ଜଳଛତ୍ର ନଥିବା ଯୋଗୁ ଲୋକେ ହନ୍ତସନ୍ତ

କୋଷାଗୁମୁଡା: ଏପ୍ରିଲ ମାସର ଦିନ କେଇଟା ହୋଇଛି ତଥାପି ତାତିରୁ ନିସ୍ତାର ନାହି । ଦିନକୁ ଦିନ ବଢି ·ଲିଛି ତାତି । ଦିନ ଦ୍ୱିପ୍ରହରରେ ରାସ୍ତାଘାଟ ଖାଲି ଦେଖାଯାଉଛି ଖାଁ ଖାଁ । ପ୍ରଶାସନ ପକ୍ଷରୁ ଏବେସୁଦ୍ଧା ଜଳଛତ୍ର ଖୋଲା ଯାଇପାରିନାହିଁ । ଜଳଛତ୍ର ନଥିବା ହେତୁ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଇଭଳି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକଠାରେ । ୨୬ ପଞ୍ଚାୟତ ବିଶିଷ୍ଟ କୋଷାଗୁମୁଡା ବ୍ଲକରେ ଗତ କିଛି ଦିନ ଧରି ବ୍ଲକରେ ଧୀରେ ଧୀରେ ତାପମାତ୍ରା ୩୯ଡିଗ୍ରୀରୁ ଉର୍ଦ୍ଧ ବଢିବାରେ ଲାଗିଛି । ଦିନ ୧୦ରୁ ଘରୁ ବାହାରିବା ପାଇଁ ଲୋକଙ୍କ ପାଇଁ କଷ୍ଟ ସାଧ୍ୟ ହେବାକୁ ବସିଲାଣି । ତେବେ ୨୬ ପଞ୍ଚାୟତରେ ଥିବା ଲୋକେ ବିଭିନ୍ନ ସମୟରେ ସରକାରୀ ବେସରକାରୀ କାର୍ଯ୍ୟଳୟ, ବ୍ୟବସାୟିକ ଅନୁଷ୍ଠାନ, ରାସନ, ବଜାର ପାଇଁ ନିକଟ ପଞ୍ଚାୟତ, ବ୍ଲକ ସଦର ମହକୁମାକୁ ଯାତାୟତ କରୁଛନ୍ତି । ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଧା କୌଣସି ଜଳଛତ୍ର ଖୋଲାଯାଇନାହିଁ । ଯାହାକୁ ନେଇ ସାଧାରଣରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୌଣସି ବର୍ଷ ଏଇଭଳି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉନଥିବା ବେଳେ ଚଳିତ ବର୍ଷ ଗ୍ରୀଷ୍ମ ଋତୁ ନ ଆସୁଣୁ ତାପମାତ୍ରା ବ୍ଲକରେ ୩୯ ପାର ହୋଇଛି । ନଦୀନାଳ ବନ୍ଧ ପୋଖରୀ ଶୁଖି ଆଁ କରିଲାଣି । ଅନ୍ୟ ପଟେ ସୀମାକୁ ଲାଗି ଛତିଶଗଡ ନଗରନାର ଷ୍ଟିଲ ପ୍ଳାଣ୍ଟ ଆରମ୍ଭ ସାଙ୍ଗକୁ ଅହେତୁକ ଜଙ୍ଗଲ କଟା ଓ ବେଆଇନ ଇଟା ଭାଟିକୁ ପ୍ରତ୍ୟକ୍ଷରେ ଦାୟୀ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ଜଙ୍ଗଲ କଟାରେ ଅଙ୍କୁଶ ଲଗାଇ ଶୀଘ୍ର ଜଳଛତ୍ର ଖୋଲିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।