ପଞ୍ଜୀକରଣ କଲେଣି ସାଢ଼େ ୩ହଜାର: ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର : ଆସନ୍ତା ୮ତାରିଖରୁ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ଜନତା ମଇଦାନରେ ଚାଲିଥିବା ପ୍ରସ୍ତୁତିକୁ ରବିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ସମୀକ୍ଷା କରିଛନ୍ତି। ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବର୍ତ୍ତମାନ ସୁଦ୍ଧା ସାଢ଼େ ୩ ହଜାର ପ୍ରବାସୀ ଭାରତୀୟ ପଞ୍ଜୀକରଣ କରି ସାରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଥିଲେ, ତିନିଦିନ ଧରି ପ୍ରତ୍ୟେକ କାର୍ୟ୍ୟକ୍ରମ ଜନତା ମଇଦାନରେ ହେବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି; କିନ୍ତୁ ୫୦୦ ପ୍ରବାସୀ ଭାରତୀୟଙ୍କୁ ନେଇ ଇନଭେଷ୍ଟମେଣ୍ଟ ଓଡ଼ିଶା ସମ୍ମିଳନୀ ଗୋଟିଏ ତାରକା ହୋଟେଲରେ କରାଯିବ। ଏହି କାର୍ୟ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ନଥିଲା; ଶନିବାର ଏଭଳି କାର୍ୟ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ। ପ୍ରବାସୀ ଭାରତୀୟଙ୍କ ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥ ଉତ୍ସବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ହେବ ଏବଂ ଓଡ଼ିଆ ଘର ଖାଦ୍ୟ ଖାଇବେ। ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଆତିଥେୟତା ବିଶ୍ୱ ଦରବାରରେ ଦେଖାଇବାର ପାଇଁ ଏହା ବଡ଼ ସୁଯୋଗ। ପ୍ରଥମଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଥିବାରୁ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଦେଶୀଙ୍କ ସଂଖ୍ୟାରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳୁଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗର ତଥ୍ୟାନୁଯାୟୀ, ପ୍ରତିଦିନ ୧୫୦ରୁ ଅଧିକ ଏନଆରଆଇ ପଞ୍ଜୀକରଣ କରୁଥିବାବେଳେ ଗୋଟିଏ ସପ୍ତାହ ପୂର୍ବରୁ ପଞ୍ଜୀକରଣ ସଂଖ୍ୟା ମାତ୍ର ୪୦-୫୦ ଥିଲା।
ଏହି ସମ୍ମିଳନୀକୁ ୫୦ରୁ ଅଧିକ ଦେଶରୁ ପ୍ରାୟ ୩୫୦୦ ଏନଆରଆଇଙ୍କୁ ନିମନ୍ତ୍ରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମୋଟ ଉପରେ ତିନିଦିନିଆ ସମ୍ମିଳନୀରେ ସ୍ଥାନୀୟ ଅଂଶଗ୍ରହଣକାରୀଙ୍କ ସମେତ ୭,୫୦୦ରୁ ଅଧିକ ଲୋକ ଯୋଗଦେବେ।