ରାଜ ପରିବାର ପାଇଁ ସମ୍ମାନର ଲଢ଼େଇ

ଭୁବନେଶ୍ୱରରୁ ରଶ୍ମିତା ବେହେରା : ଏକଦା ବଲାଙ୍ଗୀର ରାଜନୀତିରେ ରାଜ ପରିବାରର ଦବଦବା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ରାଜ ପରିବାରର ପତିଆରା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଚବିଶ ନିର୍ବାଚନ ବଲାଙ୍ଗୀର ରାଜ ପରିବାର ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ୨୦୧୯ରେ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାର ନିର୍ବାଚନୀ ରାଜନୀତିରେ ହଜି ଯାଇଥିôବାବେଳେ କନକବର୍ଦ୍ଧନ ସିଂହଦେଓ ଦୁଇ ଦଶନ୍ଧି ପରେ ବିଧାନସଭା ମାଟି ମାଡ଼ି ପାରିନଥିଲେ । ଏବେ ଉଭୟ ବିଜେଡ଼ି ଓ ବିଜେପି ରାଜ ପରିବାରକୁ ଟିକେଟ ଦେଇଥିବାବେଳେ ସେମାନଙ୍କର ରାଜନୀତିକ ଭବିଷ୍ୟତ କ’ଣ ହେବ ତାହା ଉପରେ ନଜର ରହିଛି ।
ଓଡ଼ିଶା ରାଜନୀତିକ ଇତିହାସରେ ବଲାଙ୍ଗୀର ରାଜ ପରିବାରର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପରିବାରରୁ ରାଜେନ୍ଦ୍ର ନାରାୟଣ ସିଂହଦେଓ ବିରୋଧୀ ଦଳ ନେତା ଓ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ପରେପରେ ଅନଙ୍ଗ ଉଦୟ ସିଂହଦେଓ ଓ କନକବର୍ଦ୍ଧନ ସିଂହଦେଓ ରାଜ ପରିବାରର ଲିଗାସୀ ଆଗକୁ ନେଇଥିଲେ । ଅନଙ୍ଗଉଦୟ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ବଲାଙ୍ଗୀର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିଲେ । ସେହିପରି ୧୯୯୫ରୁ ପାଟଣାଗଡ଼ କନକବର୍ଦ୍ଧନଙ୍କ ଗଡ଼ରେ ପରିଣତ ହୋଇଥିଲା । ସେ ୨୦୧୪ ପର୍ଯ୍ୟନ୍ତ ଲଗାତର ଭାବେ ଜିତି ଆସୁଥିଲେ । ତେବେ ୨୦୧୯ରେ ସେ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଥିଲେ । ସେପଟେ ୨୦୦୯ ଓ ୨୦୧୪ରେ କଳିକେଶ ବଲାଙ୍ଗୀର ସାଂସଦ ହୋଇଥିବାବେଳେ ୧୯୯୮, ୧୯୯୯, ୨୦୦୪ ଓ ୨୦୧୯ରେ ସଂଗୀତା ଲୋକସଭାକୁ ଯାଇଥିଲେ ।
୨୦୧୯ ବେଳକୁ ଏୟୁ ସିଂହଦେଓ ବି ଆଉ ରାଜନୀତିରେ ସକ୍ରିୟ ରହିନଥିଲେ । ତାଙ୍କର ସାନ ପୁଅ ଅର୍କେଶ ସିଂହଦେଓ ବଲାଙ୍ଗୀର ବିଧାନସଭାରୁ ପରାସ୍ତ ହୋଇଥିବାବେଳେ ତାଙ୍କ ବଡ଼ ପୁଅ କଳିକେଶ ସିଂହଦେଓ ବଲାଙ୍ଗୀର ଲୋକସଭା ଆସନରୁ ପରାସ୍ତ ହୋଇଥିଲେ । ତେବେ ନିର୍ବାଚନରେ ସଂଗୀତା ସିଂହଦେଓ ବିଜୟୀ ହୋଇ ରାଜ ପରିବାରର ନାଁ ରଖିଥିଲେ ।
ଚବିଶରେ କିନ୍ତୁ ସ୍ଥିତି ବଦଳିଯାଇଛି । ଏଥର ଏୟୁଙ୍କ ପରିବାରରୁ ଜଣଙ୍କୁ ହିଁ ଟିକେଟ ମିଳିଛି । ପୂର୍ବରୁ ଏୟୁଙ୍କ ପରିବାରକୁ ଦୁଇଟି ଟିକେଟ ମିଳି ଆସୁଥିଲା । ବଡ଼ପୁଅ କଳିକେଶ ଏଥର ଲୋକସଭା ବଦଳରେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ତେବେ ବିଜେପି ପୁଣି କନକବର୍ଦ୍ଧନଙ୍କୁ ପାଟଣାଗଡ଼ ଓ ସଂଗୀତାଙ୍କୁ ବଲାଙ୍ଗୀର ଲୋକସଭା ଟିକେଟ ଦେଇଛି । କନକବର୍ଦ୍ଧନଙ୍କୁ ଗତଥର ସରୋଜ ମେହେର ହରାଇଥିବାବେଳେ ପୁଣିଥରେ ସେ ବିଜେଡ଼ି ଟିକେଟ ପାଇଛନ୍ତି । ସେପଟେ ୨୦୧୪ରେ ଅନଙ୍ଗ ଉଦୟ ସିଂହଦେଓ ଓ ୨୦୧୯ରେ ଅର୍କେଶ ସିଂହଦେଓ ଭେଟେରାନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଠାରୁ ହାରି ଯାଇଥିଲେ । ଏଥର କଳିକେଶଙ୍କର ଲଢ଼େଇ ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ ସହ ହେବ । ଅର୍ଥାତ ଦୁଇ ରାଜ ପରିବାରର ପ୍ରତିଦ୍ୱନ୍ଦ୍ୱୀ ସମାନ ରହିଛନ୍ତି । ସେହିପରି ବଲାଙ୍ଗୀରରେ ବିଜେପିକୁ ଚେକ ଦେବା ପାଇଁ କଂଗ୍ରେସ ନେତାଙ୍କୁୁ ଦଳକୁ ଆଣି ବିଜେଡ଼ି ଟିକେଟ ଦେଇଛି । ସୁରେନ୍ଦ୍ର ସିଂ ଭୋଇଙ୍କର ଭଲ ସଂଗଠନ ରହିଥିବାବେଳେ ନିଶ୍ଚିତ ଭାବେ ତାହା ସଂଗୀତାଙ୍କ ପାଇଁ ଆହ୍ୱାନ ସୃଷ୍ଟିକରିଛି । ଚବିଶରେ ରାଜ ପରିବାରର ଟେକ ରହୁଛି ନାଁ ନାକ ନିଶ ତଳେ ପଡୁଛି ତାହା ଦେଖିବାକୁ ବାକି ରହିଲା ।