ଜଳ ନିଷ୍କାସନରେ ବାଧକ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ଜଳ ନିଷ୍କାସନରେ ବାଧକ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

   
ରାଜନଗର, : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ-ଗୁପ୍ତି କ୍ରିକ୍ର ଗୁପ୍ତି ନିକଟରେ ଚେକଡ୍ୟାମ ନିର୍ମାଣ ସରିବାର ତିନିବର୍ଷ ପରେ ସଟର ଲାଗିଥିଲେ ମଧ୍ୟ ବର୍ଷେ ହେଲା ଚେକଡ୍ୟାମ କାର୍ଯ୍ୟକ୍ଷମ ହୋଇନି । ଗୁପ୍ତିଠାରେ ଡ୍ରେନେଜ ଡିଭିଜନ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚେକଡ୍ୟାମ ବା ସ୍ଲୁଇସ ନିର୍ମାଣକୁ ଚାରିବର୍ଷ ବିତି ଗଲାଣି । ଡ୍ରେନେଜ ଡିଭିଜନ ପକ୍ଷରୁ ଏହି କ୍ରିକର ଶେଷମୁଣ୍ଡ (ଗୁପ୍ତି)ରେ ପାଟ୍ଟଶାଳା ନଦୀକୁ ଲାଗି ଏହି ଚେକଡ୍ୟାମ ନିର୍ମାଣ କରାଯାଇଛି ।  ଡ୍ରେନେଜ ଡିଭିଜନ ପକ୍ଷରୁ ଚେକଡ୍ୟାମ ନିର୍ମାଣ କରିବାର ତିନିବର୍ଷ ପରେ ମେକାନିକାଲ ଡିଭିଜନ ଚେକଡ୍ୟାମରେ ସଟର ଲଗାଇଥିଲା । ସବୁଠାରୁ ବଡକଥା ହେଲା, ଏହି ଚେକଡ୍ୟାମ ସମ୍ମୁଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ରହିଛି । ଯାହାଫଳରେ ଚାଷୀମାନେ ବର୍ଷାର ଅଭାବ ସମୟରେ କ୍ରିକ୍ରୁ ଜଳସେଚନ କରିପାରିବେ ନାହିଁ । ମୁଖ୍ୟତଃ ଏହି ୧୪କି.ମି.୨ଶହ ମିଟର ଲମ୍ବର କ୍ରିକ୍ ଦ୍ୱାରା ଚାନ୍ଦିବାଉଁଶମୂଳ, ଭିତରଗଡ, କଣ୍ଡିରା, କୁରୁଣ୍ଟି, ଡେରା, ହାତିନା, ଗୁପ୍ତି ପ୍ରଭୃତି ୭ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରୁ ଉଦ୍ବୃତ ବର୍ଷାଜଳ ପାଟ୍ଟଶାଳା ନଦୀଦେଇ ସମୁଦ୍ରକୁ ପ୍ରବାହିତ ହେବ । ଆବଶ୍ୟକ ସମୟରେ କ୍ରିକ୍ ମଧ୍ୟରେ ଗଛିତ ଥିବା ମଧୁରଜଳକୁ କୃଷି କାର୍ଯ୍ୟରେ ବିନିଯୋଗ କରାଯାଇ ପାରିବ । ମାତ୍ର ବର୍ତ୍ତମାନ ଯେଭଳି ଭାବେ ରାସ୍ତା ରହିଛି, ଏହି ଚେକଡ୍ୟାମର ଗୁରୁତ୍ୱ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ଆମ ରାସ୍ତା ନୁହେଁ । ସେ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ଯାଉଛି ବୋଲି କହିଥିଲେ । ଏନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱରଂଜନ ସ୍ୱାଇଁଙ୍କୁ ପଚାରିବାରୁ ସେ ରାସ୍ତା ଆମର ନୁହେଁ । ଆମେ କେମିତି ସେ ରାସ୍ତା ସଂପର୍କରେ କହିବୁ ବୋଲି ଓଲଟା ପ୍ରଶ୍ନ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ବାସ୍ତବରେ ଏ ରାସ୍ତା କାହାର । ଦୁଇଟି ବିଭାଗର ଯନ୍ତ୍ରୀଙ୍କ ମଧ୍ୟରୁ କିଏ କହୁଛି ସତ ? ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।