ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କ ଦୁର୍ନୀତି ବିରୋଧରେ ତଳକାଁପଡାବାସୀଙ୍କ ପ୍ରେସ୍ ମିଟ୍

ାା ପ୍ରଭାନୁ୍ୟଜ ।ା ତିହିଡି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ତାଙ୍କ ସ୍ୱାମୀ ପ୍ରଫୁଲ ଦାସଙ୍କ ବିଭିନ୍ନ ଦୂର୍ନୀତି ବିରୋଧରେ କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ପୂର୍ବାହ୍ନରେ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ସ୍ତ୍ରୀ ଉଭୟ କ୍ଷମତାକୁ ଢାଲ କରି ବ୍ୟାପକ ଦୂର୍ନୀତି କରିଥିବା ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି । ଦୂର୍ନତି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆନଗଲେ ଆସନ୍ତା ୧୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଗାଁ କମିଟିର ସଭାପତି ସନାତନ ଦାସଙ୍କ ସମେତ ଶୁକଦେବ ମଳିକ, କାଶିନାଥ ଦାସ, ସନ୍ତୋଷ ଦାସ, ବିଭୀଷଣ ଦାସ, କରୁଣାକର ଦାସ, ମେଘାସନ ଦାସ, ମଙ୍ଗୁଳି ଦାସ, ଅଭୟ ଦାସ, ଦେବେନ୍ଦ୍ର ଦାସ, କୁଳମଣୀ ଦାସ, ଲମ୍ବୋଧର ଦାସ, ଜଗନ୍ନାଥ ଦାସ ଓ ଶିବପ୍ରସାଦ ଦାସ ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଅଭିଯୋଗ ମୁତାବକ, ପ୍ରଫୁଲ ଦାସ ସୁସ୍ଥ ସବଳ ହୋଇଥିବା ବେଳେ ମିଥ୍ୟା ଓ ଜାଲ୍ ପ୍ରମାଣ ପତ୍ର ଦାଖଲ କରି ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । ପୂର୍ବରୁ ସେ ଜଣେ ଗ୍ରାମସାଥି ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ଗାଁ ଲୋକେ ନିଜ ଶ୍ରମ ଓ ସହଯୋଗ ବଳରେ ଏକ ପୋଖରୀ ଖୋଳିଥିଲେ ମାତ୍ର ତାଙ୍କ ସ୍ତ୍ରୀ ବ୍ଲକ ଅଧ୍ୟକ୍ଷା ପଦବୀ ହାତେଇବା ପରେ ଉକ୍ତ ପୋଖରୀକୁ ଚଂଚକତା କରି ୮ ଲକ୍ଷ ଟଙ୍କାର ଏକ ମିଥ୍ୟା ବିଲ୍ ଉଠାଣ କରି ଆତ୍ମସାତ କରିଛନ୍ତି । ଏଥିସହ ଏହି ଗ୍ରାମର କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ବିଭିନ୍ନ ଯୋଜନାରେ ଫଳକ ନଲଗାଇ ବ୍ଲକ ପ୍ରଶାସନ ସହ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ବ୍ଲକ ଅଧ୍ୟକ୍ଷା ହେବା ପରଠାରୁ ସ୍ୱାମୀ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ନାମରେ ଏକାଧିକ ଗାଡି, ବାଇକ୍, ବିଭିନ୍ନ ସ୍ଥାନରେ କୋଠାଘର, ମୂଲ୍ୟବାନ୍ ଜମି ଓ ବ୍ୟାଙ୍କ ବାଲାନ୍ସ କରିଥିବା ଅଭିଯୋଗ ହୋଇଛି । 
ଏନେଇ ଗତ ଜାନୁଆରୀ ମାସ ୮ ତାରିଖରେ ଗ୍ରାମର ଶୁକଦେବ ମଳିକ ବାଲେଶ୍ୱର ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହି ବିଭାଗ ପକ୍ଷରୁ ତଦନ୍ତ କରିବା ଲାଗି ଭଦ୍ରକ ଜିଲାପାଳଙ୍କୁ ଚିଠି କରାଯାଇଥିଲା ମାତ୍ର ଏଯାବତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁୁ ନେଇ ସୋମବାର ଏପରି ପ୍ରେସ୍ ମିଟ୍ ଜରିଆରେ ଗ୍ରାମବାସୀ ସେମାନଙ୍କର କ୍ଷୋଭ ପ୍ରକାଶ କରିଥିବା ଜଣାଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ମୂଳେ ବ୍ଲକ ଅଧ୍ୟକ୍ଷା ଅଥବା ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ମଧ୍ୟ ଖୁବ୍ ଶୀଘ୍ର ଏକ ପ୍ରେସ୍ ମିଟ୍ ଜରିଆରେ ମତପୋଷଣ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଖରୀ ଖୋଳା ଘଟଣାର ତଦନ୍ତ ଲାଗି ବିଭାଗୀୟ ପଦାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବା କହିଛନ୍ତି ବିଡିଓ ଜ୍ୟୋତିର୍ମୟ କର ।