ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

 କେନ୍ଦୁଝର  : ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ଶୁକ୍ରା ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ, ସଦର ଥାନା ପର୍ଜନପୁର ମୁଣ୍ଡାସାହିର ଶୁକ୍ରା ମୁଣ୍ଡା(୩୭) ୪ବର୍ଷ ପୂର୍ବେ ଶୁଭାଗିନୀ ମୁଣ୍ଡା(୨୨) କୁ ବିବାହ କରିଥିଲା । ସେମାନଙ୍କର ଏକ ୩ବର୍ଷର ସନ୍ତାନ ରହିଛି । ଅନେକ ସମୟରେ ମଦ ପିଇ ଶୁକ୍ରା ମୁଣ୍ଡା ପତ୍ନୀ ଶୁଭାଗିନୀଙ୍କ ସହିତ ଝଗଡା ହୋଇଥାଏ । ୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ ଗ୍ରାମରେ ହେଉଥିବା ଲକ୍ଷ୍ମୀପୂଜା ଭସାଣୀ ଉସôବରେ ଶୁକ୍ରା ମୁଣ୍ଡା ଯୋଗ ଦେବାକୁ ପଳାଇଥିଲେ । ସେଠାରୁ ଫେରିବା ପରେ ପତ୍ନୀ ଘରେ ଭିତର ପଟୁ କବାଟ ବନ୍ଦ କରି ଶୋଇ ପଡିଥିବାରୁ ଶୁକ୍ରା ରାଗି ଯାଇଥିଲା । କବାଟ ଭାଙ୍ଗି ଭିତରକୁ ପଶି ସେ ଏକ ବେଲଚାରେ ପତ୍ନୀର ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ପତ୍ନୀ ଶୁଭାଗିନୀର ମୁଣ୍ଡ ଫାଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହି ଘଟଣା ପରେ ରାତି ପ୍ରାୟ ୧୧ଟା ସମୟରେ ଶୁକ୍ରା ମୁଣ୍ଡା ଶ୍ୱଶୁର ଘରକୁ ଯାଇ ପତ୍ନୀ ଅସୁସ୍ଥ ଥିବାରୁ ଡାକ୍ତରଖାନାକୁ ନେବାକୁ ପଡିବ ବୋଲି କହି ଡାକିଥିଲା । ଶ୍ୱଶୁର ପ୍ରଭାକର ମୁଣ୍ଡା ଆସି ଦେଖିବା ବେଳକୁ ତାଙ୍କ ଝିଅ ଶୁଭାଗିନୀ ମରି ପଡିଥିବା ଦେଖିଥିଲେ । ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ୪୩୪/୨୧ ରେ ମାମଲା ରୁଜୁ ହୋଇଥିଲା । ତଦନ୍ତକାରୀ ଅଧିକାରୀ ସ୍ୱରୂପ ରଞ୍ଜନ ନାୟକ ଅଭିଯୁକ୍ତ ଶୁକ୍ରା ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।