ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏକ ଗାଡ଼ିରେ ୩ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ । ସୂଚନା ଅନୁଯାୟୀ, ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଲକ୍ଷାଧିକ ଟଙ୍କା ନେଇ ଓଡି-୦୨ସିଜେଡ-୭୦୪୪ ସ୍କର୍ପିଓ ଗାଡିରେ ଯାଉଥିବା ସଂପର୍କରେ ଭିଜିଲାନ୍ସ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ପୂର୍ବରୁ ଯୋଜନା କରି କୋର୍ଟରୁ ବଳରାମ ମନ୍ଦିର ଆଡେ ଯାଇଥିବା ଦେଉଳସାହି ରୋଡର ଜିଲ୍ଲାପାଳଙ୍କ ଆବାସିକ ଗୃହ ନିକଟରେ ଛପି ଅପେକ୍ଷା କରିଥିଲେ । ଅବକାରୀ ଅଧିକ୍ଷକ ଶ୍ରୀମତି ନାୟକଙ୍କ ଗାଡ଼ି ସେହି ବାଟ ଦେଇ ଯିବା ସମୟରେ ଭିଜିଲାନ୍ସ ଟିମ୍ ଶ୍ରୀମତୀ ନାୟକଙ୍କ ଗାଡ଼ିକୁ ଅଟକାଇ ଯାଂଚ କରିଥିଲେ । ଶ୍ରୀମତୀ ନାୟକଙ୍କ ସରକାରୀ ଗାଡିରୁ ୩ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲ, କେୁଉଁଠିକୁ ନେଇଯାଉଥିଲ ବୋଲି ପଚାରିବାରେ ଭିଜିଲାନ୍ସ ବିଭାଗକୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଭିଜିଲାନ୍ସ ବିଭାଗ ଟଙ୍କା ସହ ଗାଡି ଜବତ କରିବା ସହ ଶ୍ରୀମତୀ ନାୟକଙ୍କୁ ସାଙ୍ଗରେ ନେଇ ସହରର ମହାବୀର ବଜାର ସ୍ଥିତ ସରକାରୀ କ୍ୱାର୍ଟରରେ ପହଂଚି ଯାଂଚ କରିଥିଲେ । ପରେ ପ୍ରାୟ ସନ୍ଧ୍ୟା ପ୍ରାୟ ସାଢେ ୬ ବେଳକୁ ଶ୍ରୀମତୀ ନାୟକଙ୍କୁ ଭିଜିଲାନ୍ସ ଟିମ ବିଭାଗୀୟ କାର୍ଯ୍ୟାଳୟକୁ ନେଇ ତଦନ୍ତ କରିଥିଲେ । ତେବେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସହ ଆଉ ୫ ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରଖିଥିବା ଜଣାପଡିଛି ।