୍କୁ ୭୧୪୪୪ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ମିତ୍ରଭାନୁ ମହାପାତ୍ର ଶୋଚନୀୟ ପରାଜୟ ବରଣ କରିଛନ୍ତି । ତାଙ୍କୁ ମିଳିଛି ମାତ୍ର ୧୦୨୨ ଖଣ୍ଡ ଭୋଟ । ଏହି ନିର୍ବାଚନ ମଣ୍ଡଳୀରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ । ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ଼ାକ୍ତର ସମ୍ବିତ ପାତ୍ର ବିଜୟ ହାସଲ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ିର ଅରୂପ ପଟ୍ଟନାୟକଙ୍କୁ ପରାଜିତ କରିଛନ୍ତି ।