କାଞ୍ଜିପାଣି ଘାଟିରେ ମାଟି ଅତଡା ଧସି ଯାତାୟାତ ବ୍ୟାହତ
କେନ୍ଦୁଝର : ଜିଲ୍ଲାରେ ଗତ ୩ଦିନ ହେବ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ପାଶ୍ୱର ପାହାଡରୁ ମାଟି ଓ ପଥର ଅତଡା ଖସି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ରାତି ପ୍ରାୟ ୧୨ଟାରେ ଜାତୀୟ ରାଜପଥ ୪୯ର କାଞ୍ଜିପାଣି ଘାଟିରେ ପାହାଡରୁ ମାଟି ଅତଡା ଧସିବା ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପ୍ରାୟ ୮ ଫୁଟ ଉଚ୍ଚତାର ମାଟି ରାସ୍ତା ଉପରେ ଜମା ହୋଇରହିଛି । ବଲାଣିରୁ ରାଉଲକେଲା ଯାଉଥିବା ଏକ ଯାତ୍ରୀବାହୀ ବସ ପ୍ରାୟ ୪ଘଂଟା ଫସି ରହିବା ପରେ ଏନ୍ଏଚ୍ଏଆଇ ପକ୍ଷରୁ ଜେସିବି ମେସିନ ଦ୍ୱାରା ମାଟି ଏବଂ ଗଛ ସଫେଇ କରାଯିବା ପରେ ବସ୍ ଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଗାଡି,ଟ୍ରକ ଓ ଛୋଟ ଯାନାବାହାନ ରାତି ତମାମ ଅଟକି ରହିଥିଲା । ଏନ୍ଏଚ୍ଏଆଇ ପକ୍ଷରୁ କେନ୍ଦୁଝରରୁ ଜଗମୋହନପୁର ଗୋଟିଏ ପାଶ୍ୱର ସଫେଇ କରାଯିବା ପରେ ଗାଡି ଚଳାଚଳ ଆରମ୍ଭ ହୋଇଥିଲା । ଗୋଟିଏ ପାଶ୍ୱର ରାସ୍ତାରେ ଉଭୟ ପାଶ୍ୱର ଗାଡି ଚଳାଚଳ କରୁଥିବାରୁ ଟ୍ରାଫିକ ଜାମ ରହୁଛି । ତେବେ ଆଜି ରାତି ସୁଦ୍ଧା ଅନ୍ୟପଟ ରାସ୍ତା ଉପରେ ଜମି ଥିବା ମାଟିକୁ ଉଠାଯାଇ ଯାତାୟତ ସ୍ୱାଭାବିକ କରାଯିବ ବୋଲି ଏନ୍ଏଚ୍ଏଆଇ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି ଜାତୀୟ ରାଜପଥ ୪୯ର ଜୁଡିଆ ଘାଟି ରାସ୍ତା ପାଶ୍ୱର୍ ପାହାଡରୁ ଆଜି ଭୋର ସମୟରେ ୨ଟି ବଡ ପଥର ଖସି ଗାଡି ଚଳାଚଳ ବ୍ୟାଘାତ ହୋଇଥିଲା । ଏନ୍ଏଚ୍ଏଆଇ ପକ୍ଷରୁ ପଥର ହଟାଯିବା ପରେ ଗାଡି ଚଳାଚଳ କରିଥିଲା । ତେବେ ଏହି ଭୁସ୍ଖଳନରେ କୌଣସି ଅଘଟଣ ଘଟିନାହିଁ ।