ଅତନୁ ଓ ଅଂଶୁମାନଙ୍କ ପରାଜୟ, କାରଣ ଖୋଜୁଛନ୍ତି ସମର୍ଥକ
କେନ୍ଦ୍ରାପଡ଼ାରୁ ରବିନାରାୟଣ ପତି : ୨୦୨୪ ନିର୍ବାଚନରେ ରାଜ୍ୟରେ ଚକିତ କଳା ଭଳି ଫଳାଫଳ ଆସିଛି । ୨୫ ବର୍ଷର ବିଜେଡି ସରକାର ର ପତନ ଘଟିଛି । ଅପରାଜେୟ କୁହା ଯାଉଥିବା ବିଜେଡି ବିଧାୟକ ସଂଖ୍ୟା ୫୦ ଭାଗ କମି ଯାଇଥିବା ବେଳେ କେନ୍ଦ୍ରାପଡାରେ ଏହାର ଆଂଶିକ ପ୍ରଭାବ ପଡିଛି । ବିଜେଡିର ଦୁର୍ଗ ଭାବେ କୁହାଯାଉ ଥିବା କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହା ସହ ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ତଥା ବିଜେଡିର ସଂକଟମୋଚକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଅପ୍ରତ୍ୟାଶିତ ଭାବେ ନବାଗତ ବିଜେପି ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ପରାଜିତ ହେବା ଜିଲା ବିଜେଡି ସଂଗଠନକୁ ଶକ୍ତ ଆଘାତ ମିଳିଛି । ଏହାକୁ ଅତନୁଙ୍କ ଶୁଭେଚ୍ଛୁ ସମର୍ଥକ ଓ ଜିଲ୍ଲାର ବିଜେଡି ସଂଗଠକ ମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । କେଉଁ କାରଣରୁ ଅତନୁଙ୍କ ପରାଜୟ ଘଟିଲା ଓ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ମଧ୍ୟ ସମଦଶା ଭୋଗ କରିବାକୁ ପଡିଲା ଏହାକୁ ନେଇ ଦଳୀୟ ମହଲରେ ମାନସମନ୍ଥନ ଆରମ୍ଭ ହୋଇ ଯାଇଛି । ବହୁ ଦଳୀୟ ନେତା ଏଭଳି ବିପର୍ଯ୍ୟୟକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଅତନୁ ସବ୍ୟସାଚ୍ଚୀ ନାୟକଙ୍କର ପରାଜୟରେ ସମର୍ଥକ ଓ ଜିଲ୍ଲାବାସୀ ନିରାଶ ହୋଇ ପଡିଛନ୍ତି । ଶ୍ରୀ ନାୟକଙ୍କୁ ବିଜେପିର ନୂତନ ଭାବେ ପ୍ରାର୍ଥୀ ହୋଇଥିବା ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ ପରାଜିତ କରିଛନ୍ତି । କାରଣ ଦେଖିବାକୁ ଗଲେ ମହାକାଳପଡା ମତଦାତା ଙ୍କ ମଧ୍ୟରେ ଦୀର୍ଘ ଦିନର ଅସନ୍ତୋଷ ଥିବା ଏବଂ ଶ୍ରୀ ନାୟକଙ୍କର କେତେକ ସମର୍ଥକ ଓ କର୍ମୀମାନେ ସେଠାରେ କିଛିବର୍ଷ ହେଲା ଦୁର୍ନିତିରେ ଲିପ୍ତ ରହିଥିବା ଜାଣୁଥିଲେ ମଧ୍ୟ ବରିଷ୍ଠ ନେତା ନିରବ ରହୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ ପଟରେ ମତଦାତା ମାନଙ୍କର ଆକ୍ରୋଷ ସାମନାକୁ ନଆସି ଥିଲେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରି ବିପୁଳ ଭୋଟରେ ଡ଼ଃ ଶ୍ରୀ ନାୟକଙ୍କୁ ବିଜୟୀ କରାଇଛନ୍ତି । ଆଉ ଏକ ମୁଖ୍ୟ ସମସ୍ୟା ହେଲା ଦୀର୍ଘ ୭୦ ବର୍ଷ ହେଲା ସେଠାରେ ବଙ୍ଗୀୟ ଶରଣାର୍ଥୀ ମାନେ ସେମାନଙ୍କର ଜମି ଜମା ସମସ୍ୟାକୁ ନେଇ ବାରମ୍ବାର ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ସ୍ତାନୀୟ ନେତା ଓ ରାଜ୍ୟ ସରକାର ପ୍ରତିଶୃତି ଦେଉଥିବା ବେଳେ ଏହାର ସମାଧାନ ହୋଇପାରିଲା ନାହିଁ । ଯାହା ଫଳରେ ଏହି ବଙ୍ଗୀୟ ମତଦାତା ମାନେ ମଧ୍ୟ ତାଙ୍କୁ ସମର୍ଥନ ଦେଇ ନଥିବା ଜଣାପଡିଛି । ଶରଣାର୍ଥୀ ମାନଙ୍କ ମଧ୍ୟରୁ କେତେକ ଶରଣାର୍ଥୀ ମାନଙ୍କୁ ସ୍ଥାୟୀ ଜମି ପଟା ମିଳିଥିବା ବେଳେ ଆହୁରି ଅନେକ ଶରଣାର୍ଥୀ ମାନଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ କ୍ରମେ ମଧ୍ୟ ପ୍ରଶାସନ ତାଙ୍କୁ ପଟା ଦେଉ ନଥିବାରୁ ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକଙ୍କର ସହଯୋଗ ରେ ଟାଳଟୁଳ ନୀତି ରହିଥିବା କେତେକ ଶରଣାର୍ଥୀ ନିଜର ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ମହାକାଳପଡା ବିଜେଡିର କର୍ମୀ ଓ ସ୍ଥାନୀୟ ନେତା ଦୀର୍ଘ ବର୍ଷ ହେଲା ଶ୍ରୀ ନାୟକଙ୍କ ସାଙ୍ଗରେ ରହି ସମସ୍ତ ପ୍ରକାର ସ୍ୱାର୍ଥ ହାସଲ କରିଥିଲେ ମଧ୍ୟ ଚଳିତ ନିର୍ବାଚନ ରେ ବିଶ୍ୱାସ ଘାତକତା କରିଥିବା ମଧ୍ୟ ଏକ କାରଣ ବୋଲି ଆଲୋଚନା ହେଉଛି । ଏହି ସମର୍ଥକ ମାନେ ପ୍ରଚାର ସମୟରେ ବେକରେ ଦଳୀୟ ଶଙ୍ଖ ଗାମୁଛା ପକାଇ ପଦ୍ମରେ ଭୋଟ ଦେବାପାଇଁ ଇଶାରା ରେ ମତଦାତା ମାନଙ୍କୁ କହିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସେହିପରି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଦୃଢ ବିଶ୍ୱାସ ଯେ ଦୀର୍ଘ ୬୫ ବର୍ଷ ହେଲା କେନ୍ଦ୍ରାପଡା ଜିଲ୍ଲା ଅଣ କସେଗ୍ରସର ଦୁର୍ଗ ରହି ଜନତା ଦଳ ଓ ବିଜେଡିର ଲୋକସଭା ପ୍ରାର୍ଥୀକୁ ଲକ୍ଷାଧିକ ଭୋଟରେ ବିଜୟୀ କରି ଆସୁଛି । କିନ୍ତୁ ଚଳିତ ନିର୍ବାଚନରେ ଜିଲ୍ଲାର ଅଧିକାଂଶ ଭୋଟର ମାନେ ନିରବତା ରକ୍ଷା କରି ମତଦାନ ସମୟରେ ଗୋଟିଏ ଭୋଟ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଦେଇଥିବା ବେଳେ ଅନ୍ୟ ଗୋଟିଏ ଭୋଟ ପଦ୍ମ ଚିହ୍ନରେ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେଇଥିବା ଜଣାପଡିଛି । ଗତ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡା ଲୋକସଭାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀ ମହାନ୍ତି ପ୍ରାୟ ୨ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କେନ୍ଦ୍ରାପଡାକୁ ଆସି ନଥିବା ଏବଂ କେନ୍ଦ୍ରାପଡା ସହ କୈାଣସି ସଂପର୍କ ରଖି ନଥିବାରୁ ଏଥିରେ ଜିଲ୍ଲାବାସୀଙ୍କର ମନ ଭାଙ୍ଗି ଯାଇଥିବା ବେଳେ ବିଜେଡି ପ୍ରାର୍ଥୀକୁ ମତଦାନ ନକରିବା ପାଇଁ ମନେ ମନେ ସ୍ଥିର କରିଥିଲେ । ଯାହାର ପରିଣାମ ରେ ୬୫ ବର୍ଷର ଇତିହାସ ଭାଙ୍ଗି ଚୁରମାର ୍ ହେବା ସହ ଚଳିତ ନିର୍ବାଚନ ରେ ଅଂଶୁମାନଙ୍କର ପରାଜୟର କାରଣ ବୋଲି ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଅନୁଭବ କେନ୍ଦ୍ରାପଡା ସହ ସଂପର୍କ ଚ୍ଛିନ୍ନ କରିଥିବା ବେଳେ ଶ୍ରୀ ବୈଜୟନ୍ତ ପଣ୍ଡା ଜିଲ୍ଲାର ଅନେକ ସ୍ଥାନରେ ଘରପୋଡି, ଦୁର୍ଘଟଣା ରେ ମୃତ ପରିବାରକୁ ସହାୟତା ଓ ଶ୍ରାଦ୍ଧ ସଭା, ବିବାହ, ବାତ୍ୟା, ମରୁଡି, ବନ୍ୟା ସମୟରେ କେନ୍ଦ୍ରାପଡା ଜିଲ୍ଲାକୁ ଆସି ଲୋକଙ୍କୁ ସହାୟତା ଦେବା ସହ ନିଜର ଲୋକପ୍ରିୟତାକୁ ବଜାୟ ରଖିଥିଲେ । ଯାହାଦ୍ୱାରା ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ଉଦେ୍ଦଶ୍ୟରେ ମତଦାତା ମାନେ ବିଜେପିର ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଭୋଟ ଦେଇ ବିଜୟୀ କରାଇଛନ୍ତି ।