କିଏ ଚଢିବ ନାଲିବତି ଗାଡ଼ି; କାହା ଉପରେ ପ୍ରସନ୍ନ ହାଇକମାଣ୍ଡ

ଯାଜପୁର: ନବୀନଙ୍କ ସ୍ୱଚ୍ଛ ଶାସନକୁ ପରାହତ କରି ମୋଦି ଲହରରେ ବିଜୟ ହାସଲ କରିଥିବା ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ଆସନ୍ତା ୧୦ ତାରିଖରେ ଶପଥ ନେବେ । ମୁଖ୍ୟମନ୍ତ୍ରୀ କିଏ ହେବେ ଯଦିଓ ଏଯାବଦ ଚୟନ ହୋଇନି, କିନ୍ତୁ ଶପଥ ଗ୍ରହଣ ଉତ୍ସବ ପାଇଁ ମଇଦାନ ପ୍ରସ୍ତୁତି ହେଲାଣି । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବଡ଼ବଡ଼ ନେତା ଶପଥ ଗ୍ରହଣ ଉସôବରେ ସାମିଲ ହେବେ । ଉକ୍ତ ଉତ୍ସବରେ ମନ୍ତ୍ରୀ ମଧ୍ୟ ଶପଥ ନେବେ । କିଏ ମୁଖ୍ୟମନ୍ତ୍ରୀ ହେବେ କିଏ ମନ୍ତ୍ରୀ ତାହା ବିଜେପିର ଦଳୀୟ ବ୍ୟାପାର । କିନ୍ତୁ ବିଜେଡ଼ି ଗଡ ଯାଜପୁରକୁ ଦୋହଲାଇ ଦେଇଥିବା ୩ଜଣ ବିଧାୟକ ମଧ୍ୟରୁ କିଏ ନାଲିବତି ଗାଡ଼ି ଚଢିବେ, ତାହା ଯାଜପୁର ଜିଲାରେ ମୁଖ୍ୟ ଆଲୋଚନାର ବିଷୟ ହୋଇପଡ଼ିଛି । ବିଜେଡ଼ିକୁ ଜବର ଝଟକା ଦେଇଥିବା ବିଜେପିର ଆକାଶ ଦାସନାୟକ, ପ୍ରଦୀପ ବଳସାମନ୍ତ ଏବଂ ଅମର ନାୟକଙ୍କ ମଧ୍ୟରୁ ଦଳ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବ, ତାହାକୁ ନେଇ ଯାଜପୁରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାଜପୁର ଜିଲାରୁ ବିଜେପି ୩ଟି ଆସନରେ ବିଜୟୀ ହୋଇଛି । ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ବିଜୟୀ ହୋଇ ବିଜେପିକୁ ଫେରିବା ପରେ ସଂଖ୍ୟା ୪ରେ ପହଞ୍ଚିଛି । ତେବେ ରାଜ୍ୟ ରାଜନୀତିରେ ଯାଜପୁର ଜିଲାର ଗୁରୁତ୍ୱ ରହି ଆସିଛି । 
କଂଗ୍ରେସ ସମୟରୁ କୁହ କି ଜନତା ବା ବିଜେଡ଼ି ଶାସନକାଳରେ ଏହା ଦେଖାଯାଇଛି । ଏଣୁ ବିଜେପି ଭବିଷ୍ୟତ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ଯାଜପୁର ଜିଲାରୁ ଦୁଇଜଣ ବିଧାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ବିଜେପି ହାଇକମାଣ୍ଡ ଯଦି ଯାଜପୁର ଜିଲାରୁ କାହାକୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ଆଗ୍ରହ ରଖନ୍ତି, ତେବେ ପ୍ରଥମ ଚୟନ କୋରେଇ ବିଧାୟକ ଆକାଶ ଦାସନାୟକଙ୍କୁ ପରିପାରନ୍ତି । ଆକାଶ ଜଣେ ଅଭିଜ୍ଞ ଏବଂ କୋରେଇରୁ ୨ଥର ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ଲାଭ କରିବା ସହ ବିଜେଡ଼ିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶଦାସଙ୍କ ମାଆଙ୍କୁ ହରାଇଥିବାରୁ ଦଳ ତାଙ୍କୁ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ସରଳ ବ୍ୟକ୍ତିତ୍ୱ ଆକାଶଙ୍କୁ ମନ୍ତ୍ରୀମଣ୍ଡଳରେ ନେବାକୁ ସାମିଜିକ ସୋସିଆଲ ମିଡ଼ିଆ ମାଧ୍ୟରେ ଅନେକ ଦାବି କରିବା ଆରମ୍ଭ କରି ଦେଇଛନ୍ତି । ଆକାଶଙ୍କ ବ୍ୟତିତ ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତଙ୍କ ସମର୍ଥକ ମଧ୍ୟ ତାଙ୍କ ନେତାଙ୍କୁ ମନ୍ତ୍ରୀପଦ ମିଳିବାର ଆଶା ରଖୁଛନ୍ତି । ଦୁଇଥର ହାରିବା ପରେ ତୃତୀୟ ଥର ବିଜୟଲାଭ କରିଥିବା ପ୍ରଦୀପ ବିଜେଡ଼ିର ହେବିୱେଟ ନେତା ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ହରାଇଥିବାରୁ ତାଙ୍କ ସମର୍ଥକ ପ୍ରଦୀପ ନାଲିବତି ଗାଡ଼ି ଚଢିବାକୁ ଆଶବାନ୍ଧି ବସିଛନ୍ତି । ସୁକିନ୍ଦା ନିର୍ବାଚନମଣ୍ଡଳୀଟି ଖଣି ଏବଂ ଶିଳ୍ପରେ ପରିପୂୂର୍ଣ୍ଣ ହୋଇଥିବା ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖଲୋକ ହୋଇଥିବାରୁ ସମର୍ଥକ ଏଭଳି ଆଶା କରିବସିଛନ୍ତି । ସିନେ ଅଭିନେତ୍ରୀ ବର୍ଷାପ୍ରୀୟଦର୍ଶନୀଙ୍କୁ ହରାଇ ବଡ଼ଚଣା ବିଜୟ ଲାଭ କରିଥିବା ଅମର ନାୟକ ରାଜନୀତିରେ ଅନୁଭବୀ । ଲଗାତାର ଦୁଇଥର ପରାଜୟ ପରେ ବିଜୟଲାଭ କରିଥିବା ଅମରଙ୍କ ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତାଙ୍କ ସହ ଭଲ ସଂପର୍କ ରହିଛି । 
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ ଲୋକ ବୋଲି ସମସ୍ତେ ଜାଣନ୍ତି । ଏଣୁ ସମର୍ଥକ ନାଲିବତି ଗାଡ଼ି ମିଳିବା ଆଶାରେ ରହିଛନ୍ତି । କିନ୍ତୁ ବିଜେପି ହାଇକମାଣ୍ଡ ଆକାଶ, ପ୍ରଦୀପ ଏବଂ ଅମରଙ୍କ ମଧ୍ୟରୁ କାହା ଉପରେ ପ୍ରସନ୍ନ ହେଉଛନ୍ତି ତାହା ଆସନ୍ତା ୧୦ ତାରିଖରେ ନୂଆ ସରକାର ସପଥ ନେବା ପୂର୍ବରୁ ହିଁ ଜଣାପଡ଼ିଯିବ । ଯାହା ଉପରେ ପୁରା ଜିଲାବାସୀଙ୍କ ନଜର ରହିଛି ।