ବିଜେଡ଼ି ପରାଜୟ ପାଇଁ ବବି ଓ ପାଣ୍ଡିଆନ୍‌ ଦାୟୀ ନୁହଁନ୍ତି : ଦେବାଶିଷ

pranab prakash das VK pandian Naveen Patanaik debasish samantaray pravat biswal

ବିଜେଡ଼ି ପରାଜୟ ପାଇଁ ବବି ଓ ପାଣ୍ଡିଆନ୍‌ ଦାୟୀ ନୁହଁନ୍ତି : ଦେବାଶିଷ

ଭୁବନେଶ୍ୱର : ବିଜେଡ଼ିର ପରାଜୟ ପାଇଁ ପ୍ରଣବ ପ୍ରକାଶ ଦାସ କିମ୍ବା ଭିକେ ପାଣ୍ଡିଆନ୍‌ ଦାୟୀ ନୁହଁନ୍ତି  । ଆଉ କିଛି ଭୁଲ ଥାଇପାରେ  । ପ୍ରାର୍ଥୀ ଚୟନରେ ବି ଭୁଲ୍‌ ହୋଇପାରେ  । ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏଭଳି କହିଛନ୍ତି  । ସେହିପରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବି ନିଶାନା ସାଧିଛନ୍ତି  । ସିଧାସିଧା କହିଛନ୍ତି ପ୍ୟାରୀ ବାବୁଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କର ପ୍ରମୁଖ ଭୂମିକା ରହିଥିଲା  ।

ବିଜେଡ଼ି ନେତା ପ୍ରଭାତ ବିଶ୍ୱାଳଙ୍କୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ  । ନିକଟରେ ପ୍ରଭାତ ବିଜେଡ଼ିର ପରାଜୟ ନେଇ ବବି ଦାସ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରିଥିଲେ  । ଏନେଇ ଦେବାଶିଷ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି  । ସେ କହିଛନ୍ତିଯେ, ସିବିଆଇ ଠାରୁ ବର୍ତ୍ତିବା ପାଇଁ ପ୍ରଭାତ ବିଜେପିକୁ ଢଳୁଥିବା ମନେହେଉଛି  । ପ୍ୟାରୀ ବାବୁଙ୍କ ଷଡ଼ଯନ୍ତ୍ର ବେଳେ ଏ ବାବୁଙ୍କ ପ୍ରମୁଖ ଭୂମିକା ଥିବା ସ୍ପଷ୍ଟ ହେଉଛି  । କାମ ପଡ଼ିବା ବେଳେ ସେ ବବି ଓ ପାଣ୍ଡିଆନଙ୍କ ପାଖକୁ ଧାଉଁଥିଲେ  । ପାଣ୍ଡିଆନ ଯେତେବେଳେ କାମ କରୁଥିଲେ ସେ କିଛି କହୁନଥିଲେ  । ବିଜେଡ଼ିର ପରାଜୟ ନେଇ ପାଣ୍ଡିଆନଙ୍କୁ ଦାୟୀ କରିବା ଠିକ୍‌ ନୁହେଁ ବୋଲି ଦେବାଶିଷ କହିଛନ୍ତି  ।

ସୂଚନାଯୋଗ୍ୟଯେ, ନିକଟରେ ପ୍ରଭାତ କହିଥିଲେଯେ, ଚଳିତ ନିର୍ବାଚନରେ ବିଜେଡ଼ିର ପରାଜୟ ପାଇଁ ବବି ଓ ପାଣ୍ଡିଆନ ହିଁ ଦାୟୀ  । ପୋଷ୍ଟରରେ କେବଳ ନବୀନ ବାବୁଙ୍କ ଫଟୋ ରହିବା କଥା, କିନ୍ତୁ ସେମାନଙ୍କର ଫଟୋ ରହିଲା  । ପାଣ୍ଡିଆନ୍‌ ସାରା ରାଜ୍ୟରେ ପ୍ରଚାର କରିବା ଦ୍ୱାରା ତାହାର ପ୍ରତିକୂଳ ପ୍ରଭାବ ପଡ଼ିଲା  । ତେବେ ପରେ ସେ ଏନେଇ ସଫେଇ ଦେଇଥିଲେ  । ଏମିତି କିଛି କହିନାହାନ୍ତି ବୋଲି ଖଣ୍ଡନ କରି କଥାକୁ ଗୋଳେଇବାକୁ ଚେଷ୍ଟା କରିଥିଲେ  । ଦଳର ପରାଜୟ ପାଇଁ ସରକାରୀ ବିରୋଧୀ ହାୱାକୁ ଦାୟୀ କରିଥିଲେ  ।