ଦନ୍ତାହାତୀ ମୃତୁ୍ୟ ଓ ଦାନ୍ତ ଚୋରି ମାମଲା : ବନ ବିଭାଗର କୋହଳ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସଲେଇକେନା ସଂରକ୍ଷିତ ଜଙ୍ଗଲରୁ ଗତ ୧୩ ତାରିଖ ଦିନ ଏକ ଦନ୍ତହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ବନ ବିଭାଗ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳକୁ ଯାଇଥିଲା । ତଦନ୍ତ ବେଳେ ଏହାର ଦାନ୍ତ ଦୁଇଟି ଲୁଟ ହୋଇଥିବା ବନ ବିଭାଗ ଜାଣିବାକୁ ପାଇଥିଲା । ପ୍ରାୟ ୧ ମାସ ତଳୁ ଦନ୍ତା ହାତୀକୁ କେହି ମାରି ଦାନ୍ତ ଲୁଟି ନେଇଥିବା ଅନୁମାନ କରାଯାଉଛି । ବନ ବିଭାଗର ଚରମ ଦାୟିତ୍ୱହୀନତା ଏବଂ ହାତୀ ମନିଟରିଂରେ ତ୍ରୁଟି କାରଣରୁ ଦନ୍ତାହାତୀ ମରିବାର ୧ମାସ ପରେ ଜଣାପଡିଥିଲା । ବନ କର୍ମଚାରୀ ପାଦଚଲା ପେଟ୍ରୋଲିଂ ନ କରିବା ଏବଂ ସ୍ଥାନୀୟ ଲୋକଙ୍କ ସହ ଈଲୟଲବ ସମନ୍ୱୟ ରଖୁନଥିବାରୁ ହାତୀ ମୃତୁ୍ୟ ବିଳମ୍ବରେ ଜଣାପଡିଥିଲା କୁହାଯାଉଛି । ହାତୀ ମୃତୁ୍ୟ ବିଳମ୍ବରେ ଜଣାପଡିବା ଏବଂ ଦାନ୍ତ ଲୁଟ ଘଟଣାରେ ବନ ବିଭାଗର କୋହଳ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଛି । ପୂର୍ବରୁ ସମାନ ଭାବେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରୁଥିବା ବନପାଳ ଏବଂ ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏହି ଘଟଣାରେ ତେଲକୋଇ ବନପାଳ ମଳୟ କୁମାର ଜେନା ଏବଂ ବାରାହାଦେବତା ବିଟ୍ର ବନରକ୍ଷୀ ଅଜିତ ଦାସଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବାବେଳେ ତେଲକୋଇ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଛି । ବନଖଣ୍ଡ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ହାତୀର ସୁରକ୍ଷା ଏବଂ ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଜିପିଏସ୍ ବ୍ୟବସ୍ଥା, ଟ୍ରାକିଂ ବ୍ୟବସ୍ଥ୍ା କରାଯାଇ ବନଖଣ୍ଡ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ କୁ ଦୈନନ୍ଦିନ ହାତୀଙ୍କ ସଂଖ୍ୟା ଏବଂ କେଉଁ ସ୍ଥାନରେ ବିଚରଣ କରୁଛନ୍ତି ତାହାର ରିପୋର୍ଟ ପ୍ରଦାନ କରାଯାଉଛି । ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସକାଳ ସମୟରେ ଥରେ ଏବଂ ସନ୍ଧ୍ୟା ସମୟରେ ଥରେ ଏ ସମ୍ପର୍କରେ ରିପୋର୍ଟ କଣ୍ଟ୍ରୋଲ ରୁମ୍କୁ ପ୍ରଦାନ କରିଥାନ୍ତି । ସେହିପରି ବିଭିନ୍ନ ସ୍ଥାନରେ ହାତୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଗଜସାଥି ନିଯୁକ୍ତି ଦିଆଯାଇଛି । ଏହା ସତ୍ତ୍ୱେ ହାତୀଙ୍କ ସଂଖ୍ୟା ନେଇ ସଠିକ୍ ରିପୋର୍ଟ ଦିଆଯାଉନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ତେବେ ସଲେଇକେନା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ୧ମାସ ତଳେ ମୃତୁ୍ୟବରଣ କରିଥିଲେ ମଧ୍ୟ ତେଲକୋଇ ରେଞ୍ଜରେ ହାତୀଙ୍କ ସଂଖ୍ୟା ନେଇ ଏଲିଫ୍ୟାଣ୍ଟ ସ୍କାର୍ଡ ଭୂଲ ତଥ୍ୟ ଦେଇ ଆସୁଥିଲେ ଯାହାକୁ ବନରକ୍ଷୀ, ବନପାଳ, ବନାଞ୍ଚଳ ଅଧିକାରୀ ଏବଂ ସହକାରୀ ବନ ସଂରକ୍ଷକ ଏହାକୁ ସଠିକ୍ ଭାବେ ଯାଂଚ କରୁନଥିଲେ । ଯାହାକି ସେମାନଙ୍କର ଚରମ ଦାୟିତ୍ୱହୀନତାକୁ ପଦାରେ ପକାଇଛି । ହାତୀର ଗତିବିଧି ଜାଣିବା ପାଇଁ ତ୍ରୀସ୍ତରୀୟ ବ୍ୟବସ୍ଥା କରାଯାଇଛି । ଡିଭିଜନସ୍ତରରେ ପ୍ରଥମ, ସର୍କଲସ୍ତରରେ ଦ୍ୱିତୀୟ ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାଧାରକଙ୍କ କାର୍ଯ୍ୟାଳୟରେ ତୃତୀୟ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି । ହାତୀ ସ୍କ୍ୱାର୍ଡ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲେ ମଧ୍ୟ ହାତୀଙ୍କ ସମ୍ପର୍କରେ ସଠିକ ସୂଚନା ଦିଆଯାଉ ନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟଯେ, ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କ ବାସସ୍ଥଳୀ ନଷ୍ଟ ହେଉଛି । ବିଶେଷ କରି ଜଙ୍ଗଲଜମି ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ହେଉଥିବାରୁ ଜଙ୍ଗଲ କମୁଛି । ଖଣି,କଳାକାରଖାନା,ଜାତୀୟ ରାଜପଥ,ସ୍ଲରି ପାଇପ ଲାଇନ ପାଇଁ ପ୍ରତ୍ୟେକ ବର୍ଷ ଜଙ୍ଗଲ ନଷ୍ଟ ହେଉଛି । ଏହାବ୍ୟତିତ ବହୁ ଆଦିବାସୀ ଲୋକ ଜଙ୍ଗଲ ଜମି ପଟ୍ଟା ପାଇବା ପାଇଁ ଜଙ୍ଗଲ ସଫା କରି ବସବାସ କରୁଛନ୍ତି । ଫଳରେ ଜଙ୍ଗର ଘନତ୍ୱ କମୁଥିବାରୁ ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇପଡିଛନ୍ତି ।