ଘରୋଇ ନର୍ସିଂହୋମରେ ଚଢ଼ାଉ, କାଗଜପତ୍ର ଯାଞ୍ଚ
ଢେଙ୍କାନାଳ : ଢେଙ୍କାନାଳ ସହରରେ ଥିବା ଏକ ଘରୋଇ ନର୍ସିଂହୋମ ଉପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯିବା ସହିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି । ସ୍ୱାସ୍ଥ୍ୟ ସେବା ନାଁରେ ଅନିୟମିତତା ଅଭିଯୋଗରେ ଏହି ଚଢାଉ ହୋଇଥିବା ସୂଚନା ମିଳିଛି । ତେବେ ଚଢାଉ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ କୌଣସି ସ୍ପଷ୍ଟ ଉତ୍ତର ରଖିନଥିବା ବେଳେ ଏହାକୁ ନେଇ ସହରରେ ଚର୍ଚ୍ଚା ହେଉଛି । ଢେଙ୍କାନାଳ ସହରର ଗୁଡିଆନାଳୀ ଅଞ୍ଚଳରେ ଥିବା ପଣ୍ଡା ନର୍ସିଂହୋମରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଦିନ ଚଢାଉ କରାଯାଇ ସେଠାରେ ଚିକିତ୍ସିତ ହେବା ନିମନ୍ତେ ଥିବା ରୋଗୀମାନଙ୍କୁ ପଚରାଉଚୁରା କରିବା ସହିତ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ । ଏହାପୁର୍ବରୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆଜି ପୂର୍ବାହ୍ନରେ ଅଚାନକ ପଣ୍ଡା ନର୍ସିଂହୋମରେ ପହଂଞ୍ଚି ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଉପଜିଲ୍ଲାପାଳ ବିବୁଧ ଗଡନାୟକ, ତହସିଲଦାର ସ୍ୱାଧୀନ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଏନଡିସି ବେହେରା, ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡେଣ୍ଟ ଡ ରଞ୍ଜନ ସାମଲ, ଡିପିଏମ ସସ୍ମିତା ସାହୁ, ମୁଖ୍ୟ ଚିକିତ୍ସାଳୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ନର୍ସିଂହୋମକୁ ଯାଇ ବିଭିନ୍ନ କାଗଜପତ୍ର ଯାଂଞ୍ଚ କରିବା ସହ ନର୍ସୀଂହୋମରେ ଥିବା ବିଭିନ୍ନ ସୁବିଧା ଅସୁବିଧା ବୁଲି ଦେଖିଥିଲେ ।
ନର୍ସୀଂହୋମରେ ଭର୍ତ୍ତି ହୋଇଥିବା କିଛି ରୋଗୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲେ । ତେବେ ସ୍ୱାସ୍ଥ୍ୟ ସେବା ନାଁରେ ଅନିୟମିତତା ଅଭିଯୋଗରେ ଏହି ଚଢାଉ ହୋଇଥିବା ଶୁଣିବାକୁ ମିଳୁଛି । ଏ ସଂମ୍ପର୍କରେ ନର୍ସିହୋମ ମାଲିକ ଡ. ଶାନ୍ତ ଭୂଷଣ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ନାମରେ କିଛି ଅଭିଯୋଗ ଥିବା ସେ ଜାଣିନାହାନ୍ତି ବା ଏ ସଂପର୍କରେ ତାଙ୍କୁ କିଛିମଧ୍ୟ କୁହାଯାଇନାହିଁ ଏବଂ ସେ ଜିଲ୍ଲାପାଳଙ୍କୁ ପଚାରିବାରୁ ଜିଲ୍ଲାପାଳ ତାଙ୍କୁ କିଛି କହିନଥିବା କହିଥିଲେ । ସେହିପରି ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିବାରୁ ଆମେ ଚଢାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛୁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିବା ସହ ଆଉକିଛି କହିବାକୁ ମନା କରିଦେଇଥିଲେ ।