ସୂତାକଳ ତାଲା ଫିଟେଇବେ କି ମୋହନ ସରକାର
ଯାଜପୁର,: ଚଳିତ ନିର୍ବାଚନରେ ୨୪ବର୍ଷର ବିଜେଡ଼ି ସରକାରକୁ ଗାଦିଚୁ୍ୟତ କରି କ୍ଷମତାରେ ବସିଛି ଭାରତୀୟ ଜନତା ପାର୍ଟି । ବିଜେଡ଼ି ଗଡ଼ିବ, ବିଜେପି ଶାସନରେ ବସିବ ଏକଥାକୁ କାହା ପାଇଁ ଅକଳ୍ପନୀୟ ହୋଇପାରେ । କିନ୍ତୁ ବିଜେପିକୁ ରାଜ୍ୟରେ କ୍ଷମତାଶୀନ କରିବା ପାଇଁ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ଦଳର ନେତା ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ସେଥିରେ ଥିଲା ଶିଳ୍ପ ଅନ୍ୟତମ । ଓଡ଼ିଶାରୁ ହଜାର ହଜାରସଂଖ୍ୟାର ବେକାର ଯୁବକ-ଯୁବତୀ ବିଭିନ୍ନ ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବାରୁ ବିଜେପି ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିଥିଲା ।
ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ଖଣି, ପାଣି ଠାରୁୁ ଆରମ୍ଭ କରି ଶିଳ୍ପ ପାଇଁ ସମସ୍ତ ସୁଯୋଗ ଥିବା ଓଡ଼ିଶାରେ ବିଜେପି ସରକାର ଆସିଲେ କାହାରିକୁ ଗୁଜୁରାଟ କି ଅନ୍ୟ ପ୍ରଦ୍ୟେଶକୁ ଯିବାକୁ ପଡ଼ିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ ବିଜେପି ସରକାର ଗଠନକୁ ମାସ ପୁରିବାକୁ ଯାଉଛି । ସରକାରକୁ ଆସିବା ପରେ ବିଜେପି ଅନେକ କିଛି ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଜେଡ଼ି ସରକାର ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯିବ ବୋଲି କୁହାଯାଇଛି । ଦୁର୍ନୀତିର ତଦନ୍ତ ହେଉ କି ନହେଉ ତାହାତ ସମୟ କହିବ, କିନ୍ତୁ ବିଜେଡ଼ି ଅମଳରେ ଛତିଆ ସୂତାକଳରେ ପଡ଼ିଥିବା ତାଲାକୁ ମୋହନ ସରକାର ଖୋଲି ନିର୍ବାଚନ ସମୟରେ ଦଳ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାର ଆଶା କରୁଛନ୍ତି ବର୍ଷବର୍ଷ ଧରି କର୍ମସଂସ୍ଥାନ ହରାଇ ଦୟନୀୟ ଅବସ୍ଥାରେ ଦିନ କାଟୁଥିବା କର୍ମଚାରୀ । ଛତିଆ ସୂତାକଳ ୬୫ବର୍ଷ ତଳେ ଅର୍ଥାତ ୧୯୫୯ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା । ଛତିଆ କୋ-ଅପରେଟିଭ ସୋସାଇଟ ଲିମିଟେଡ଼ ପରିଚାଳନାରେ ଚାଲୁଥିବା ସୂତାକଳକୁ ୧୯୬୬ ମସିହାରେ ସରକାର ନିଜ ହାତକୁ ନେଇଥିଲେ । ୫୮ବର୍ଷ ତଳେ ସରକାରୀ ଅଧିନକୁ ଯାଇଥିବା ସୂୂତାକଳକୁ କିନ୍ତୁ ୨୦୦୧ ମସିହା ଅର୍ଥାତ ୨୩ବର୍ଷ ତଳେ ସରକାର ବନ୍ଦ କରିଦେଇଥିଲେ । ଯାହା ଫଳରେ ଶତାଧିକ କର୍ମଚାରୀ ସଂସ୍ଥାନ ହରାଇଥିଲେ । ବିଜେଡ଼ି ସରକାର ଅମଳରେ ତାଲା ପଡ଼ିଥିବା ସୂତାକଳରର ଯନ୍ତ୍ରପାତିକୁ କଲିକତାର ବାଲାଜୀ ନାମକ କମ୍ପାନୀକୁ ବିକ୍ରି କରିଦେବା ପରେ ୨୦୦୩ରେ ଫାଟକରେ ପଡ଼ିଥିଲା ତାଲା । ୨୪ବର୍ଷର ବିଜେଡ଼ି ସରକାର ଅମଳ ଚାଲିଗଲା ସିନା ଫାଟକରୁ ତାଲା ଖୋଲିବା ଦିଗରେ କେବେବି ଉଦ୍ୟମ କରାଗଲାନି । ଓଲଟି ୨୧ବର୍ଷ ଧରି ତାଲା ପଡ଼ିରହିବା କାରଣରୁ ସୂତାକଳ ଭୂତକୋଠିରେ ପରିଣତ ହୋଇପଡ଼ିଛି । ଛୋଟରୁ ବଡ଼ ଗଛ ମୁଣ୍ଡ ଟେକିଥିବା ବେଳେ ନଟାଗଛ ପୁରା ପରିସରକୁ ଆଚ୍ଛାଦିତ କରି ରଖିଛି । ଅନ୍ଧାରରେ ଡ଼ୁବିଥିବା ସୂତାକଳର ଭବିଷ୍ୟତକୁ ଆଲୋକିତ କରିବାକୁ କାର୍ଯ୍ୟ କରି ଆସିଥିବା କର୍ମଚାରୀ ଡ଼ବଲ ଇଞ୍ଜିନ ସରକାର ଉପରେ ଆଶାବାଦି ହୋଇପଡ଼ିଛି । ଯାଜପୁର ଜିଲାର ବଡଚଣା ବ୍ଲକର ଛତିଆ କମ୍ପାନୀ ବଜାର ନିକଟରେ ଗୋଟିଏ ଏକରରୁ ଉର୍ଦ୍ଧ୍ୱ ଜମିରେ ପ୍ରତିଷ୍ଠା ହୋଇଥିଲା ସୂତାକଳ । ‘ଛତିଆ ବଟ କୋ ଅପରେଟିଭ ସୋସାଇଟ ଲିମିଟେଡ଼' ନାମରେ ସ୍ଥାପନ ସୂତାକଳ ଆଖପାଖ ଅଞ୍ଚଳର ବୁଣାକାର ମାନଙ୍କୁ ନିଯୁକ୍ତି ସୁୁଯୋଗ ଦେଇପାରିଥିଲା ।୧୯୯ ଜଣ କର୍ମଚାରୀ ସୂତା କଳରେ କାମ କରି ନିଜର ପରିବାର ପ୍ରତି ପୋଷଣ କରୁଥିଲେ ।୧୯୬୬ ମସିହାରେ ଏହି ସୂତାକଳ ବେଶ୍ ଲାଭବାନ୍ ହୋଇଥିଲା । ଏହାର ଲାଭାଂଶକୁ ଦେଖି ସେତେବେଳେ ରାଜ୍ୟ ଶିଳ୍ପ ବିଭାଗ ଏହାକୁ ନିଜ ହାତକୁ ନେଇ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉନ୍ନତିକରଣକୁ ମୁଣ୍ଡ ନେଇଥିଲେ । ଫଳରେ ଏହି ସୂତାକଳରୁ ଉନ୍ନତ ମାନର ବଡ୍ସିଡ୍, ଲୁଙ୍ଗି ଗାମୁଛା ଓ ଧୋତି ଆଦି ଉତ୍ପାଦିତ ହୋଇ ବାହାରକୁ ବିକ୍ରି ପାଇଁ ପଠା ଯାଇଥିଲା । ଉତ୍ପାଦିତ ବସ୍ତ୍ର ରାଜ୍ୟର ବିଭିନ୍ନ ସହର ବଜାରରେ ଖୋଲାଯାଇଥିବା ‘କଳିଙ୍ଗ କନ୍ୟା' ନାମକ ବିକ୍ରୟ ପାଇଁ ଯାଉଥିଲା । ହେଲେ୧୯୫୯ ମସିହାରେ ଚାଲୁଥିବା ଛତିଆ କୋପରେଟିଭ ନାମରେ ମିଲ୍କୁ ୧୯୬୫ ମସିହାରେ ୱମିଲ୍ ନାମରେ ନାମକୁ ପରିବର୍ତ୍ତନ କରାଯାଇଥିଲା । ୨୦୦୧-୨୦୦୩ ରେ ଚୌଦ୍ୱାର ଓଟିମ୍ ଅଧିନରେ ଏହା ଚାଲୁଥିଲା । ଓଟିମ୍ ବନ୍ଦ ହୋଇଯିବା ଫଳରେ ଏହି କାରଖାନାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ୨୦୦୩ ମସିହାରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥିବା ଫଳରେ ଶ୍ରମିକ ମାନଙ୍କ ବକେୟା ପାଉଣା ପ୍ରଦାନରେ ଅବହେଳା ଓ ଅନ୍ୟାନ୍ୟ ସମସ୍ୟା ଦେଖାଦେବାରୁ ବିଜେଡ଼ି ସରକାର ଏହାକୁ ବନ୍ଦ କରିଦେଇଥିଲେ । ବନ୍ଦ ବେଳକୁ ସୂତାକଳରେ୧୪୮ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ବକେୟା ପାଉଣା ନପାଇବାରୁ ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ବହୁ ବାର ସେତେବେଳେ ଆଦୋଳୋନ ମଧ୍ୟ ହୋଇଥିଲା ।
ତେବେ ସରକାର ମିଲ ବନ୍ଦ କରିଦେବା ପରେ ଛତିଆ ପ୍ରାକ୍ତନ ସରପଞ୍ଚ ଶାନ୍ତିଲତା ଷେଣ୍ଢ ଓଡିଶା ଉଚ୍ଚ ନ୍ୟାୟାଳୟରେ ୧୧୨୧୯/ ୨୦୦୪ ରେ ଏକ ମାମଲା ଦାୟରକରି ମିଲ ଚାଲୁ କରିବା ସହିତ ଶ୍ରମିକ ମାନଙ୍କ ପାଉଣା ପ୍ରଦାନ ପାଇଁ ନିବେଦନ କରିଥିଲେ । ଶ୍ରମିକ ମାନଙ୍କ ନାମ ପଞ୍ଜିକୃତ ସହିତ ସେମାନଙ୍କ ପାଉଣା ପ୍ରଦାନ ଓ ମିଲ ଚଳାଇବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସେତେବେଳେ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ସରକାର ଏହି ମିଲକୁ ଚଳାଇବା ପରିବର୍ତ୍ତେ ଏହାକୁ ‘ବାଲାଜି ଟ୍ରେଡ଼' ନାମକ ଗୁଜୁରାଟର ଏକ କମ୍ପାନୀକୁ ମାତ୍ର ୩ଲକ୍ଷ ୭୫ ହଜାର ୭୫୦ ଟଙ୍କାରେ ନିଲାମ ଦେଇଦେଲେ । କିନ୍ତୁ ସେହି କମ୍ପାନୀ ମାତ୍ର କେଇଟା ମାସ ପରେ ସମସ୍ତ ମେସିନ ଓ ଯନ୍ତ୍ରପାତିକୁ ନେଇ ଛୁ ମାରିଥିଲା । ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟାକୁ ଦୃଷ୍ଟିଦେଇ ତକôାଳୀନ ଶିଳ୍ପମନ୍ତ୍ରୀ ଗୋଲଖ ନାୟକ, ସେତେ ବେଳର ସାଂସଦ ମୋହନ ଜେନା, ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ ପ୍ରମୁଖ ଘଟଣା ସ୍ଥଳକୁ ବହୁବାର ଆସି ସମାଧାନର ରାସ୍ତା ଖୋଜିଥିଲେ । ହେଲେ ୬୪ ବର୍ଷ ଧରି କାର୍ଯ୍ୟକ୍ଷମ ଥିବା ଛତିଆ ସୂତାକଳଟି ଆଉ ପୁନଃଜନ୍ମ ଲାଭ କରି ପାରିଲା ନାହିଁ । ବିଜେଡ଼ି ସରକାରଙ୍କ ଘରୋଇ ପ୍ରୀତିରୁ ସୂତାକଳରେ ତାଲାପଡ଼ିଲା । ଯେଉଁ ସୂତାକଳ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ିିଛି । ରାଜ୍ୟର ମୋହନ ସରକାର ଛତିଆ ସୂତାକଳର ଗାରିମା ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବା ନେଇ ଆଶା ପ୍ରକଟ କରିଛନ୍ତି ଅଞ୍ଚଳବାସୀ ।