ସାହିଯାତରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ସାହିଯାତରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

 ପୁରୀ :  ରାମନବମୀ ଠାରୁ ଆରମ୍ଭ ହୋଇଛି ସାହିଯାତ । ସାତ ସାହି ଆଖଡ଼ାରୁ ସାହିଯାତ ବାହାରି ବାଦିସାହିକୁ ଯାଉଛି । ସାହିଯାତରେ ଦୁଲୁକି ଉଠୁଛି ବିଭିନ୍ନ ସାହି । ଭୁଆସିକମାନେ ବିଭିନ୍ନ ବେଶରେ ନୃତ୍ୟ ପ୍ରଦର୍ଶନ କରି ଲୋକମାନଙ୍କ ମନ କିଣୁଛନ୍ତି । ପ୍ରତ୍ୟହ ରାତ୍ରରେ ଲୋକ ପ୍ରତିନିଧିମାନେ ମଧ୍ୟ ସାହିଯାତରେ ଯୋଗଦେଇ କଳାକାରମାନଙ୍କ ଉତ୍ସାହ ବଢାଉଛନ୍ତି । ସାହିଯାତର ଆକର୍ଷଣ ବଢାଉଛି ସମରକଳା । ରାତ୍ର ଉଜାଗର ରହି ଯାତ ଉପଭୋଗ କରୁଛନ୍ତି ସାହିବାସିନ୍ଦା । ବୁଧବାର ଦିନ ବନବାସ ଲୀଳା ପରେ ଶୁକ୍ରବାର ଦିନ ସାହିଯାତର ଆକର୍ଷଣ ସାଜିଥିଲା ମାୟାରାବଣ । ସୀତାଙ୍କୁ ଚୋରି କରି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଠାରୁ ଅଲଗା କରିବା ଉଦେ୍ଦଶ୍ୟରେ ଲଙ୍କା ପତି ରାବଣ ଯେଉଁ ଲିଳା ରଚିଥିଲା ତାର ଅବତାରଣା କରାଯାଇଥିଲା । କୁଣ୍ଢାଇବେଣ୍ଟ ସାହି ପକ୍ଷରୁ ମାୟାରାବଣ ସାହି ପରିକ୍ରମା କରିଥିଲା । ମାୟା ରାବଣ ବାଦି ସାହିକୁ ଯାଇ ରାବଣର ଠାଣି, ମାଣି, ପ୍ରଦର୍ଶନ କରିଥିଲେ । ରାବଣ ପଛେ ପଛେ କାଳୀ ମେଢ, ଦୁର୍ଗା ମେଢ, ନାଗା, ନୃସିଂହ ମେଢ, ପଞ୍ଚମୁଖୀ ହନୁମାନ ବେଶରେ କଳାକାରମାନେ ପାହୁଲ ପକାଇ ବାଦିସାହିରେ ନୃତ୍ୟ ପରିବେଷଣ କରିଥିଲେ । ଖଣ୍ଡା, ବନାଟି, ମୁଦ୍ଗର ଚାଳନା, ବାଡ଼ିଖେଳ, ଢାଲସୁପାରି ଆଦି ସମରକଳା ପ୍ରଦର୍ଶିତ ହୋଇଥିଲା । ସୁନ୍ଦରା ଜାଗା ପକ୍ଷରୁ ସମରକଳା ପ୍ରଦର୍ଶନ କରାଯାଇଥିଲା । ସାହିଯାତ କୁଣ୍ଢାଇବେ ସାହିରୁ ବାହାରି ଜେନାରୀ ଗଛ ଛକ ଦେଇ ଦୋଳମଣ୍ଡପ ସାହିକୁ ଯାଇଥିଲା । ରାବଣ ସିଂହଦ୍ୱାର ସମ୍ମୁଖକୁ ଯାଇ ନୃତ୍ୟ ପ୍ରଦର୍ଶନ କରି ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚô ଥିଲେ । ସେଠାରେ ନୀତି ସମ୍ପାଦିକ ହୋଇଥିଲା । ଶ୍ରୀମନ୍ଦିର ନୀତି ସହ ସାହିଯାତ ସଂଶ୍ଲିଷ୍ଟ ଥିବାରୁ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କୁ ଦୟଣା ଲାଗି କରାଯାଇଥିଲା । ରାମ, ଲକ୍ଷ୍ମଣଙ୍କ ଧାତୁ ନିର୍ମିତ ବିଗ୍ରହ ଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠକୁ ପାଲିଙ୍କିରେ ଯାତ୍ରା କରିଥିଲେ । ସେଠାରେ କୁଣ୍ଢାଇବେ ସାହି ପକ୍ଷରୁ ମାୟା ମୃଗ ପ୍ରସ୍ତାବ ହୋଇଥିଲା । ନୀତି ଶେଷ ହେବା ପରେ ରାମ, ଲକ୍ଷ୍ମଣ ଶ୍ରୀମନ୍ଦିରକୁ ବାହୁଡି ବିଜେ କରିଥିଲେ ।